Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱସ୍ତରୀୟ ହେବ ବିମାନ ଚଳାଚଳ ଭିତ୍ତିଭୂମି; ୧୫ ଜିଲ୍ଲାରେ ହେଲିପୋର୍ଟ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଶ୍ୱସ୍ତରୀୟ ହେବ ବିମାନ ଚଳାଚଳ ଭିତ୍ତିଭୂମି; ୧୫ ଜିଲ୍ଲାରେ ହେଲିପୋର୍ଟ

ପାରାଦୀପରେ ହେବ ନୂଆ ଏୟାରପୋର୍ଟ । ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ ବିଶ୍ଵସ୍ତରୀୟ କରାଯିବ । ପୁରୀ ବିମାନବନ୍ଦର ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟ ତ୍ଵରାନ୍ଵିତ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଲୋକସେବା ଭବନରେ "ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା" ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ବୈଠକରେ ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ସମେତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର (SJIA) ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିବା ବେଳେ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ, ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏଥିସହିତ ରାଜ୍ୟର ୧୫ ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ଏବଂ ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (BPAC)ର ବିକାଶ ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଛି । ନୋଡାଲ ଏଜେନ୍ସି ଭାବରେ ଏହି ବିକାଶ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବିମାନବନ୍ଦର, ହେଲିପ୍ୟାଡ ଏବଂ ଡ୍ରୋନ ହବ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏଥିସହିତ ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ବିମାନବନ୍ଦର ଗୁଡିକର କାର୍ଯ୍ୟ ଦକ୍ଷତାକୁ ଆହୁରି ବିକାଶ କରିବା ଏବଂ ଏହାର ଆଧୁନିକୀକରଣ କରିବା ବିଷୟରେ ସେ ଗୁରୁତ୍ୱାରୋପ କରାଯାଇଛି ।

ରାଷ୍ଟ୍ରାୟତ୍ତ ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ, ବିମାନ ସଂଯୋଗ ବୃଦ୍ଧି, ବିମାନ ଚଳାଚଳ ୟୁନିଟର ଦକ୍ଷତା ବୃଦ୍ଧି ସହିତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରାଯିବ । ଏଥିପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ମାନବ ସମ୍ବଳର ପ୍ରସ୍ତାବ ସହିତ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପୁନର୍ଗଠନ ବିଷୟରେ ଆଲୋଚନା ହୋଇଛି ।

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଇପିକଲର ଏମଡି ଭୂପିନ୍ଦର ସିଂ ପୁନିଆ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ, ଡାଇରେକ୍ଟର ସିଭିଲ ଆଭିଏସନ ଦେବଦତ୍ତା ସୁରଞ୍ଜିତା ଜେନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଅତିରିକ୍ତ ସଚିବ ସରୋଜ କୁମାର ରାଉତ, କବିତା ଶତପଥୀ, ସଦାଶିବ ପଣ୍ଡା, ଉପ ସଚିବ କଳ୍ପତରୁ ରାଉତରାୟ, ସଞ୍ଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aviation-infrastructure-to-be-world-class-heliports-in-15-districts | Argus News