Argus Impact: ଭାଙ୍ଗିଲା ପ୍ରଶାସନର ନିଦ, ସମାଧାନ ହେବ ଲୋକଙ୍କ ସମସ୍ୟା

ଅର୍ଗସ ବ୍ୟୁରୋ: ଦିନେ ଗାଁକୁ ରାସ୍ତା ନଥିଲା । ଲୋକେ ଯାତାୟତ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏମିତିକି ଜରୁରୀକାଳିନ ପରିସ୍ଥିତିରେ ବି ଗାଁକୁ ଆସିପାରୁନଥିଲା ଆମ୍ବୁଲାନ୍ସ । ଲୋକେ ପ୍ରଶାସନକୁ ଅଭିଯୋଗ କରି କରି ଥକି ପଡ଼ିଥିଲେ । କେହି କିଛି ଶୁଣୁନଥିଲେ ।
ଶେଷରେ ଅର୍ଗସ ଶୁଣିଥିଲା ଗାଁ ଲୋକଙ୍କ ଦୁଃଖ... ଆଉ ସାରା ଓଡ଼ିଶାକୁ ଶୁଣାଇଥିଲା । ଏମିତିକି ସ୍ଥାନୀୟ ପ୍ରଶାସନ କାନରେ ଖବର ଦେଇଥିଲା ଅର୍ଗସ, ବଡ଼ ଅଧିକାରୀଙ୍କୁ ବି କରିଥିଲା ପ୍ରଶ୍ନ । କାହିଁକି ହୋଇପାରିନି ରାସ୍ତା.... ଲୋକଙ୍କ ସ୍ୱର ପାଲଣିଥିଲା ଅର୍ଗସ । ତାପରେ ପ୍ରଶାସନ ଭାଙ୍ଗିଲା ନିଦ । କାଳ ବିଳମ୍ବ ନକରି ପ୍ରଶାସନ ଦେଖାଇଲା ତତ୍ପରତା ।
ଅର୍ଗସରେ ଖବର ପ୍ରସାରଣ ପରେ ଗାଁକୁ ଫିଟିଥିଲା ରାସ୍ତା । ଖୁସି ଅନୁଭବ କଲେ ଗ୍ରାମବାସୀ । ଅର୍ଗସ୍ ପରିବାରକୁ ଦେଲେ ଧନ୍ୟବାଦ ।
ଆଜ୍ଞା ଆମେ କହୁଛୁ ସେଇ ଦୁର୍ଗମ ଅପହଞ୍ଚ ଗାଁ ବାଘଖଦ୍ରାର କଥା । ଗାଁକୁ ନଥିଲା ରାସ୍ତା। ଜଙ୍ଗଲ ପାହାଡ ମଧ୍ୟରେ ପାଦଚଲା ରାସ୍ତାରେ ଯିବା ଆସିବା କରନ୍ତି ଅଞ୍ଚଳବାସୀ। ରାସ୍ତା ଏମିତି ଯେ ଦିନ ବେଳେ ଯିବାକୁ ଡର ଲାଗିବ। ରୋଗୀଙ୍କ ପାଇଁ ଏଠି ଆମ୍ବୁଲାନ୍ସ ପହଞ୍ଚି ପାରେନି। ଦୋଳା କି ଖଟିଆରେ ବୁହା ହୁଅନ୍ତି ରୋଗୀ। ଦୁର୍ଗମ ବାଘଖଦ୍ରାର ସମସ୍ୟା ଦେଖାଇଥିଲା ଆମ ଅର୍ଗସ ଟିମ୍। ତାପରେ ଭାଙ୍ଗିଲା ପ୍ରଶାସନର ନିଦ। ଉପାନ୍ତର ଏହି ଗାଁକୁ ଏବେ ସଂଯୋଗ ହେଉଛି ପକ୍କା ରାସ୍ତା।
ମାଲକାନଗିରି ମାଡକାପଦର ପଞ୍ଚାୟତର ବାଘଖଦ୍ରା । କେଉଁ ଅମଳରୁ ବସବାସ କରି ଆସୁଛନ୍ତି ଆଦିମ ଜନଜାତି । ଗାଁକୁ ଯିବାକୁ ଏକ ପାଦ ଚଲା ପଥୁରିଆ ରାସ୍ତା ଥିଲା, ସେମାନଙ୍କ ସାହା ଭରସା । ତାହା ମଧ୍ୟ ଖାଲଖମାରେ ପରିପୂର୍ଣ ।
ରାସ୍ତା କାମ ଆରମ୍ଭ ହେବା ପରେ ଏବେ ଗାଁ ଲୋକଙ୍କ ମନରେ ଆଶାର ଆଲୋକ ସଞ୍ଚାର ହୋଇଛି। ରାସ୍ତା ସମସ୍ୟାର ସମାଧାନ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ସରକାର ଯୋଗାଇଦେବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।