Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Relationship Betrayal / 'ହାତଧରି ଅନ୍ଧାରରେ ଛାଡ଼ିଦେଲା ସ୍ଵାମୀ': ଦୃଷ୍ଟିଶକ୍ତି ହରାଇବାରୁ ଦ୍ଵିତୀୟ ବିବାହ ପାଇଁ ଯୋଜନା

Sushanta Sahoo
Browse all articles by Sushanta Sahoo
·10 months ago·2 min read
'ହାତଧରି ଅନ୍ଧାରରେ ଛାଡ଼ିଦେଲା ସ୍ଵାମୀ': ଦୃଷ୍ଟିଶକ୍ତି ହରାଇବାରୁ ଦ୍ଵିତୀୟ ବିବାହ ପାଇଁ ଯୋଜନା

Key Points

ଖାଲି ସ୍ତ୍ରୀର ହାତ ଛାଡ଼ି ଦେଇନାହିଁ ବରଂ ଆଖି ଚାଲି ଯାଇଥିବାରୁ ସ୍ଵାମୀର ମନ ବି ବଦଳି ଯାଇଛି । ସିଆରପିଏଫ୍ ଯବାନ ଥିବା ସ୍ଵାମୀ ଜଣଙ୍କ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ପତ୍ନୀ ।

ବାରିପଦା: ବାଇକ୍‌ରେ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଆଖି ହରାଇଲେ ସ୍ତ୍ରୀ । ଆଉ ସ୍ତ୍ରୀର ଏହି ଅସହାୟ ଅବସ୍ଥାରେ ହାତ ଛାଡ଼ି ଦେଇଛି ଯବାନ ସ୍ଵାମୀ । ଖାଲି ସ୍ତ୍ରୀର ହାତ ଛାଡ଼ି ଦେଇନାହିଁ ବରଂ ଆଖି ଚାଲି ଯାଇଥିବାରୁ ସ୍ଵାମୀର ମନ ବି ବଦଳି ଯାଇଛି । ସିଆରପିଏଫ୍ ଯବାନ ଥିବା ସ୍ଵାମୀ ଜଣଙ୍କ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ପତ୍ନୀ । ନ୍ୟାୟ ଆଶାରେ ହତଭାଗିନୀ ସ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ।


ଅଭିଯୋଗକାରିଣୀ ସୀତାମଣି ମାଣ୍ଡ୍ରିଙ୍କ ଅନୁସାରେ, 'ସେ ଭଲ ପାଇ ଖୁଣ୍ଟା ବ୍ଲକ ବଡ଼ଡାଳିଆ ଗାଁର ଗୁମୁଦା ହାଁସଦାଙ୍କୁ ୨୦୧୮ ନଭେମ୍ବର ୨୫ରେ ବିବାହ କରିଥିଲେ । ପ୍ରଥମେ ହସଖୁସିରେ ସଂସାର ଚାଲିଥିଲା । ଦୁହିଁଙ୍କ ମନ ମିଶିଥିବା ବେଳେ ସାତଜନମର ସାଥୀ ହୋଇ ରହିବାକୁ କଥା ବି ଦେଇଥିଲେ ।' କିନ୍ତୁ ୨୦୨୪ ସେପ୍ଟେମ୍ବର ୪ ତାରିଖରେ ସୀତାମଣି ଓ ଗୁମୁଦା ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲି ଯାଇଥିଲା ସୀତାମଣିଙ୍କ ଦୃଷ୍ଟିଶକ୍ତି । ଆଉ ଗୁମୁଦା ବି ଗୁରୁତର ଆହତ ହୋଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୀତାମଣିଙ୍କ କହିବା କଥା, 'ଇତିମଧ୍ୟରେ ଗୁମୁଦା ପୁରା ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିଲେଣି । କିନ୍ତୁ ଆଖି ଚାଲିଯାଇଥିବାରୁ ମୋତେ ନେଉ ନାହାନ୍ତି କି ମୋର ଯତ୍ନ ନେଉ ନାହାନ୍ତି । ମେଡିକାଲ୍‌ରୁ ଫେରିବା ଦିନ ଠାରୁ ମୁଁ ମୋ ବାପଘରେ ରହୁଛି । ସ୍ଵାମୀ କହୁଛନ୍ତି, ତୁମେ କେଉଁ କୂଳର ହୋଇ ପାରିବ ନାହିଁ । ନା ଘର ସଂସାର କରି ପାରିବ ନା କିଛି କାମ କରିପାରିବ ।'


ଦୁର୍ଘଟଣା ପର ଠାରୁ ସୀତାମଣି ତାଙ୍କ ବାପ ଘର ବଡ଼ଡାଳିଆ ଗାଁରେ ରହୁଛନ୍ତି । ଦୁର୍ଘଟଣା ପରେ ଦୃଷ୍ଟିଶକ୍ତି ହରାଇଥିବା ସୀତାମଣି ଏବେ ଭଲରେ ଖାଇ ବି ପାରୁ ନାହାନ୍ତି । ଜୀବନର ସବୁ ଆଶା ଭରସା ଭାବି ଯାହା ହାତ ଧରିଥିଲେ ଦୁର୍ଘଟଣାରେ ଆଖି ଚାଲିଯିବାରୁ ସେ ହାତ ଛାଡ଼ି ଦେଇଛି । ଆଉ ପରିଣତ ବୟସରେ ଏବେ ହତଭାଗିନୀ ଝିଅର ଆଶ୍ରା ପାଲଟିଛନ୍ତି ବାପାମାଆ । ସେପଟେ ବାପାମାଆଙ୍କ କାନ୍ଧରେ ସାନ ଭଉଣୀର ବାହାଘର ବୋଝ ରହିଥିବା ବେଳେ ଏବେ ବଡ଼ ଝିଅ ଆଖି ହରାଇ ଘରେ ରହିଛି ।


ଏବେ ସୀତାମଣିଙ୍କୁ ନ୍ୟାୟ ଆଶାରେ ସପରିବାର ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଦୁଇ ଆଖି ହରାଇଥିବା ସୀତାମଣିଙ୍କୁ ସାହାରା ଲୋଡ଼ା ଥିବାବେଳେ ସ୍ଵାମୀ ବେସାହାରା କରି ଛାଡ଼ି ଦେଇଛି । ସୀତାମଣିଙ୍କ ଅଭିଯୋଗ ଏବେ ସ୍ଵାମୀ ଗୁମୁଦା ଦ୍ଵିତୀୟ ବିବାହ କରିବା ଲାଗି ସଜବାଜ ହେଉଛନ୍ତି । ସୀତାମଣିଙ୍କ ଅଭିଯୋଗ ନେଇ ଗୁମୁଦାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Related Topics

Explore more stories

Sponsored