Kranti Diwas / ୯ ଅଗଷ୍ଟ କ୍ରାନ୍ତି ଦିବସ... ମନେ ପଡ଼େ ସ୍ୱାଧୀନତାର ଲଢ଼େଇ

Key Points
“କର ବା ମର” ଡାକରେ ଉଠିଥିଲା ସାରା ଭାରତ
ଅଗଷ୍ଟ କ୍ରାନ୍ତିରେ ଓଡ଼ିଶାର ରକ୍ତ ବଳିଦାନ
୯ ଅଗଷ୍ଟ କ୍ରାନ୍ତି ଦିବସ ମନେ ପଡ଼େ ସ୍ୱାଧୀନତାର ଲଢ଼େଇ
ଆଜି ୯ ଅଗଷ୍ଟ... ଏହା କେବଳ ଗୋଟିଏ ତାରିଖ ନୁହେଁ, ଭାରତୀୟ ସ୍ବାଧୀନତାର ଛାତିରେ ଲେଖା ଗୋଟିଏ ଜ୍ଵଳନ୍ତ ଅଧ୍ୟାୟ । ଯେଉଁଦିନ ମହାତ୍ମା ଗାନ୍ଧୀଙ୍କ “କର ବା ମର” ଡାକରେ କମ୍ପିଉଠିଥିଲା ସାରା ଦେଶ । ଜେଲ୍, ଲାଠି, ଗୁଳି ଓ ଫାଶୀକୁ ଅଣଦେଖା କରି ଲକ୍ଷ ଲକ୍ଷ ଭାରତୀୟ ରାସ୍ତାକୁ ଓହ୍ଲାଇଥିଲେ ଗୋଟିଏ ସ୍ଵପ୍ନ ପାଇଁ ସ୍ଵାଧୀନ ଭାରତ ।
ସେଇ ଅଗଷ୍ଟ କ୍ରାନ୍ତିରେ ଥିଲା ଓଡ଼ିଶାର ରକ୍ତ, ଥିଲା ଓଡ଼ିଆ ବୀରଙ୍କ ବଳିଦାନ । ଆଜିର ଏହି ସ୍ଵାଧୀନ ଆକାଶ ପଛରେ କେତେ ମା'ର ଲୁହ, କେତେ ପୁଅର ରକ୍ତ-ଆସନ୍ତୁ ମନେ ପକାଇବା ସେଇ ଅମର କ୍ରାନ୍ତିକୁ ।
୯ ଅଗଷ୍ଟ... କ୍ୟାଲେଣ୍ଡରରେ ହୁଏତ ଏହା କେବଳ ଗୋଟିଏ ତାରିଖ । କିନ୍ତୁ ଭାରତର ଇତିହାସରେ ଏହା ସେଇ ଦିନ, ଯେଉଁଦିନ ଗୋଟିଏ ପରାଧୀନ ଜାତି ମୃତ୍ୟୁକୁ ଡରିବା ଛାଡ଼ିଦେଇଥିଲା । କେହି ଜାଣିନଥିଲେ କାଲିର ସୂର୍ଯ୍ୟ ଦେଖିବେ କି ନାହିଁ । କେହି ଜାଣିନଥିଲେ ଘରକୁ ପୁଣି ଫେରିବେ କି ନାହିଁ । ତଥାପି ଲକ୍ଷ ଲକ୍ଷ କଣ୍ଠରେ ଥିଲା ଗୋଟିଏ ଜିଦ୍ ଏ ଦେଶ ଆମର, ଏ ମାଟି ଆମର, ଏବେ ବ୍ରିଟିଶ ସରକାରକୁ ଭାରତ ଛାଡ଼ିବାକୁ ହେବ ।
ଏବେ ହୁଏତ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଅଗଷ୍ଟ କ୍ରାନ୍ତି କଣ ? କାହିଁକି ଆସିଥିଲା ଅଗଷ୍ଟ କ୍ରାନ୍ତି ? ୧୯୩୯, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜଳୁଥିଲା ପୃଥିବୀ । ଭାରତବାସୀଙ୍କ ମତ ନ ପଚାରି, ବ୍ରିଟିଶ୍ ସରକାର ଭାରତକୁ ମଧ୍ୟ ଯୁଦ୍ଧର ଅଂଶ କରିଦେଇଥିଲା । ଦେଶ ଚାହୁଁଥିଲା ସ୍ବାଧୀନତା । ବ୍ରିଟିଶ୍ ସରକାର ଚାହୁଁଥିଲା ଭାରତର ସହଯୋଗ । ୧୯୪୨ରେ ଆସିଲା କ୍ରିପ୍ସ ମିଶନ୍ । କିନ୍ତୁ ଭାରତ ଯେଉଁ ତତ୍କାଳ ସ୍ବାଧୀନତା ଦାବି କରୁଥିଲା ତାହାର ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ । ଆଉ ତା'ପରେ ଗାନ୍ଧୀଙ୍କ ମନରେ ସ୍ପଷ୍ଟ ହୋଇଗଲା ଏବେ ଅନୁରୋଧ ନୁହେଁ, ବରଂ ଶେଷ ଲଢ଼େଇ ।
୧୪ ଜୁଲାଇ ୧୯୪୨ । ୱାର୍ଧାରେ କଂଗ୍ରେସ କାର୍ଯ୍ୟକାରିଣୀ ବ୍ରିଟିଶ୍ ଶାସନର ତତ୍କାଳ ଅବସାନ ପାଇଁ ପ୍ରସ୍ତାବ ଗ୍ରହଣ କଲା । ଆଉ ୮ ଅଗଷ୍ଟ ବମ୍ବେର ଗୱାଲିଆ ଟ୍ୟାଙ୍କ ମଇଦାନ । ଆଜି ଯାହାକୁ ଦେଶ ଯାହାକୁ ଅଗଷ୍ଟ କ୍ରାନ୍ତି ମଇଦାନ ଭାବେ ଜାଣେ । ସେଠାରେ ଗ୍ରହଣ ହେଲା ଐତିହାସିକ ଭାରତ ଛାଡ଼ ପ୍ରସ୍ତାବ । ଆଉ ଦେଶବାସୀଙ୍କୁ ମହାତ୍ମା ଗାନ୍ଧୀ ଦେଲେ ମାତ୍ର ତିନିଟି ଶବ୍ଦର ମନ୍ତ୍ର କର ବା ମର । ଏହା କୌଣସି ମୃତ୍ୟୁର ଆହ୍ବାନ ନଥିଲା । ଏହା ଥିଲା ସ୍ବାଧୀନତା ପାଇଁ ସବୁକିଛି ଉତ୍ସର୍ଗ କରିଦେବାର ସଂକଳ୍ପ । ଆଉ ଏକ ରୋଚକ ଇତିହାସ-“Quit India” ବା “ଭାରତ ଛାଡ଼” ନାରାଟିକୁ ଶବ୍ଦରୂପ ଦେଇଥିଲେ ସ୍ବାଧୀନତା ସଂଗ୍ରାମୀ ୟୁସୁଫ୍ ମେହେର ଅଲି ।
କିନ୍ତୁ ସକାଳ ହେବା ପୂର୍ବରୁ ବ୍ରିଟିଶ୍ ସରକାର ଆଘାତ କଲା । ୯ ଅଗଷ୍ଟରେ ଗାନ୍ଧୀଙ୍କ ସହ କଂଗ୍ରେସର ପ୍ରମୁଖ ନେତାଙ୍କୁ ଗିରଫ କରାଗଲା । ଗାନ୍ଧୀଙ୍କୁ ବନ୍ଦୀ କରାଗଲା ଆଗା ଖାଁ ପ୍ୟାଲେସରେ । ବ୍ରିଟିଶ୍ ଭାବିଥିଲେ ନେତାଙ୍କୁ ଜେଲ୍ରେ ଭରିଦେଲେ ଆନ୍ଦୋଳନ ମରିଯିବ । କିନ୍ତୁ ସେମାନେ ଭୁଲିଯାଇଥିଲେ ସେତେବେଳକୁ ପ୍ରତ୍ୟେକ ଭାରତୀୟ ନିଜେ ନିଜର ନେତା ହୋଇସାରିଥିଲା ।
ଛାତ୍ର ପଢ଼ା ଛାଡ଼ିଲା, ଶ୍ରମିକ କାମ ଛାଡ଼ିଲା, ଚାଷୀ ଘରୁ ବାହାରିଲା, ନାରୀ ଘରର ଚାରିକାନ୍ଥ ଭାଙ୍ଗି ରାସ୍ତାକୁ ଓହ୍ଲାଇଲା। ଅରୁଣା ଆସଫ୍ ଅଲି ପତାକା ଉଡ଼ାଇଲେ। ଉଷା ମେହେଟ୍ଟା ଗୁପ୍ତ ରେଡିଓ ମାଧ୍ୟମରେ ବିଦ୍ରୋହର ସ୍ବରକୁ ଜୀବନ୍ତ ରଖିଲେ। ସତାରା, ବଲିଆ, ତାମଲୁକ୍ ଭଳି ଅଞ୍ଚଳରେ ସମାନ୍ତରାଳ ଶାସନ ପର୍ଯ୍ୟନ୍ତ ଗଢ଼ିଉଠିଲା।
