Human Sagar / AIIMS ଯାଇ ଭେଟିଲେ ଅନୁଭବ, 'ସେ ଶତପ୍ରତିଶତ ସେନ୍ସରେ ନାହାନ୍ତି '

Key Points
ଭୁବନେଶ୍ଵର AIIMS ପକ୍ଷରୁ ଜାରି ମେଡିକାଲ୍ ବୁଲେଟିନରେ କୁହାଯାଇଛି ।
ହ୍ୟୁମାନ ସାଗର ଏବେ ମେଡିକାଲ୍ ଆଇସିୟୁରେ ଅଛନ୍ତି ।
ଏମ୍ସରେ ହ୍ୟୁମାନ ସାଗରଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି । ଏମ୍ସରେ ପହଞ୍ଚି ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ଅନୁଭବ । ହ୍ୟୁମାନ ରେସପଣ୍ଡ କରୁଛନ୍ତି, ଯାହା ଆମ ପାଇଁ ଶୁଭ ସଙ୍କେତ । ସେ ଶହେ ପ୍ରତିଶତ ସେନ୍ସରେ ନଥିଲେ ବି ତାଙ୍କ ସହ କଥା ହେଲେ ସେ ହଁ ନାଇଁ କହୁଛନ୍ତି । ସେ ଘରକୁ ଖୁବଶୀଘ୍ର ଫେରିବେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥା ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି କୁହାଯାଇଛି । ଯଦି ସେମିତି କିଛି ପରିସ୍ଥିତି ଆସେ ତେବେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ବୋଲି କହିଛନ୍ତି ଅଭିନେତା ଅନୁଭବ ମହାନ୍ତି ।
ଅନ୍ୟପଟେ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । AIIMSର ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ହ୍ୟୁମାନ ସାଗର ଓଡ଼ିଶାର ଜଣେ ଲୋକପ୍ରିୟ ପ୍ରତିଭାବାନ ଗାୟକ । ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଡାକ୍ତରମାନେ ସର୍ବୋତ୍ତମ ଉଦ୍ୟମ ଜାରି ରଖନ୍ତୁ। ଆବଶ୍ୟକ ହେଲେ ଦିଲ୍ଲୀ AIIMS କୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ଵର AIIMS ପକ୍ଷରୁ ଜାରି ମେଡିକାଲ୍ ବୁଲେଟିନରେ କୁହାଯାଇଛି, ହ୍ୟୁମାନ ସାଗର ଏବେ ମେଡିକାଲ୍ ଆଇସିୟୁରେ ଅଛନ୍ତି । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନାହିଁ । ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା, କିଡନୀ ଓ ଲିଭରଜନିତ ରୋଗରେ ହ୍ୟୁମାନ ପୀଡ଼ିତ ଅଛନ୍ତି । ଭୁବନେଶ୍ଵର AIIMSର ECMO ବିଶେଷଜ୍ଞ ଡକ୍ଟର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ଵରେ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ହ୍ୟୁମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ହ୍ୟୁମାନ ସାଗରଙ୍କୁ ହାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାଏଲେସିସ୍ ଚାଲିଛି । ତାଙ୍କୁ ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ୍ସ, ଆଣ୍ଟିଫଙ୍ଗାଲ୍ ଏବଂ ଅନ୍ୟ ଲାଇଫ୍ ସପୋର୍ଟରେ ରଖାଯାଇଛି । ହ୍ୟୁମାନଙ୍କ ଉପରେ MICU ଟିମ୍ ନଜର ରଖିଛି । ହ୍ୟୁମାନଙ୍କ ଚିକିତ୍ସା କରୁଛନ୍ତି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର । ଅନ୍ୟପଟେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି । ସେ କହିଛନ୍ତି, ମୋ ପୁଅ ଭେଣ୍ଟିଲେଟର୍ରେ ଅଛି । ଦୟାକରି ମୋ ପୁଅ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ।
ଶୁକ୍ରବାର ଜରୁରୀକାଳୀନ ବିଭାଗରେ ପ୍ରାରମ୍ଭିକ ସ୍ଥିରତା ପରେ ଇଣ୍ଟେନ୍ସିଭିଷ୍ଟ ତଥା ଇସିଏମ୍ଓ ସ୍ପେଶାଲିଷ୍ଟ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ହ୍ୟୁମାନ ସାଗର । ଅତ୍ୟଧିକ କ୍ରନିକ୍ ଯକୃତ ବିଫଳତା, ବିଲାଟେରାଲ ନିମୋନିଆ, ଗୁରୁତର ଏଲ୍ଭି ସିଷ୍ଟୋଲିକ୍ ଡିସ୍ଫଙ୍କ୍ସନ ସହିତ ଡିଲାଟେଡ୍ କାର୍ଡିଓମାୟୋପାଥି ଚିହ୍ନଟ ହୋଇଥିବା ନେଇ AIIMS ପକ୍ଷରୁ ସୂଚନା ଦିଆଯାଇଛି ।
ହ୍ୟୁମାନ ଅସୁସ୍ଥ ହୋଇ ଗତ ୧୨ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଫ୍ୟାନ୍ସ ଓ ସେଲିବ୍ରିଟିମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
📱 Get Argus News App
✨Related Topics
Explore more stories