Vande Mataram / ବନ୍ଦେ ମାତରମ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାଣନ୍ତୁ...

Key Points
ରାଜ୍ୟର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ବୋଲାଯିବ। ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ଗତକାଲି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବନ୍ଦେ ମାତରମ୍ କେବଳ ଜାତୀୟତାବାଦ ସଙ୍ଗୀତ ନୁହେଁ, ଏହା ଦେଶମାତୃକାର ବନ୍ଦନା । ବନ୍ଦେ ମାତରମ୍ ହେଉଛି ଦେଶର ପ୍ରଥମ ବୈପ୍ଳବିକ ସ୍ଲୋଗାନ୍ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିଶ ଶାସକମାନେ ବନ୍ଦେ ମାତରମ୍କୁ ବ୍ୟାନ କରିଥିଲେ। ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ । କେଉଁ ଭାଷା, କେଉଁ ଧର୍ମ ବା କେଉଁ ଅଞ୍ଚଳର ହେଲେ ବି, ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ । ବନ୍ଦେ ମାତରମ ହୃଦୟରେ ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ । ଯୁବପୀଢ଼ିଙ୍କ ସହ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହା ବର୍ଷବ୍ୟାପୀ ପାଳନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ତେବେ ଚଳିତ ବର୍ଷ ୭ ନଭେମ୍ବର ୨୦୨୫ ତାରିଖରେ ଭାରତର ଜାତୀୟ ଗୀତ ବନ୍ଦେ ମାତରମକୁ ୧୫୦ ବର୍ଷ ପୂରଣ ହେଉଛି। ଏହି ଗୀତର ଅର୍ଥ ହେଉଛି ମା’ଙ୍କ ବନ୍ଦନା। ଏହି ଗୀତ ଅଗଣିତ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ର ନିର୍ମାତାଙ୍କ ପିଢ଼ିକୁ ଅନୁପ୍ରାଣିତ କରିବା ସହିତ ଭାରତର ଜାତୀୟ ପରିଚୟ ଏବଂ ସାମୂହିକ ଭାବନାରେ ପରିଣତ ହୋଇଛି। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତ ୭ ନଭେମ୍ବର ୧୮୭୫ରେ ପ୍ରଥମ ଥର ପାଇଁ ବଙ୍ଗଦର୍ଶନ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ପରେ ୧୮୮୨ରେ ପ୍ରକାଶିତ ନିଜ ଉପନ୍ୟାସ ‘ଆନନ୍ଦମଠ’ରେ ଶ୍ରୀ ଚାଟାର୍ଜୀ ଏହାକୁ ବ୍ୟବହାର କରିଥିଲେ। ରବୀନ୍ଦ୍ର ନାଥ ଠାକୁର ଏହି ଗୀତକୁ ସ୍ୱର ଦେଇଥିଲେ। ଏହା ଅନେକ ବର୍ଷ ଧରି ଭାରତର ସଭ୍ୟତାଗତ, ରାଜନୈତିକ ଏବଂ ସାଂସ୍କୃତିକ ଚେତନାର ଅଭିନ୍ନ ଅଙ୍ଗ ହୋଇଆସିଛି।
ବନ୍ଦେ ମାତରମ୍ର ଇତିହାସ ସାହିତ୍ୟ, ଜାତୀୟତାବାଦ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ଯୋଡ଼ିଆସିଛି । ୧୬ ଏପ୍ରିଲ ୧୯୦୭ରେ ଇଂରାଜୀ ଦୈନିକ ବନ୍ଦେ ମାତରମରେ ଶ୍ରୀ ଅରବିନ୍ଦ ଏହି ଗୀତର ଗୋଟିଏ ଅଂଶକୁ ପ୍ରକାଶ କରିଥିଲେ। ଏଥିରେ ସେ ଗୀତର ରଚନା ଏବଂ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ। ୧୯୦୭ରେ ମାଡାମ୍ ଭିକାଜୀ କାମ ପ୍ରଥମ ଥର ପାଇଁ ଭାରତ ବାହାରେ ବର୍ଲିନରେ ଉତ୍ତୋଳନ କରିଥିବା ତ୍ରିରଙ୍ଗାରେ ବନ୍ଦେ ମାତରମ୍ ଲେଖାକୁ ସ୍ଥାନ ଦେଇଥିଲେ।
ବନ୍ଦେ ମାତରମ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ (1838–1894) ଉନବିଂଶ ଶତାବ୍ଦୀର ବଙ୍ଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ସେ ଜଣେ ଔପନ୍ୟାସିକ, କବି ଏବଂ ପ୍ରାବନ୍ଧିକ ରୂପେ ବଙ୍ଗୀୟ ବୌଦ୍ଧିକ ଏବଂ ସାହିତ୍ୟିକ ଇତିହାସରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଯାଇଛନ୍ତି। ତାଙ୍କର ଯୋଗଦାନ ଭାରତୀୟ ଜାତୀୟବାଦର ଉଦ୍ରେକକୁ ପ୍ରଭାବିତ କରିଥିଲା।
ଅକ୍ଟୋବର ୧୯୦୫ରେ ଉତ୍ତର କଲିକତାରେ ବନ୍ଦେ ମାତରମ ସମ୍ପ୍ରଦାୟ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମାତୃଭୂମିକୁ ଏକ ଲକ୍ଷ୍ୟ ଏବଂ ଧାର୍ମିକ ଉତ୍ସାହ ରୂପେ ପ୍ରୋତ୍ସାହିତ କରିବା। ଏହାର ସଦସ୍ୟମାନେ ପ୍ରତ୍ୟେକ ଦିନ ପ୍ରଭାତ ଫେରୀ ସମୟରେ ବନ୍ଦେ ମାତରମ ଗୀତ ଗାଉଥିଲେ। ଏହି ପ୍ରଭାତ ଫେରୀରେ ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବେଳେବେଳେ ଯୋଗ ଦେଉଥିଲେ।
📱 Get Argus News App
✨Related Topics
Explore more stories