ଆଉ ସେ କ୍ରାନ୍ତିର ନିଆଁରୁ ବାଦ୍ ପଡ଼ିନଥିଲା ଓଡ଼ିଶା । ବାଲେଶ୍ବରରୁ କୋରାପୁଟ, କଟକରୁ ବରୀ, ଗାଁରୁ ସହର, ଛାତ୍ରଙ୍କ ଠାରୁ ଆରମ୍ଭ କର ଆଦିବାସୀ ସମାଜ । ସବୁଠି ଉଠିଥିଲା ସ୍ବାଧୀନତାର ସ୍ବର । କଟକର ଛାତ୍ରମାନେ ଆନ୍ଦୋଳନରେ ଓହ୍ଲାଇଥିଲେ । ତାଳଚେରରେ ଏମିତି ପରିସ୍ଥିତି ହୋଇଥିଲା ଯେ, ଲୋକେ ନିଜସ୍ବ ‘ଜାତୀୟ ସରକାର’ ଗଢ଼ିବା ପର୍ଯ୍ୟନ୍ତ ପହଞ୍ଚିଥିଲେ । ଆଉ କୋରାପୁଟ-ମାଲକାନଗିରି ମାଟିରୁ ବାହାରିଥିଲେ ଆଦିବାସୀ ବୀର ସହିଦ ଲକ୍ଷ୍ମଣ ନାଏକ । ମାଥିଲିରେ ତାଙ୍କ ନେତୃତ୍ବରେ ଉଠିଥିଲା ବିଦ୍ରୋହର ସ୍ଵର ।
ପୋଲିସ୍ ଗୁଳି ଚାଲିଲା, ଜୀବନ ଗଲା । ଲକ୍ଷ୍ମଣ ନାଏକଙ୍କୁ ଗିରଫ କରାଗଲା । ୨୯ ମାର୍ଚ୍ଚ ୧୯୪୩ରେ ବ୍ରହ୍ମପୁର ଜେଲ୍ର ଫାଶୀ ଖୁଣ୍ଟରେ ଝୁଲିଗଲା ତାଙ୍କ ଶରୀର । କିନ୍ତୁ ଝୁଲି ପାରିଲା ନାହିଁ ସ୍ବାଧୀନତାର ସ୍ଵପ୍ନ । ଆଉ ୨୮ ସେପ୍ଟେମ୍ବରରେ ଇରମ ମାଟି ମଧ୍ୟ ଭିଜିଥିଲା ନିରସ୍ତ୍ର ଦେଶପ୍ରେମୀଙ୍କ ରକ୍ତରେ । ଓଡ଼ିଶାର ସେଇ ମାଟିକୁ ଇତିହାସ ମନେ ରଖିଛି ଜାଲିଆନାୱାଲାବାଗ ପରବର୍ତ୍ତୀ ଭୟଙ୍କର ଗଣଗୁଳିକାଣ୍ଡମାନଙ୍କ ମଧ୍ୟରୁ ଗୋଟିଏ ଭାବେ ।
୧୯୪୨ରେ ସ୍ବାଧୀନତା ଆସିନଥିଲା । ତା'ପରେ ବି ଆହୁରି ପାଞ୍ଚ ବର୍ଷ ଅପେକ୍ଷା କରିଥିଲା ଭାରତ । କିନ୍ତୁ ଅଗଷ୍ଟ କ୍ରାନ୍ତି ଗୋଟିଏ କଥା ସ୍ପଷ୍ଟ କରିଦେଇଥିଲା ଭାରତକୁ ଆଉ ଅଧିକ ଦିନ ପରାଧୀନ କରି ରଖିବା ସମ୍ଭବ ନୁହେଁ । ସେଥିପାଇଁ ୯ ଅଗଷ୍ଟକୁ ଆମେ ମନେ ରଖୁଛୁ କ୍ରାନ୍ତି ଦିବସ ଭାବେ ସେଇ ଜାତୀୟ ବିଦ୍ରୋହର ସ୍ମୃତିରେ । କ୍ରାନ୍ତି ଦିବସ କେବଳ ଇତିହାସକୁ ମନେ ପକାଇବାର ଦିନ ନୁହେଁ । ଏହା ମନେ ପକାଇବାର ଦିନ ଆମ ସ୍ବାଧୀନତା ଆମକୁ ମାଗଣାରେ ମିଳିନାହିଁ ।
📱 Get Argus News App
✨Related Topics
Explore more stories