ପୁଣି ଧରାପଡ଼ିଲେ ଦୁର୍ନୀତିର କଳାପାହାଡ଼ ସାଜିଥିବା ଆଉ ଜଣେ କୁବେର ବାବୁ

ଅର୍ଗସ ବ୍ୟୁରୋ: ବିଜେଡି ଶାସନରେ ଜଣେ ଜଣେ ସରକାରୀ ଅଫିସର କେମିତି ପାଲଟିଥିଲେ କଳାଧନର କୁବେର, ନବୀନ ସରକାରର 25 ବର୍ଷରେ କେମିତି ପାତାଳ ଭେଦୀ ଯାଇଥିଲା ଦୁର୍ନୀତି ଓ ଭ୍ରଷ୍ଟାଚାର ଏବେ ସାମ୍ନାକୁ ଆସିଛି ତାର ଆଉ ଏକ ପ୍ରମାଣ । ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ କଳାଧନର ପେଡ଼ି ଖୋଲିଲା ତ ଜଳକା ହୋଇଗଲେ ଖୋଦ୍ ଭିଜିଲାନ୍ସ ଅଧିକାରୀ। ବୁଧବାର ମାଲକାନଗିରି, କଟକ ଓ ଭୁବନେଶ୍ୱରରେ ଶାନ୍ତନୁଙ୍କର 7ଟି ଠିକଣାରେ ହୋଇଥିଲା ଭିଜିଲାନ୍ସ ରେଡ୍। ଜବତ ହେଲା ମୋଟ୍ 2କୋଟି 8 ଲକ୍ଷ୍ୟ 92ହଜାର ନଗଦ ଟଙ୍କା, 4ଟି ଦାମୀ ପ୍ଲଟ୍, 422 ଗ୍ରାମ ସୁନା, 91 ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇଚକିଆ ଗାଡ଼ି, 29ଲକ୍ଷରୁ ଅଧିକ ଟଙ୍କାର ଘର କରଣା ସାମଗ୍ରୀ ।
ବାବୁ ଶାନ୍ତନୁଙ୍କର ଲାଞ୍ଚ ନେବାର ତରିକା ଥିଲା ଭିନ୍ନ । ଜନସେବା କେନ୍ଦ୍ରକୁ ଢାଲ କରି ନେଉଥିଲେ କୋଟି କୋଟି ଟଙ୍କା ଲାଞ୍ଚ। ଏଥିରେ ସହଯୋଗ କରୁଥିଲେ DEO ବିଶ୍ୱଜିତ ମଣ୍ଡଳ ଓ କଣ୍ଟ୍ରାଚୁଆଲ ଷ୍ଟାଫ୍ ଅମୀୟକାନ୍ତ ସାହୁ । ଏ ଦୁଇ ଜଣଙ୍କ ଘରୁ ମିଳିଛି ଶତାଧିକ ବ୍ୟାଙ୍କ ପାସବୁକ୍ । ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଶ୍ରମିକ ମାନଙ୍କର । NREGSରେ ବିଭାଗର ବିଭିନ୍ନ କାର୍ଯ୍ୟ କରି ଲେବର ପେମେଣ୍ଟ ନାଁରେ ଟଙ୍କା ଲୁଟ୍ ପାଇଁ ଏହି ଆକାଉଣ୍ଟ ସବୁକୁ ବ୍ୟବହାର କରାଯାଉଥିଲା । ଗଞ୍ଜାମ ଜଗନ୍ନାଥପ୍ରସାଦର ଏକ ଜନସେବା କେନ୍ଦ୍ର ଜରିଆରେ 2019ରୁ 2024 ମଧ୍ୟରେ 1କୋଟି ଟଙ୍କା ଲାଞ୍ଚ ଆଣିଛନ୍ତି ଶାନ୍ତନୁ । ଏହି ଜନସେବା କେନ୍ଦ୍ର ଚଳାଉଥିବା ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ଉଠାଇ ନେଇଛି ଭିଜିଲାନ୍ସ । ବ୍ରହ୍ମପୁର ଜୋନର ଜଳବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ଥିବାବେଳେ ଶାନ୍ତନୁ ବିଭିନ୍ନ କଣ୍ଟ୍ରାକ୍ଟର ଓ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରୁଥିଲେ। ଏଥିରେ ଜନସେବା କେନ୍ଦ୍ରର ଅଲେଖ ସାହାଯ୍ୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଧଉଡ଼ାଗୁଡ଼ା ଗାଁରେ ଜଳ ବିଭାଜିକା ବିଭାଗ ଅଧୀନରେ କରାଯାଇଥିଲା କାଜୁ ପ୍ଲାଣ୍ଟେସନ୍। 10 ଏକର ଜମିରେ କାଜୁ ଗଛ ଲଗାଯାଇଥିବା ବିଲ୍ ହୋଇଛି, ପ୍ରକୃତରେ ମାତ୍ର 2-3 ହେକ୍ଟର ଜମିରେ ଲାଗିଥିଲା ଗଛ। କିନ୍ତୁ ବାସ୍ତବ ଚିତ୍ର ହେଲା ସେଠାରେ ବି ଗୋଟିଏ ହେଲେ ଗଛର ଚିହ୍ନବର୍ଣ୍ଣ ନାହିଁ। ଏଥିରେ ବି ଶାନ୍ତନୁ ମହାପାତ୍ରଙ୍କ ବଡ଼ ସମ୍ପୃକ୍ତିର ଅଭିଯୋଗ ଆସିଛି। ବିଦେଶ ବୁଲାରେ ଅମାପ ଟଙ୍କା ଉଡ଼ାଇଛନ୍ତି ଶାନ୍ତନୁ। ତଦନ୍ତ ପାଇଁ ଶାନ୍ତନୁଙ୍କ ମୋବାଇଲ୍ ସାଇବର ସେଲକୁ ପଠାଯାଇଛି । ଶାନ୍ତନୁଙ୍କ ସମେତ 4ଜଣଙ୍କୁ ଅଟକ ରଖି ପଚରା ଉଚରା ଚାଲିଛି।
ଲୋୟର ସୁକତେଲ ପ୍ରକଳ୍ପର ଚିଫ୍ କନଷ୍ଟ୍ରକ୍ସନ ଇଂଜିନିୟର ସୁନୀଲ ରାଉତ, ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର, ବାଲେଶ୍ବର ଜଳସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାସ ପ୍ରଧାନ, OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଗତ କିଛି ମାସରେ ଏମିତି ବହୁ ବଡ଼ ବଡ଼ ବାବୁଙ୍କ ଉପରେ ଭିଜିଲାନ୍ସ ଚଢ଼ାଉରେ ଜବତ ହୋଇଛି ବହୁ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି । ସବୁଠୁ ବଡ଼ ପ୍ରଶ୍ନ, ଏ ସବୁ ତଳିଆ ଦୁର୍ନୀତିଖୋର ଅଧିକାରୀଙ୍କ ପଛରେ ଥିଲା କାହାର ହାତ ? ଅଭିଯୋଗ, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି । ତଳିଆ କର୍ମଚାରୀଙ୍କ ହାତରେ ଘସିହୋଇ ପକେଟରେ ପଶୁଥିବା ଟଙ୍କା ଯଦି ଏତିକି ତେବେ ତୃତୀୟ ମହଲାକୁ ଯାଇଥିଲା କେତେ ? ପିଆଦାଙ୍କୁ ମୋହରା କରି ରାଜ୍ୟରେ ଲୁଟର ରାଜ୍ ଚଳାଇଥିବା ନେତା ଓ ଅଫିସରଙ୍କ ପାଖରେ ପହଞ୍ଚିବ କି ତଦନ୍ତ ?