ପୁରୁଷ ଶୂନ୍ୟ ହୋଇଗଲାଣି ଅରଖକୁଦା, ଭିଟାମାଟି ଛାଡୁଛନ୍ତି ମାଛ ଧରାଳି

Key Points
ବସ୍ ଭର୍ତ୍ତି ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଚିଲିକା କୂଳବାସୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରୁ ସାମ୍ନାକୁ ଆସିଲା ଅଭାବନୀୟ ଦୃଶ୍ୟ
ପୁରୁଷ ଶୂନ୍ୟ ହୋଇଗଲାଣି ଅରଖକୁଦା ପଞ୍ଚାୟତ
ଖାଲି ହୋଇଗଲାଣି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଅଞ୍ଚଳ । ପୁରୁଷ ଶୂନ୍ୟ ହେଲାଣି ଅରଖକୁଦା ପଞ୍ଚାୟତ। ଏକ ସପ୍ତାହ ପୂର୍ବରୁ ଏକ ହଜାର ମତ୍ସ୍ୟଜୀବୀ କର୍ଣ୍ଣାଟକ ଯାଇଥିବା ବେଳେ ଗତ ୧୪ ତାରିଖରେ ପୁଣି ୩ଟି ବସରେ ୩୦୦ରୁ ଅଧିକ ମତ୍ସ୍ୟଜୀବୀ ଗାଁ ଛାଡ଼ିଛନ୍ତି । ଚିଲିକା ଅବସ୍ଥା ସଙ୍କଟଜନକ ଥିବାରୁ କୁଳବେଉସା ହରାଇଛନ୍ତି ୧୦ ହଜାର ମତ୍ସ୍ୟଜୀବୀ । ଋଣ ସୁଝିବା ଓ ପରିବାର ପତିପୋଷଣ ପାଇଁ ଦାଦନ ଖଟିବା ହିଁ ଏମାନଙ୍କ ଆଗରେ ଏକମାତ୍ର ରାସ୍ତା ।
ଗାଁ ମୁଣ୍ଡରେ ଛିଡ଼ା ହୋଇଥାଏ ବସ୍ । ଚଢୁଛନ୍ତି ଜଣେ ପରେ ଜଣ । ପୁରୁଷ ମହିଳାଙ୍କଠାରୁ ନେଇ ଯୁବକ ଏମିତିକି ନାବାଳକ। କାହା ହାତରେ ଓ କାନ୍ଧରେ ବ୍ୟାଗ, କାହା ମୁଣ୍ଡରେ ବୋଝ। ପରିବାର ପୋଷିବାର ବୋଝ ନେଇ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଛନ୍ତି ମତ୍ସ୍ୟଜୀବୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅରଖକୁଦା ପଞ୍ଚାୟତର ଏ ଦୃଶ୍ୟ ଯେତିକି ଚିନ୍ତାଜନକ, ସେତିକି ବିପଜ୍ଜନକ। କାରଣ ଦାଦାନ ଖଟିବାକୁ ଯାଉଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ବହୁ ସଂଖ୍ୟାରେ ନାବାଳକ। ସ୍ଥିତି ଏମିତି ଯେ ଅରଖକୁଦା ପଞ୍ଚାୟତ ପ୍ରାୟ ପୁରୁଷ ଶୂନ୍ୟ ହୋଇଗଲାଣି ।
ସପ୍ତାହେ ପୂର୍ବରୁ ଏକ ହଜାରରୁ ଅଧିକ ମତ୍ସ୍ୟଜୀବୀ ଏମିତି ବସରେ ବୋଝେଇ ହୋଇ କର୍ଣ୍ଣାଟକ ଯାଇଥିଲେ। ଆଉ ଇଏ ହେଉଛି ଗତ ୧୪ ତାରିଖର ଦୃଶ୍ୟ। ୩ଟି ବସ୍ ରେ ୩୦୦ରୁ ଅଧିକ ମତ୍ସ୍ୟଜିବୀ ଗାଁ ଛାଡିଛନ୍ତି । କାରଣ ହେଲା ଚିଲିକାର ଅବସ୍ଥା ଯୋଗୁଁ ଜୀବିକା ହରାଇଛନ୍ତି ଏ ସବୁ ମତ୍ସ୍ୟଜୀବୀ ପରିବାର । କୂଳରେ ବନ୍ଧା ହୋଇ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଡଙ୍ଗା ଆଉ ଜାଲ। ଆଉ ବ୍ୟାଗ୍ ଧରି ବାହାର ରାଜ୍ୟକୁ ଯାଉଛନ୍ତି ମତ୍ସଜୀବୀ।
ଚିଲିକାରୁ ମତ୍ସ୍ୟ ଉତ୍ପାଦନ କମିବା ପଛରେ ରହିଛି ଅନେକ କାରଣ
ନଂ ୧- ଚିଲିକାକୁ ସଂଯୋଗ ହୋଇଥିବା ୫୨ଟି ନଦୀ ନାଳର ପଟୁ ମାଟି ଦ୍ବାରା ପୋତି ହୋଇ ପଡିଲାଣି ହ୍ରଦ
ନଂ ୨ - ସମୁଦ୍ର ଜୁଆର ପ୍ରଭାବରେ ଚିଲିକା ଓ ସମୁଦ୍ର ମୁହାଣ ପୋତି ହେଉଛି
ନଂ ୩ - ଦ୍ରୁତ ଗତିରେ ବଢ଼ିଚାଲିଛି ନଳ
ନଂ ୪ - ଚିଲିକାରେ ବ୍ୟାପକ ଜିରୋ ନେଟ୍ ଦ୍ବାରା ଚାଲିଥିବା ମାଛ ମରା
ନଂ ୫ - ମାତ୍ରାଧିକ ଯନ୍ତ୍ରଚାଳିତ ବୋଟ୍ ଚଳାଚଳ
ନା ହ୍ରଦ ଖୋଳିବାକୁ ନିଆଯାଉଛି ପଦକ୍ଷେପ ନା ବେଆଇନ ମାଛମରା ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ। ଫଳରେ ଦକ୍ଷିଣ ପାଶ୍ବ ଚିଲିକା ଉପରେ ନିର୍ଭର କରି ବଞ୍ଚୁଥିବା ଅରଖକୁଦା ଓ ଆଖପାଖ ଅଞ୍ଚଳର ୧୦ ହଜାର ମତ୍ସ୍ୟଜୀବୀ ବେଉସା ହରାଇ ବସିଛନ୍ତି।