ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ଏପ୍ରିଲ ୧୧ ତାରିଖରୁ ଓଡିଶାରେ ଲାଗୁ ହେବ ଆୟୁଷ୍ମାନ୍ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ। ସାଢେ ୩ କୋଟି ଲୋକଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଦିଆଯିବ ।
କାର୍ଯ୍ୟକ୍ରମରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂଦେଓ , ପ୍ରଭାତୀ ପରିଡା ଏବଂ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଶୁଭାରମ୍ଭ ଦିନ ୧୪୦୫ ପ୍ରାଥମିକ ଚିକିତ୍ସାଳୟରେ ଏହି କାର୍ଡ ବଣ୍ଟନ କରାଯିବ। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ। ୧୩ ଜିଲ୍ଲାରେ ମନ୍ତ୍ରୀ ମାନଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହେବ। କେନ୍ଦ୍ରାପଡାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡରେ ସୁରେଶ ପୂଜାରୀ , ନବରଙ୍ଗପୁରରେ ରବି ନାରାୟଣ ନାଏକ , ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଆୟୁଷ୍ମାନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉପର ବାଲିଯାତ୍ରା ପଡ଼ିଆରେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟ୍ରାଫିକ , ପାର୍କିଂ, ଜଳ ଯୋଗାଣ , ବିଦ୍ୟୁତ ସଂଯୋଗୀକରଣ ଦିଗ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୧୪୦୫ ପିଏଚ୍ସିରେ ଏହାର ସିଧା ପ୍ରସାରଣ କରାଯିବ। ଆସନ୍ତା ୧୧ ତାରିଖରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେବା ପାଇଁ ସୂଚନା ରହିଥିଲା। କିନ୍ତୁ ସମୟ ଓ ତାରିଖ ସମ୍ପର୍କରେ ବିଧିବଦ୍ଧ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।