Odisha Politics / ଦଳରୁ ନିଲମ୍ବନ ପରେ ଅରବିନ୍ଦ ଦେଲେ ବଡ଼ ବୟାନ..!

Key Points
ଏଣୁ ତାଙ୍କ ନିଲମ୍ବନକୁ ସ୍ବାଭାବିକ କୁହାଯାଉଛି। ହେଲେ ଅରବିନ୍ଦ...
ବିଜେଡିରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି 'ଏହି ନିଲମ୍ବନ କିଛି ଫରକ ପଡ଼ିବନି । ମୁଁ ମୋ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କ ସହ ରହିଛି ଆଉ ରହିବି । ମୁଁ କିଛି ଦୁର୍ନୀତି କରିନି' । ଅରବିନ୍ଦଙ୍କ ସମର୍ଥକ ମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ନିନ୍ଦା କରିବା ସହ ପାଟକୁରାରେ ବିଜେଡିର ଶୋଚନୀୟ ସ୍ଥିତି ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଅରବିନ୍ଦ ମହାପାତ୍ରଙ୍କ ବାପା ବିଜୟ ମହାପାତ୍ରଙ୍କ ଘରେ ବିଜେଡିର ପୂର୍ବତନ ବିଧାୟକ ରବି ପାଣିଙ୍କୁ ଅଚାନକ ଦେଖିବାକୁ ମିଳିଛି । ବିଜୟଙ୍କ ଘରେ ରବି ପାଣିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇଛି । ତେବେ ପୁଅର ନିଲମ୍ବନକୁ ନେଇ ବାପା ବିଜୟ କହିଛନ୍ତି, 'କାହିଁକି ପୁଅକୁ ନିଲମ୍ବନ କରାଗଲା ମୁଁ ଆଦୌ ଜାଣିନି । ବିଶ୍ବାସଘାତକ କିଏ ଲୋକେ ବିଚାର କରିବେ । ଏହା ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି କହିଲେ ବିଜୟ ।
ଗୁରୁବାର କେବଳ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନୁହେଁ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ମଧ୍ୟ ବିଜେଡି ପକ୍ଷରୁ ଦଳରୁ ନିଲମ୍ବନ କରାଯାଇଛି । ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷରେ ଛନ୍ଦି ହୋଇଥିବା ବିଜେଡିରେ ପୁଣି କମ୍ପନ ସୃଷ୍ଟି ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକାଥରେ ଦୁଇଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ବିଜେଡି କ୍ଷମତାଚ୍ୟୁତ ହେଲା ପରେ ପ୍ରଥମ ଥର ପାଇଁ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସନାତନ ଲଗାତାର ବିଜେଡି ବିରୋଧରେ ବିଷୋଦଗାର କରୁଥିଲେ। ଏଣୁ ତାଙ୍କ ନିଲମ୍ବନକୁ ସ୍ବାଭାବିକ କୁହାଯାଉଛି।
ହେଲେ ଅରବିନ୍ଦଙ୍କ ନିଲମ୍ବନ ରହସ୍ୟମୟ ହୋଇଯାଇଛି। କେଉଁ କାରଣ ପାଇଁ ତାଙ୍କୁ ନିଲମ୍ବନ କରାଗଲା, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଅରବିନ୍ଦଙ୍କର ଦଳବିରୋଧୀ କାମ କେବେ ଖୋଲାଖୋଲି ପଦାକୁ ଆସିନି। ନବୀନଙ୍କ ପାରମ୍ପରିକ ଶତ୍ରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ନିର୍ବାଚନର କିଛି ଦିନ ଆଗରୁ ବିଜେଡିରେ ସାମିଲ କରାଯାଇ ପ୍ରାର୍ଥୀ କରାଯାଇଥିଲା। ବିଜୟ ତାଙ୍କ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ ଏବଂ ଅରବିନ୍ଦ ଜିତିଥିଲେ। ଦଳ କିମ୍ବା ସଭାପତିଙ୍କ ବିରୋଧରେ ସେ ଗଣମାଧ୍ୟମରେ ଖୋଲା ମନ୍ତବ୍ୟ ଦେଇ ନଥିଲେ। ତାହା ସତ୍ତ୍ବେ ତାଙ୍କୁ ଅତର୍କିତ ନିଲମ୍ବନ କରାଯାଇଛି। ନିଜେ ଅରବିନ୍ଦ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଗଣମାଧ୍ୟମକୁ ସେ କହିଥିଲେ, 'ମୁଁ ନିଲମ୍ବନ ସମ୍ପର୍କରେ ଗଣମାଧ୍ୟମରୁ ଜାଣିଲି। ଦଳର କୌଣସି ନେତା ମୋ ସହ କଥା ହୋଇନାହାନ୍ତି। କାହିଁକି ନିଲମ୍ବନ କରାଗଲା, ମୁଁ ଜାଣି ନାହିଁ। ଦଳକୁ ଅସୁବିଧାରେ ପକାଇଲା ପରି କାମ ମୁଁ କରି ନାହିଁ'।
ନିଲମ୍ବନ ଆଦେଶ ଗଣମାଧ୍ୟମକୁ ଦିଆଯିବା ସମୟରେ ନବୀନ ନିବାସରେ ୧୦ ଜଣ ବିଧାୟକ ଉପସ୍ଥିତ ଥିଲେ। ଗତ ତିନି ଦିନ ହେଲା ୧୦ ଜଣ ଲେଖାଏଁ ବିଧାୟକଙ୍କୁ ପାଳି କରି ଡକାଯାଉଛି। ସେହି କ୍ରମରେ ଆଜି ମଧ୍ୟ ବିଧାୟକଙ୍କୁ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଦୁଇ ବିଧାୟକ ଉପସ୍ଥିତ ଥିଲେ। ଜଣେ ବିଧାୟକ ଏହି ନିଷ୍ପତ୍ତିକୁ ନବୀନଙ୍କ ସାମନାରେ ନାପସନ୍ଦ କରିଥିଲେ। ତେବେ ନିଷ୍ପତ୍ତି ଯଥାର୍ଥ ବୋଲି ନବୀନ କହିଥିଲେ।
📱 Get Argus News App
✨Related Topics
Explore more stories