Srimandir / ASI ଦେଇସାରିଛି ଅନୁମତି, ତଥାପି କାହିଁକି ହେଉନି କାର୍ଯ୍ୟକାରୀ

Key Points
ଖରାଦିନ ପୂର୍ବରୁ ହୋଇପାରିବ ତ AC ବ୍ୟବସ୍ଥା ?
ଦିନକୁ ଦିନ ପୁରୀ ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶୀତ ଦିନର ଭିଡ଼ ଖରାଦିନେ ବି ଦେଖିବାକୁ ମିଳିବ ବୋଲି କରାଯାଉଛି ଆଶଙ୍କା । ହେଲେ ଖରାଦିନେ ଯଦି ଶୀତ ଦିନ ଭଳି ଭିଡ଼ ଜମେ, ତେବେ ଶ୍ରୀମନ୍ଦିର ଜଗମୋହନ ଭିତରେ ଶ୍ରୀଜୀଉଙ୍କ ଦର୍ଶନ ସହଜ ହେବନି । କାରଣ ଅସହ୍ୟ ଗୁଳୁଗୁଳିରେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଅଣନିଃଶ୍ୱାସୀ ହେବାର ବିପଦକୁ ଏଡ଼ାଇ ଦିଆଯାଇ ପାରିବନି । ତେଣୁ ଏବେ ପ୍ରଶ୍ନ ଶ୍ରୀମନ୍ଦିର ଭିତରେ କେବେ ଲାଗିବ ଏୟାର କଣ୍ଡିସନ୍ (AC) । ଖରାଦିନ ପୂର୍ବରୁ ହୋଇପାରିବ ତ AC ବ୍ୟବସ୍ଥା ?
କେବେ ଶୀତତାପ ନିୟନ୍ତ୍ରିତ ହେ ବ ଶ୍ରୀମନ୍ଦିର ନାଟ ମଣ୍ଡପ ? ASIର ଅନୁମତି ପରେ ବି କାହିଁକି ଆଗକୁ ବଢ଼ୁନି କାମ । ଦ୍ବିତୀୟ ବିଜ୍ଞପ୍ତି ପରେ ଆଗ୍ରହ ଦେଖାଇଛନ୍ତି ଚାରି ସଂସ୍ଥା ।
ପୁରା କାହାଣୀଟି ହେଲା, ଦିନକୁ ଦିନ ପୁରୀ ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଖରାଦିନେ ଅଧିକ ଭିଡ଼ ରହିଲେ ଶ୍ରୀମନ୍ଦିର ଜଗମୋହନ ଭିତରେ ଶ୍ରୀଜୀଉଙ୍କ ଦର୍ଶନ ସହଜ ହେବନି । କାରଣ ASIର ଅନୁମତି ସତ୍ବେ, ବିଶେଷ ଆଗେଇ ପାରିନାହିଁ ଶ୍ରୀମନ୍ଦିର ନାଟମଣ୍ଡପରେ AC ଲଗାଇବା କାମ । ଗତ ଡିସେମ୍ବର ୨୦୨୪ରୁ ନାଟ ମଣ୍ଡପରେ ଏସି ବ୍ୟବସ୍ଥା ପାଇଁ ପରିଚାଳନା କମିଟି ନେଇଥିବା ନିଷ୍ପତ୍ତି ବର୍ଷେ ଭିତରେ ଇଞ୍ଚେ ବି ଆଗେଇ ନାହିଁ । ଏବେ ଶ୍ରୀମନ୍ଦିର ପ୍ରଶାସନର ଦ୍ଵିତୀୟ ବିଜ୍ଞପ୍ତି ଆହ୍ବାନ ପୁଣି ନୂଆ ଆଶା ସୃଷ୍ଟି କରିଛି ।
୧- ଭୁବନେଶ୍ଵରର ଏସଆର୍ ଇଲେକଟ୍ରୋନିକ୍ସ
୨- ସୁମିତ୍ରା ରେଫ୍ରିଜରେଶନ ଆଣ୍ଡ ଇଲେକଟ୍ରିକାଲ୍ସ
୩- କଟକର ମା' ଭଗବତୀ ରେଫ୍ରିଜେଶନ ଆଣ୍ଡ ଏୟାର କଣ୍ଡିସନର
୪- କୋଲକାତାର ଏଭି ଏସି ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍
ଏହି ୪ଟି ସଂସ୍ଥା ଯୋଗ୍ୟ ବିବେଚିତ ହୋଇ ବୈଷୟିକ ତଥ୍ୟ ଉପସ୍ଥାପନ କରିଛନ୍ତି । ତଥାପି ଫାଇନାଲ ଟେଣ୍ଡର ସହ କାମ ଆରମ୍ଭ ହୋଇ ଖରାଦିନ ପୂର୍ବରୁ ଏସି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ରହିଛି ।
ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ତିନି ପାର୍ଶ୍ଵ ଆଲୋକମାଳାରେ ଝଲସିବ। ଏନେଇ ଖର୍ଚ୍ଚ ହେବ ୩ କୋଟି ଟଙ୍କା । ଯେଉଁଥିପାଇଁ ଟେଣ୍ଡର ଆହ୍ବାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ସିଂହଦ୍ୱାର ପାର୍ଶ୍ଵରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ମଧ୍ୟ ହେବ । ଖାଲି ସେତିକି ନୁହେଁ ୩୨ କୋଟି ବ୍ୟୟରେ ଚାଲିଛି ପୁନର୍ବିନ୍ୟାସ କାର୍ଯ୍ୟ । ମେ ମାସ ସୁଦ୍ଧା ସାରିବାକୁ ଯୋଜନା ହୋଇଛି । ଭିତରେ ମହାପ୍ରଭୁଙ୍କ ଲୀଳାଖେଳା ସମ୍ବନ୍ଧୀୟ ଚିତ୍ରକଳା ମଧ୍ୟ କରାଯାଇଛି । ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି, ଭିତର ସୌନ୍ଦର୍ଯ୍ୟକରଣ ଓ ବାହାର ଆଲୋକୀକରଣ ସହ ଭକ୍ତମାନଙ୍କ ଜନ୍ମବେଦୀ ଦର୍ଶନ ପାଇଁ ଶୀଘ୍ର କାର୍ଯ୍ୟ ଶେଷ କରୁ ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ସବୁ ପ୍ରକାର ଯୋଜନା ହେଉଛି । କିନ୍ତୁ କାମ ମନ୍ଥର ଗତିରେ ଚାଲିଛି । ଦର୍ଶନ ଶୃଙ୍ଖଳା ନେଇ ବାରମ୍ବାର ପଛଘୁଞ୍ଚା, ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଆଇଆଇଟିର ବିଶେଷଜ୍ଞ ମାନଙ୍କ ସମୀକ୍ଷା ପରେ ଦର୍ଶନ ଶୃଙ୍ଖଳା ଉପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି ।
📱 Get Argus News App
✨Related Topics
Explore more stories