Videos
|
Odisha

Heavy Rain Alert / ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୧୫ରେ ଅବପାତ ଆଶଙ୍କା… ଓଡ଼ିଶାକୁ ନାହିଁ ବର୍ଷା ଭୟ…

Ritu Das
Browse all articles by Ritu Das
·1 hour ago·2 min read
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୧୫ରେ ଅବପାତ ଆଶଙ୍କା… ଓଡ଼ିଶାକୁ ନାହିଁ ବର୍ଷା ଭୟ…
India

Key Points

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୧୫ରେ ଅବପାତ ସମ୍ଭାବନା
ନଭେମ୍ବର ୧୨ରୁ ୧୮ ଯାଏଁ ଓଡ଼ିଶାରେ ବଡ଼ ବର୍ଷା ନାହିଁ, ୧୩ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

ସିମିଳିଗୁଡ଼ାରେ ୧୧.୧ ଡିଗ୍ରୀକୁ ଖସିଲା ପାରଦ, ଧୀରେ ଧୀରେ ବଢ଼ୁଛି ଶୀତ

ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶା ବେଶୀ ପ୍ରଭାବିତ ହାଇଥିବାବେଳେ ପୁଣି ଆଣ୍ଡାମାନ ସାଗରରରେ ଆଉ ଏକ ସିଷ୍ଟମ କଥା ଶୁଣି ଲୋକଙ୍କ ମନରେ ଛନକା ପଶିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୪ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ନଭେମ୍ବର ୧୫ ତାରିଖ ବେଳକୁ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଆଗାମୀ ୭ ଦିନ ଯାଏଁ ବଡ଼ ବର୍ଷାର ସମ୍ଭାବନା ନାହିଁ। ନଭେମ୍ବର ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏହି ସମୟରେ କୌଣସି ଜିଲ୍ଲା ପାଇଁ ବର୍ଷାଜନିତ ସତର୍କ ସୂଚନା ଜାରି ହୋଇନାହିଁ।ତେବେ ଆଗାମୀ ୨୪ ଘଣ୍ଟାରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ।

ଅନ୍ୟପଟେ ରାଜ୍ୟର ୧୩ଟି ଜିଲ୍ଲାରେ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବା ସମ୍ଭାବନା ରହିଛି। କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ହୋଇପାରେ।

ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଶୀତର ପ୍ରଭାବ ମଧ୍ୟ ଧୀରେ ଧୀରେ ଅନୁଭୂତ ହେଉଛି। ନବରଙ୍ଗପୁରରେ ସର୍ବନିମ୍ନ ରାତି ତାପମାତ୍ରା ୧୩.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ଓ ଫୁଲବାଣୀରେ ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାହାଡ଼ିଆ ସହର ସିମିଳିଗୁଡ଼ାରେ ରାତି ତାପମାତ୍ରା ୧୧.୧ ଡିଗ୍ରୀକୁ ଖସିଛି।ଆଗାମୀ ୬ରୁ ୭ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ କିଛି ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏଁ ବଢ଼ିପାରେ କିମ୍ବା କମିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: