Bahuda Yatra / ବାହୁଡ଼ା ପାଇଁ ପ୍ରସ୍ତୁତ ପୁରୀ, ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ୱ...

Key Points
ବାହୁଡ଼ା ପାଇଁ ପ୍ରସ୍ତୁତ ପୁରୀ, ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ଗୁରୁତ୍ୱ
CCTV ନଜରରେ ବାହୁଡ଼ା ଯାତ୍ରା, ସଜାଗ ରହିବ ପ୍ରଶାସନ
ବାହୁଡ଼ା, ସୁନାବେଶ ଓ ନୀଳାଦ୍ରିବିଜେ ପାଇଁ ହାଇଆଲର୍ଟ
ବାହୁଡା ଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଭିଡ଼ ନିୟନ୍ତ୍ରଣ ଓ ସୂଚନା ସଞ୍ଚାର ଉପରେ ଗୁରୁତ୍ୱ... ପୁରୀରେ ଆସନ୍ତା ବାହୁଡା ଯାତ୍ରାକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବୈଠକରେ ସେ ଭକ୍ତମାନଙ୍କ ସୁରକ୍ଷା, ଭିଡ଼ ପରିଚାଳନା ଓ ନିରନ୍ତର ସୂଚନା ସଞ୍ଚାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ରଥଯାତ୍ରା ଠାରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ସେ ସେବାୟତ, ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ଲଗାଣ ବର୍ଷା, ଗରମ ଓ ପ୍ରତିକୂଳ ପାଗ ସତ୍ତ୍ୱେ ସମସ୍ତେ ନିଷ୍ଠା ଓ ସମର୍ପଣର ସହ ନିଜ ଦାୟିତ୍ୱ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପୁରୀରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହି ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ଼ ଓ ଆଡ଼ପ ମଣ୍ଡପ ଦର୍ଶନ ଭଳି ସମସ୍ତ ବ୍ୟବସ୍ଥାର ନିୟମିତ ତଦାରଖ କରୁଛନ୍ତି ।
ବୈଠକରେ ଭିଡ଼ର ଘନତାକୁ ବୈଜ୍ଞାନିକ ଭାବେ ଅନୁଧ୍ୟାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । CCTV ମାଧ୍ୟମରେ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ମାଧ୍ୟମରେ ତୁରନ୍ତ ସମସ୍ୟାଗ୍ରସ୍ତ ସ୍ଥାନକୁ ପହଞ୍ଚାଇ ସମାଧାନ କରିବାକୁ କୁହାଯାଇଛି ।
ଆଗାମୀ ଦିନରେ ବାହୁଡା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ସମସ୍ତ ନୀତିକାନ୍ତି ଯେପରି ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମ୍ପନ୍ନ ହୁଏ, ସେଥିପାଇଁ ସମସ୍ତ ବିଭାଗକୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତେ ବାହୁଡା ଓ ସୁନାବେଶର ସୁଚାରୁ ପରିଚାଳନା ପାଇଁ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
📱 Get Argus News App
✨Related Topics
Explore more stories