ଗୋପାଳ ଛଡ଼ା ହତ୍ୟାକାଣ୍ଡରେ ଆଉ କିଏ ଥିଲେ ସାମିଲ ?

Key Points
ନବ ଦାସଙ୍କ ଝିଅ ଦୀପାଲିଙ୍କ ବୟାନରେ ପୂର୍ବ ବିଜେଡି ସରକାର ବିରୋଧରେ ଅସନ୍ତୋଷ
ପୂର୍ବରୁ କହୁଥିଲେ ଡାକିଲେ ଯିବୁ, ଏବେ ଦୀପାଳି କହିଲେ ଲିଖିତ ଭାବେ ଜଣାଇବୁ
ଆଇନମନ୍ତ୍ରୀ କହିଲେ, ନବଙ୍କ ପରିବାର ଚାହିଁଲେ ସରକାର ନେଇପାରନ୍ତି ସିବିଆଇ ତଦନ୍ତ ନିଷ୍ପତ୍ତି
ଏବେ ପ୍ରଶ୍ନ ପ୍ରକୃତରେ ନବଙ୍କୁ ଗୁଳି ମାରିଥିଲା କିଏ ?
ଗୋପାଳ ଛଡ଼ା ହତ୍ୟାକାଣ୍ଡରେ ଆଉ କିଏ ଥିଲେ ସାମିଲ ?
ତଦନ୍ତରେ କେବଳ ହତ୍ୟାକାରୀ ନୁହେଁ ଷଡ଼ଯନ୍ତ୍ରକାରୀଙ୍କର ଖୋଲିବ କି ମୁଖା ?
ଷଡ଼ଯନ୍ତ୍ରକାରୀ ବିଜେଡି ଭିତରର ବୋଲି ଜୋର୍ ଧରିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସ । ଦିନ ଦ୍ବିପ୍ରହରେ ତାଙ୍କୁ ହତ୍ୟା କରାଗଲା । ନବଙ୍କ ପରେ ଝିଅ ଦୀପାଲି ଦାସ ତାଙ୍କ ଆସନରୁ ହେଲେ ବିଧାୟିକା । କିନ୍ତୁ ଦୀର୍ଘ ଦୁଇ ବର୍ଷ ଧରି ଶାସକ ଦଳର ବିଧାୟିକା ହୋଇ ବି ବାପାଙ୍କ ହତ୍ୟା ନେଇ ଚୁପ୍ ରହିଲେ ଦୀପାଲି । କିଛି ଦିନ ତଳେ ପୋଲିସ ଜରିଆରେ ବାପାଙ୍କୁ ହତ୍ୟା କରାଯାଇଥିବା ଦୀପାଲି କହିବା ପରଠାରୁ ସୃଷ୍ଟି ହୋଇଛି ହଇଚଇ । ଦୁଇ ଦିନ ତଳେ ସିବିଆଇ ତଦନ୍ତ ଦାବି ଉଠାଇ ଦୀପାଳି କହିଥିଲେ ମୁଖ୍ୟମନ୍ତ୍ରୀ ଡାକିଲେ ପରିବାର ଭେଟିବାକୁ ଯିବେ। ଏବେ ସେହି ଦୀପାଳି ପୁଣି ବଦଳାଇଛନ୍ତି ସ୍ବର । କହିଛନ୍ତି ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇବେ । ପରିବାର ବର୍ଗ ଚାହିଁଲେ ରାଜ୍ୟ ସରକାର ସିବିଆଇ ତଦନ୍ତ କଥା ନିଷ୍ପତ୍ତି ନେଇପାରନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସେପଟେ ନବ ହତ୍ୟାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କହିଛନ୍ତି ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି । ଏଥିସହ ନବଙ୍କ ପରିବାରକୁ ବି ଟାର୍ଗେଟ୍ କରିଛନ୍ତି ପ୍ରଦୀପ। ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ ଓ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ।
ଗୋଟିଏ ପଟେ ସିବିଆଇ ତଦନ୍ତ ଦାବି, ଅନ୍ୟପଟେ ଗତ କିଛି ଦିନ ଭିତରେ ଘଟଣାକୁ ନେଇ ହୋଇଥିବା ଗୋଟିଏ ପରେ ଗୋଟିଏ ଖୁଲାସା ସୃଷ୍ଟି କରିଛି ବଡ଼ ପ୍ରଶ୍ନ । ଗାଏବ ହୋଇଯାଇଛି ନବ ଦାସଙ୍କ ରକ୍ତ ଜୁଡୁବୁଜୁ ସାର୍ଟ ଓ ରକ୍ତ ଛିଟା ଲାଗିଥିବା ଟାଓଏଲ୍ । ପୁଣି ନବ ଦାସଙ୍କ ପଛରେ ଥିବା ଗାଡିରେ 5 ଗନ ସର୍ଟ ହୋଲ୍ ଠାବ ହୋଇଛି । ଏବେ ପ୍ରଶ୍ନ ପ୍ରକୃତରେ ନବଙ୍କୁ ଗୁଳି ମାରିଥିଲା କିଏ ? ଗୋପାଳ ଛଡ଼ା ହତ୍ୟାକାଣ୍ଡରେ ଆଉ କିଏ ଥିଲେ ସାମିଲ ? ନବ ହତ୍ୟାରେ ସାମ୍ନାକୁ ଆସିଛି ସାଂଘାତିକ ଷଡ଼ଯନ୍ତ୍ରର ଦିଗ । ହତ୍ୟା ପଛରେ କେବଳ ହତ୍ୟାକାରୀ ନୁହେଁ ଷଡ଼ଯନ୍ତ୍ରକାରୀ ଥିବା ନେଇ ବଢୁଛି ଚର୍ଚ୍ଚା। ଷଡ଼ଯନ୍ତ୍ରକାରୀ ବିଜେଡି ଭିତରର ବୋଲି କଥା ଉଠୁଥିବାବେଳେ, ସିବିଆଇ ତଦନ୍ତରେ ଷଡ଼ଯନ୍ତ୍ରକାରୀଙ୍କର ମୁଖା ଖୋଲିବ ବୋଲି ଆଶା କରାଯାଉଛି।
