ଅଚ୍ୟୁତଙ୍କୁ ଗିରଫ କର, ଦିଲ୍ଲୀରେ ଉଠିଲା ଦାବି !

ଦିଲ୍ଲୀକୁ ମାଡ଼ିଲାଣି କିଟ୍ ବିକ୍ଷୋଭ । KIIT ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଓଡ଼ିଶା ଛାତ୍ର ସଂଘଠନ ତରଫରୁ କରାଯାଇଛି ପ୍ରତିବାଦ । ଯଥାଶୀଘ୍ର KIITର ପ୍ରତିଷ୍ଠାତାଙ୍କୁ ଗିରଫ ସହ ସମସ୍ତ ଦୋଷୀଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ।
ଏପଟେ ଓଡ଼ିଶାରେ ଏବେ ବି KIIT ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି । ଆଜି ସଂସ୍ଥାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବେ। ଏନେଇ ଗତକାଲି ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା । ଆଜି ସଂଧ୍ୟା ସାଢ଼େ ୬ଟାରେ ରାଜ୍ୟ ଅତିଥି ଭବନର ସମ୍ମିଳନୀ କକ୍ଷରେ ହାଜର ହେବେ । ଅଫିସ୍ ଅର୍ଡର ମାନି ଧାର୍ଯ୍ୟ ସମୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
ତେବେ ବୁଧବାର KIIT କ୍ୟାମ୍ପସରେ ପହଞ୍ଚି ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଥିଲା । ଏନେଇ ପ୍ରତିକ୍ରିୟା ରଖି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ- ନେପାଳ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଠାକୁ ଆସିଛୁ । ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରାଉଚୁରା କରାଯାଇଛି । ଏବେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ।
ସେହିଭଳି ଏବେ ବି KIIT ବିଶ୍ଵବିଦ୍ୟାଳୟ ପରିବେଶ ଅଶାନ୍ତ ରହିଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । KIIT ବିଶ୍ଵବିଦ୍ୟାଳୟ ଭିତରକୁ ସେମାନେ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଛି ।
ଅନ୍ୟପଟେ କିଟ ଘଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି କିଟ୍ ଘଟଣା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ। ନେପାଳ ସହ ଭାରତର ସମ୍ପର୍କ ପୁରୁଣା। ଏହି ଘଟଣା ପାଇଁ ଭାରତ ଲଜ୍ଜିତ ହୋଇଛି। ରାଜ୍ୟ ସରକାରଙ୍କୁ ଅନୁରୋଧ ଏହାକୁ ଟେକ ଓଭର କରିନିଅନ୍ତୁ। ଭବିଷ୍ୟତରେ ଆଉ ଏପରି ଅଘଟଣ ହେବ ନାହିଁ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା। ସେହିଭଳି କିଟ୍ ଘଟଣାକୁ ନିନ୍ଦା କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ କହିଛନ୍ତି ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ । କିଟ୍ କର୍ତ୍ତୃପକ୍ଷଙ୍କ ମନମାନି ଆଦୌ ଗ୍ରହଣୀୟ ନୁହେଁ । ସମ୍ବେଦନତା ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ।
ତେବେ କିଟରେ ନେପାଳି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ଗତକାଲି ଆଉ ୫ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ ।
ସେପଟେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଦ୍ଵିକ ଶ୍ରୀବାସ୍ତବକୁ ୩ ଦିନିଆ ରିମାଣ୍ଡରେ ନେଇଛି ଇନଫୋସିଟି ଥାନା ପୋଲିସ । ରାଜ୍ୟ ଫରେନସିକରେ ଅଭିଯୁକ୍ତର ହେବ ଭଏସ୍ ସ୍ପେକ୍ଟୋଗ୍ରାଫି ଟେଷ୍ଟ । ଯୁବତୀଙ୍କୁ ଦେଇଥିବା ଗାଳି ଗୁଲଜ ଅଡିଓ ସହ ପୁରୁଷ ବନ୍ଧୁ ଭଏସର ଯାଞ୍ଚ କରାଯିବ । କେଉଁ ଫଟୋ ଓ ଭିଡିଓକୁ ନେଇ ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲା । ଲାପଟପ ମୋବାଇଲ ଫୋନରେ କଣ ଅଛି । କାହିଁକି ଭୁବନେଶ୍ୱର ଛାଡି ପଳାଉଥିଲା ଅଭିଯୁକ୍ତ ପୁରୁଷ ବନ୍ଧୁ । ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ସହ କଥା ହୋଇଥିଲେ କି ? ଏସବୁ ସଂପର୍କରେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରିବ କମିଶନରେଟ୍ ପୋଲିସ୍ ।