ଖରା ଦିନେ ପାଣି ପାଇଁ ଘାଣ୍ଟି ହେଉଛି ବଣ୍ଡା ମଣିଷ

ଖରା ଏତେ ହେଉଛି ଯେ ମୁଣ୍ଡ ଝାଇଁ ମାରି ଯାଉଛି । ଟୋପାଏ ଜଳ ହିଁ ଜୀବନ ବଞ୍ଚାଇଛି । ଆଉ ଏଠି ସେଇ ଜଳ ବୁନ୍ଦାଏ ଲାଗି ବର୍ଷ ବର୍ଷ ଧରି ସଂଘର୍ଷ ଚାଲିଛି । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି କଥା । ଆପଣ ବିଶ୍ବାସ କରିବେନି ଯେଉଁ ପାଣିରେ ଆମେ ଶୌଚ କରିବାକୁ ମନେ କରିବାନି। ସେଇ ପାଣିରେ ଏମାନେ ଜୀବନ ଧାରଣ କରୁଛନ୍ତି। ଆଉ ଏ ଦିନେ କି ଦୁଇ ଦିନ କଥା ନୁହେଁ ବର୍ଷ ବର୍ଷର ସମସ୍ୟା । ଖଇରପୁଟ ବ୍ଲକର ବଣ୍ଡାଘାଟିର ହଣ୍ଡରାହାଲ ଓ ମୁଦୁଲିପଡା ପଞ୍ଚାୟତରେ ରହିଛି ମୋଟ ୩୨ ଗାଁ । ସରକାରୀ ରେକର୍ଡରେ ଘାଟିରେ ମାତ୍ର ୬୦ରୁ ୭୦ଟି ନଳକୂପ ରହିଛି ।
ସେଥିମଧ୍ୟରୁ କିଛି ଅଚଳ ଏବଂ ଆଉ କିଛିରେ ବାହାରୁଛି ଗୋଳିଆ ପାଣି ଯାହାକି ବ୍ୟବହାର ଯୋଗ୍ୟ ନୁହେଁ । ଏମିତି ସ୍ଥିତିରେ ବାଧ୍ୟ ହୋଇ ଝରଣା, ଚୁଆ ଉପରେ ନିର୍ଭର ବଣ୍ଡାଘାଟିବାସୀ । ଗୋଟିଏ ଚୁଆରେ ଗାଈ ଗୋରୁଙ୍କଠୁ ଛେଳି, ମେଣ୍ଢା, କୁକୁର, ଘୁଷୁରି ସହ ମଣିଷ ପର୍ଯ୍ୟସ୍ତ ସମସ୍ତେ ପିଉଛନ୍ତି ପାଣି । ବସୁଧା ଯୋଜନାରେ ଘରେ ଘରେ ପାଣିର ପ୍ରତିଶ୍ରୁତି ଦେଇଥିବା ଗତ ବିଜେଡି ସରକାର ଗରିବ ଜନଜାତି ବଣ୍ଡା ଘାଟିରେ ପାଣି ଟାଙ୍କି ଦେବାକୁ ଭୁଲିଗଲା ।
📱 Get Argus News App
✨ଏପରିକି ଖନନ ହୋଇଥିବା ନଳକୂପ ବି ପାଣି ଆବଶ୍ୟକତାକୁ ପୂରଣ କରିପାରୁନି । ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ପଡୁଥିବା କହିଛନ୍ତି ବଣ୍ଡାଘାଟି ବାସିନ୍ଦା। ଜଳ ସମସ୍ୟା ପ୍ରତି ପ୍ରଶାସନର ମଧ୍ୟ ଆଜି ଯାଏଁ ନଜର ପଡିନାହିଁ ।ଜଳ ଯନ୍ତ୍ରଣାରେ ବର୍ଷ ବର୍ଷ ଧରି କଷ୍ଟ ପାଉଥିବା ବଣ୍ଡା ଘାଟି ବାସିନ୍ଦାଙ୍କ ଉପରେ କେବେ ପଡିବ ସରକାରଙ୍କ ନଜର ।