ବିଜୁବାବୁଙ୍କ ପାଇଁ ବିଜେଡିର ପ୍ରତିବାଦ, ପୁଅ ନବୀନଙ୍କ ନାହିଁ ସମର୍ଥନ !

ଭୁବନେଶ୍ଵର: ବିରୋଧୀଙ୍କ ହୋ ହଲ୍ଲା, ହଟ୍ଟଗୋଳ ଭିତରେ ଆଜି ଚାଲି ପାରିନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ପରେ ଗୃହ ୧୨ଟା ଏବଂ ପରେ ୪ଟା ପର୍ଯ୍ୟନ୍ତ ମୁଲତବି ହୋଇଛି । ବିଧାନସଭା ଭିତରେ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଥିବା ବେଳେ ନବୀନଙ୍କ ମୌନତା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
ଶୁକ୍ରବାର ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ବିଜେଡିର ଅଭିଯୋଗ, ବିଜୁବାବୁଙ୍କ ଅପମାନିତ କରାଯାଉଛି । ହେଲେ ଗୃହ ଭିତରେ ଓ ବାହାରେ ବିଜେଡି ବିଜୁଙ୍କୁ ନେଇ ପ୍ରତିବାଦ କରୁଥିଲେ ହେଁ ପୁଅ ନବୀନ ପୁରା ନୀରବ ରହିଛନ୍ତି । ନା ଗୃହ ଭିତରେ ନା ଗୃହ ବାହାରେ ବିଜେଡିର ପ୍ରତିବାଦ ବେଳେ କେଉଁଠି ବି ନବୀନ ସମର୍ଥନ ଦେଇ ନଥିବା ଦେଖିବାକୁ ମିଳିଛି ।
ତେବେ ବିଜେଡିର ପ୍ରତିବାଦ ବେଳେ କାହିଁକି ନୀରବ ନବୀନ ? ବିଜେଡି ବିଧାୟକ ବିଧାନସଭା ଭିତରେ ହଟ୍ଟଗୋଳ କରୁଥିବା ବେଳେ ନବୀନ ସେମାନଙ୍କୁ ଦେଖୁଛନ୍ତି । ହେଲେ ତାଙ୍କ ମୁହଁରେ କୌଣସି ଆଗ୍ରହ କି ଉତ୍ସୁକତା ଦେଖା ଯାଉନି । ଯେମିତି ଲାଗୁଛି, ବିଜେଡିର ଏହି ପ୍ରତିବାଦକୁ ନବୀନଙ୍କ ସମର୍ଥନ ନାହିଁ ।
📱 Get Argus News App
✨ସେହିଭଳି ଦଳ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ବି କରିଛି । ସେଠି ବି ନବୀନଙ୍କ ଉପସ୍ଥିତି ଦେଖିବାକୁ ମିଳି ନାହିଁ । ବିଜେଡି ବିଧାୟକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ନେତା ନବୀନ ସେଠାକୁ ନଯାଇ ପଳାଇ ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରଶ୍ନ ଉଠୁଛି । ଯଦି ନବୀନ ପ୍ରତିବାଦ ଚାହୁଁ ନାହାନ୍ତି, ତାହେଲେ କାହା ଇଙ୍ଗିତରେ ହୋ ହଲ୍ଲା କରୁଛନ୍ତି ବିଜେଡି ବିଧାୟକ ?
ବିଜୁଙ୍କ ନାଁ ନେଇ ଅଯଥା ରାଜନୀତି, ପ୍ରତିବାଦ ପାଇଁ ପ୍ରଚ୍ଛଦପଟରେ କିଏ ଦେଉଛି ପ୍ରରୋଚନା ? ନବୀନଙ୍କ ହାତରେ ସତରେ କଣ ନାହିଁ ବିଜେଡି ମଙ୍ଗ ? ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିରବତା ଅନେକ ଅସମାହିତ ପ୍ରଶ୍ନ ଛିଡ଼ା କରିଥିବା ବେଳେ ପ୍ରତିବାଦ ପ୍ରତି ତାଙ୍କର ଆଗ୍ରହ ନଥିବା ଦର୍ଶାଉଥିବା ଚର୍ଚ୍ଚା ହେଉଛି ।
ବିଜେଡି ସବୁବେଳେ ଗଣତନ୍ତ୍ରର ଦ୍ଵାହି ଦେଉଥିବା ବେଳେ କାହିଁକି ଗୃହ ଚଳାଇ ଦେଉନି । ଗୃହରେ ଆଲୋଚ୍ୟ ପ୍ରସଙ୍ଗ ହିଁ ତ ରାଜ୍ୟର ବିକାଶରେ ସହାୟକ ହେବ । ତେବେ, ବିଜେଡି କଣ ରାଜ୍ୟର ବିକାଶ ହେଉ ବୋଲି ଚାହୁଁ ନାହିଁ ? ଏବେ ଏ କଥା ବି ରାଜ୍ୟବାସୀ ପଚାରିବା ଆରମ୍ଭ କଲେଣି ।