ଆଜିଠାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା

ଆଜିଠାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା । କଳାହାଣ୍ଡିରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ କଳାହାଣ୍ଡି ସଦର ମହକୁମା ଭବାନୀପାଟଣା କ୍ରିଷ୍ଣାନଗର ପଡ଼ିଆରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟର ୫୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ । କେବଳ କଳାହାଣ୍ଡି ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ଆବାସ ପହଞ୍ଚାଇବା ଏହି ଯୋଜନାର ଲକ୍ଷ୍ୟ ।
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର କଳାହାଣ୍ଡି ଗସ୍ତରେ ଯିବେ ମୋହନ ମାଝୀ। ସକାଳ ୧୦ଟାରେ ଆରମ୍ଭ ହେବ ସଭା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୬୦୦କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।