Aluminimum Park / ବଦଳିଯିବ ଅନୁଗୋଳ ଚେହେରା, ମୋହନ ସରକାରଙ୍କ ବଡ଼ ପ୍ଲାନ୍

Key Points
ଅନୁଗୋଳ ହେବ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପେଣ୍ଠ ସ୍ଥଳି । ଏହି ଆଶା ନେଇ ୨୦୧୬ ମସିହାରେ ଅନୁଗୋଳରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ନିକଟରେ ଆରମ୍ଭ ହୋଇଥିଲା ଆଲୁମିନିୟମ ପାର୍କ । ହେଲେ ଆରମ୍ଭରୁ କେତେବେଳେ ଜମିକୁ ନେଇ ବିବାଦ ତ ଆଉ କେତେବେଳେ ସରକାରୀ ଉଦାସୀନତାର ଅଭାବ । ଆଉ ସେତେବେଳେ ରାଜ୍ୟରେ ଥିବା ସରକାର ମଧ୍ୟ ଏହି ପ୍ରକଳ୍ପରୁ ମୁହଁ ମୋଡିଥିଲେ । ମାତ୍ର ଏବେ ରାଜ୍ୟରେ ଥିବା ସରକାର ଏହି ପ୍ରକଳ୍ପକୁ ପୁନରୁଦ୍ଧାର କରିବା ପରେ ଏବେ ଏଠାରୁ ଆରମ୍ଭ ହେଲାଣି ଉତ୍ପାଦନ ।
ଅନୁଗୋଳରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଆଲୁମିନିୟମ ପାର୍କ । ପୂର୍ବ ସରକାର ସମୟରେ ଆରମ୍ଭରୁ ଝୁଣ୍ଟିଥିଲା ଏହି ପାର୍କ । ଏବେର ସରକାର ଏହାକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି । ଆଉ ଆରମ୍ଭ ହୋଇଛି ଉତ୍ପାଦନ । ଏହି ଆଲୁମିନିୟମ ପାର୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨୦ ଏକର ଜମି ଅଧିଗ୍ରହଣ ସରିଛି । ଦ୍ଵିତୀୟ ପର୍ଯ୍ୟାୟରେ ଏହାକୁ ୫୨୦ ଏକରକୁ ବୃଦ୍ଧି କରାଯାଇଛି ।
ଉଦ୍ଦେଶ୍ୟ, ନୂଆ ଶିଳ୍ପ ପାଇଁ ପୁଞ୍ଜି ନିବେଶ ହେଲେ ଅଧିକ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିବ । ଏଥିପାଇଁ ବୃହତ ଶିଳ୍ପ ସଂସ୍ଥା ମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ଆଉ ସଂସ୍ଥା ଗଢ଼ି ଉଠିବା ପରେ ସ୍ଥାନୀୟ ଯୁବକ ଏବେ ପାଇଛନ୍ତି ରୋଜଗାର । ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାର୍କ ବୁଲିବା ସହିତ କିଭଳି କାର୍ଯ୍ୟ ଚାଲିଛି ସେନେଇ ସମୀକ୍ଷା କରିଛନ୍ତି ।
ଏବେ ସୁଦ୍ଧା ଆଲୁମିନିୟମ ପାର୍କରେ ୩ଟି ସଂସ୍ଥାକୁ ଜମି ଯୋଗାଇ ଦିଆଯାଇଛି । ଧାତୁ ଫାବେକ୍ସ ନାମକ ଏକ ସଂସ୍ଥା ଆରମ୍ଭ କରିଛି ଉତ୍ପାଦନ । ଆଲୁମିନିୟମରୁ ଘରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର ହେଉଥିବା ଉପକରଣ ସହ ଆଲୁମିନିୟମରେ ପ୍ଳେଟ ନିର୍ମାଣ କରୁଛି ଏହି ସଂସ୍ଥା । ଏହା ସହ ଲୁମିନାଶ ୩୦ ଏକର ପରିମିତ ଜମିରେ ଏକ ବ୍ୟାଟେରୀ ଫ୍ୟାକ୍ଟ୍ରି ନିର୍ମାଣ କରୁଛି । ଏହା ମଧ୍ୟ ଖୁବ କମ ଦିନ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବ । ସୋଭା ସୋଲାରକୁ ୩୪ ଏକର ଜମି ଦିଆଯାଇଥିବା ବେଳେ ମୋଗଲିଶ ନାମକ ଏକ ସଂସ୍ଥାକୁ ୧୦ ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଛି । କିଭଳି ଆଲୁମିନିୟମ ପାର୍କ ସମ୍ପୂର୍ଣ କାର୍ଯ୍ୟକ୍ଷମ ହେବ ସେନେଇ ବେଶ ତତ୍ପର ଜିଲ୍ଲା ପ୍ରଶାସନ ।
📱 Get Argus News App
✨Related Topics
Explore more stories