Videos
|
Odisha

Flood Update / ବୈତରଣୀ ବନ୍ୟାରେ ବଢ଼ିଲା ଭୟ, ୧୦୦ରୁ ଅଧିକ ପରିବାର ଜଳବନ୍ଦୀ

Rashmita Mishra
Browse all articles by Rashmita Mishra
·1 hour ago·2 min read
ବୈତରଣୀ ବନ୍ୟାରେ ବଢ଼ିଲା ଭୟ, ୧୦୦ରୁ ଅଧିକ ପରିବାର ଜଳବନ୍ଦୀ
Flood Update

Key Points

ପୁଣି ଡରାଇଲା ବୈତରଣୀ ବନ୍ୟା, ଘାଇ ମରାମତି ସ୍ଥାନ ଉପରେ ୩ ଫୁଟ୍‌ ପାଣି
ବୈତରଣୀରେ ତୃତୀୟ ବନ୍ୟା, ପୁଣି ଗାଁକୁ ପାଣି ପଶିବା ଆଶଙ୍କା
ବୈତରଣୀ ବନ୍ୟାରେ ବଢ଼ିଲା ଭୟ, ୧୦୦ରୁ ଅଧିକ ପରିବାର ଜଳବନ୍ଦୀ
ବନ୍ୟା ପରେ ଲଗାଣ ବର୍ଷା ଦାଉ, ତଳିଆ ଅଞ୍ଚଳରେ ଜଳବନ୍ଦୀ ଦୁର୍ଦ୍ଦଶା 

ପୁଣି ଡରାଇଲାଣି ବୈତରଣୀ ବନ୍ୟା... ଘାଇ ମରାମତି ହୋଇଥିବା ସ୍ଥାନରେ ଏବେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପୁଣି ଗାଁ ଭିତରକୁ ବନ୍ୟାପାଣି ମାଡ଼ି ଆସିବା ଆଶଙ୍କା ଦେଖାଦେଇଛି । ଏପଟେ ବନ୍ୟା ବିପନ୍ନ ଲୋକେ ଏଯାଏଁ ଘରକୁ ଫେରି ନଥିବା ବେଳେ, ପୁଣି ଲଘୁଚାପ ଜନିତ ବର୍ଷା ଓ ବନ୍ୟା ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ଗତ ଜୁଲାଇ ୨୯ରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ତରପଦା ପଞ୍ଚାୟତ ଅଧୀନ ଡୋଭାବିଲ-ପାଟଣା ନିକଟରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ଘାଇ ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶି ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା । ପରେ ଘାଇ ମରାମତି କରାଯାଇଥିଲେ ମଧ୍ୟ ଏବେ ପୁଣି ବୈତରଣୀରେ ତୃତୀୟ ବନ୍ୟା ଆସିବା ପରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ଘାଇ ମରାମତି କରାଯାଇଥିବା ସ୍ଥାନର ଉଚ୍ଚତାଠାରୁ ପ୍ରାୟ ୩ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ପୁଣି ଭୟ ସୃଷ୍ଟି ହୋଇଛି । ପୁଣି ବନ୍ୟାଜଳ ଗାଁ ଭିତରକୁ ପଶିଲେ ସ୍ଥିତି ଆହୁରି ଭୟାବହ ହେବା ଆଶଙ୍କା ରହିଛି ।

ଧୀରେ ଧୀରେ ହ୍ରାସ ପାଉଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳ ସ୍ତର । ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୮.୦୭ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ରାଜଘାଟ ଠାରେ ସାଳନ୍ଦୀ ନଦୀର ବିପଦ ସଂକେତ ୧୭ ଫୁଟ ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୬ ଫୁଟରେ ପ୍ରବାହିତ ହେଉଛି ବନ୍ୟା ଜଳ । ବନ୍ୟାଜଳ ହ୍ରାସ ପାଇବା ସତ୍ତ୍ବେ ତଳିଆ ଅଞ୍ଚଳରେ ଏବେ ବି ଦୂର ହୋଇନି ଜଳବନ୍ଦୀ ସମସ୍ୟା ।

ବନ୍ୟା ପରେ ଏବେ ଦାଉ ସାଜିଛି ଲଗାଣ ବର୍ଷା । ଫଳରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ଏବେ ଜଳବନ୍ଦୀ ଘେରରେ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ଦାଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରୁ ସାମ୍ନାକୁ ଆସିଛି ଦୟନୀୟ ଚିତ୍ର । ଲଗାଣ ବର୍ଷା କାରଣରୁ ବଡ଼ଚଣା ବ୍ଲକର ଚାରି ଗୋଟି ପଞ୍ଚାୟତ ଏବେ ଜଳମଗ୍ନ। ଜଗନ୍ନାଥପୁର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: