ବାରବାଟୀ ଷ୍ଟାଡିୟମ ନବୀକରଣ ବିବାଦ,ମିଛ କହିଲେ ସୁବାସ ସିଂ

ଅର୍ଗସ ବ୍ୟୁରୋ:ବାରବାଟୀ ଷ୍ଟାଡିୟମ ନବୀକରଣ ନେଇ ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଲେ କଟକ ମେୟର ସୁବାସ ସିଂ।ବାରବାଟୀ ଷ୍ଟାଡିୟମ ନବୀକରଣ ନେଇ ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ମେୟର। ଷ୍ଟାଡିୟମ ନବୀକରଣ ପାଇଁ ପୂର୍ବତନ ସରକାର ୭ଶହ କୋଟି ଟଙ୍କା ବ୍ୟୟ ବରାଦ କରିନାହାନ୍ତି କି, ବଜେଟରେ ଏମିତି କିଛି ବ୍ୟୟବରାଦ ହୋଇ ନାହିଁ। ନା ତିଆରି ହୋଇଛି ଡିପିଆର, ନା ହୋଇଛି କୌଣସି ଏମଓୟୁ। ୨୦୨୪ ନିର୍ବାଚନରେ ସରକାରକୁ ଆସିଲେ ଷ୍ଟାଡିୟମ ନବୀକରଣ କରାଯିବ ବୋଲି କେବଳ ଘୋଷଣା କରିଥିଲେ ବିଜେଡି ସରକାର । କେବଳ କ୍ରିକେଟ ଏକାଡେମୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ସତ୍ତ୍ଵେ ପୁଣି ଥରେ ସାମ୍ବାଦିକ ସମ୍ମିଳନୀରେ କଟକ ବାସୀଙ୍କୁ ମିଛ କହିଛନ୍ତି ମେୟର ସୁବାସ ସିଂ।
ସେପଟେ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।
ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ତତ୍କାଳୀନ ସରକାରଙ୍କ ସହ କୌଣସି ଚୁକ୍ତି ହୋଇନଥିଲା କିମ୍ବା ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇନାହିଁ ବୋଲି ସ୍ପଷ୍ଟୀକରଣ ଦେଇ ସାରିଛନ୍ତି ସଞ୍ଜୟ ବେହେରା। ଅନ୍ୟପଟେ ସୁବାସଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ। ସମୀର କହିଛନ୍ତି ମେୟରଙ୍କୁ ସିଏମସି କଥା ଚିନ୍ତା କରିବା କଥା। ସେ ସହରର ସମସ୍ୟା କଥା ନ ବୁଝି ବାରବାଟୀ ଷ୍ଟାଡିୟମରେ ରାଜନୀତି କାହିଁକି କରୁଛନ୍ତି? ବୋଲି କଟାକ୍ଷ କରିଛନ୍ତି ସମୀର।
ସେ କ୍ରୀଡାବିତ ନୁହଁନ୍ତି ନା ଖେଳ ସହ ତାଙ୍କର କୌଣସି ସମ୍ପର୍କ ଅଛି। ସେ କୌଣସି ଆସୋସିଏସନରେ ମଧ୍ୟ ନାହାଁନ୍ତି। ଏମିତି କି ତାଙ୍କୁ ଷ୍ଟାଡିୟମ ରେ ଆମେ କେବେ ଦେଖିନାହୁଁ। ସେ ଏକଥା ରେ ମୁଣ୍ଡ ପୁରାନ୍ତୁ ନାହିଁ ବୋଲି କହିଛନ୍ତି ସମୀର।ବାରବାଟୀ ଷ୍ଟାଡିୟମ କୁ ନେଇ ପୂର୍ବ ସରକାର କଟକ ଲୋକଙ୍କ ଇମୋସନ ସହ ଖେଳିଛନ୍ତି ଏବଂ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏଭଳି ଏକ ମିଛ ପ୍ରଚାର କରିଥିଲେ ବୋଲି କହିଛନ୍ତି ସମୀର ଦେ