Cyclone Alert / ପୁଣି ଡରାଇଲା ମେ' ମାସ: ବଙ୍ଗୋପସାଗରରେ ଆସିବ କି ବାତ୍ୟା

Key Points
ବଙ୍ଗୋପସାଗରରେ ଆସିବ କି ବାତ୍ୟା ।
ପାଣିପାଗ ବିଶେଷଜ୍ଞ କହିଲେ, ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।
ପୁଣି ଡରାଇଲା ମେ ମାସ...ବଙ୍ଗୋପସାଗରରେ ଆସିବ କି ବାତ୍ୟା । ପାଣିପାଗ ବିଶେଷଜ୍ଞ କହିଲେ, ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସେପଟେ ୧୧ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ୪୮ ଘଣ୍ଟା ପାଇଁ ଭୀଷଣ ବର୍ଷା ସହ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ କେନ୍ଦ୍ର ।
ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସୂଚନା ଦେଇନାହିଁ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସର ଆକଳନ କହୁଛି, ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । କିନ୍ତୁ ବର୍ତ୍ତମାନ ବାତ୍ୟା ପାଇଁ ପାଗ ଅନୁକୂଳ ନାହିଁ ।
୧୧ ତାରିଖ ବେଳକୁ ପାଗ ଅନୁକୂଳ ହେବ । ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଅନ୍ୟପଟେ ଛତିଶଗଡ଼ରୁ ମଣିପୁର ପର୍ଯ୍ୟନ୍ତ ଏକ ଟ୍ରଫ୍ଲାଇନ୍ ଆଭ୍ୟନ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି। ଏହାର ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ବଳବତ୍ତର ରହିଛି । ୧୧ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ଜାରି ରହିବ। ଆଂଚଳିକ ପାଣିପାଗ କେନ୍ଦ୍ର ୪୮ ଘଣ୍ଟା ପାଇଁ ଭୀଷଣ ବର୍ଷା ସହ ବଜ୍ରପାତ ନେଇ ଜାରି କରିଛି ଅରେଞ୍ଜ ଆଲର୍ଟ ।
ଏଥିସହ ପଢ଼ନ୍ତୁ: ଘରୁ ବାହାରିବା ପୂର୍ବରୁ ଜାଣିନିଅନ୍ତୁ ପାଣିପାଗ; ପୁଣି ଏହି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା
ସୁନ୍ଦରଗଡ଼,ଦେଓଗଡ଼,ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର କେନ୍ଦୁଝର,ମୟୂରଭଞ୍ଜ ଆଦି ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ବହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାକି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଆସନ୍ତାକାଲି ପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ବର୍ତ୍ତମାନ ସ୍ଥିତିରେ ବର୍ଷା ବଜ୍ରପାତ ସମୟରେ ବାହାରକୁ ନଯିବା, ଖୋଲା ଜିନିଷଗୁଡ଼ିକୁସୁରକ୍ଷିତ ରଖିବା ଏବଂ ଖୋଲା ପଡ଼ିଆ, ଗଛ ଏବଂ ଜଳାଶୟରୁ ଦୂରେଇ ରହିବାକୁ କୁହାଯାଇଛି । ସତର୍କତା ଅବଧି ମଧ୍ୟରେ କୃଷି କାର୍ଯ୍ୟ ସ୍ଥଗିତ ରଖିବାକୁ ଚାଷୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
📱 Get Argus News App
✨Related Topics
Explore more stories