Ant Issue: ମଣିଷକୁ ଖାଇଗଲେଣି ପିମ୍ପୁଡି, ଠିଆ ହେଲେ ମାଡି ବସୁଛନ୍ତି

Key Points
ଘରବାଡି ଗଛପତ୍ର ଯୁଆଡ଼େ ଦେଖିବେ ଖାଲି ପିମ୍ପୁଡ଼ି ।
ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କେହି ଶୁଣିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ରାସ୍ତାରେ, ବାରଣ୍ଡାରେ, ବାରିରେ । ଯୁଆଡେ ଦେଖିବ ହାଉ ଯାଉ ହେଉଛନ୍ତି । ଚଲେଉ ଦେଉ ନାହାଁନ୍ତି । ବସାଇ ଉଠାଇ ଦେଉ ନାହଁନ୍ତି । ପୁରା ଗାଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲେଣି ପିମ୍ପୁଡ଼ି । ପୁରୀ ଜିଲ୍ଲା ନିମାପଡ଼ା ତହସିଲ ଅନ୍ତର୍ଗତ ସାହାଡ଼ାପଡା ଗାଁ ଲୋକେ ଏବେ ପିମ୍ପୁଡ଼ି ପାଇଁ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି । ଭାର୍ଗବୀ ନଦୀ କୂଳରେ ଅବସ୍ଥିତ ଏହି ଗାଆଁରେ ତିନି ବର୍ଷରୁ ଉର୍ଦ୍ଧ ସମୟ ହେଲା ପିମ୍ପୁଡ଼ିଙ୍କ ପାଇଁ ଗାଁ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ଘରବାଡି ଗଛପତ୍ର ଯୁଆଡ଼େ ଦେଖିବେ ଖାଲି ପିମ୍ପୁଡ଼ି ।
ପିମ୍ପୁଡ଼ି ଦାଉରୁ ରକ୍ଷା ପାଇଁ ଖାଦ୍ୟ ରହୁଥିବା ସ୍ଥାନ ହେଉ ବା ନିଜେ କୌଣସି କାର୍ଯ୍ୟ କରୁଥିବା ସ୍ଥାନ ହେଉ ଚାରିପଟେ ଗ୍ରାମାକ୍ସିନ କିମ୍ବା ଲକ୍ଷ୍ମଣ ରେଖା ନମାରିଲେ ଖାଦ୍ୟ ରଖିହେବନି କି ବସିହବନି । ବିଶେଷକରି ଏହି ଗାଆଁରେ ଦେଖାଯାଉଥିବା ନାଲି ପିମ୍ପୁଡ଼ି ଦେହରେ ଲାଗିଲେ ଲୋକେ ଚର୍ମରୋଗରେ ମଧ୍ୟ ପଡ଼ୁଛନ୍ତି । ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କେହି ଶୁଣିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ପିମ୍ପୁଡ଼ିଙ୍କ ପାଇଁ ଏହି ଗାଆଁରେ ବାସ କରୁଥିବା ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ପ୍ରଭାବିତ ହେଉଥିବା ବେଳେ ଏ ସମସ୍ୟା ସମ୍ପର୍କରେ ନିମାପଡ଼ା ତହସିଲଦାରଙ୍କୁ ଜଣାଇବା ପରେ କୃଷି ବିଭାଗ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଛନ୍ତି ।
କେଉଁ କାରଣ ପାଇଁ ଗାଁରେ ବଢିବାରେ ଲାଗିଛି ପିମ୍ପୁଡିଙ୍କ ସଂଖ୍ୟା । ଏତେ ସଂଖ୍ୟାରେ ପିମ୍ପୁଡ଼ି ଆସୁଛନ୍ତି କେଉଁଠୁ ? କଣ ହୋଇଥାଇପାରେ କାରଣ ? ହନ୍ତସନ୍ତ ହେଉଥିବା ଗ୍ରାମବାସୀଙ୍କ ଗୁହାରୀ ପ୍ରଶାସନ କେବେ ଶୁଣୁଛି, ତାକୁ ଦେଖିବାକୁ ଅପେକ୍ଷା ।