Videos
|
Odisha

Low Pressure / ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୩ରେ ନେଇପାରେ ଘୂର୍ଣ୍ଣିବଳୟର ରୂପ!

Bikash Mohanty
Browse all articles by Bikash Mohanty
·1 hour ago·2 min read
ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୩ରେ ନେଇପାରେ ଘୂର୍ଣ୍ଣିବଳୟର ରୂପ!
Low Pressure

Key Points

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା
୧୩ରେ ନେଇପାରେ ଘୂର୍ଣ୍ଣିବଳୟର ରୂପ
ଆଜି ଠାରୁ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହୋଇପାରେ


ଭୁବନେଶ୍ୱର.୦୬/୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ବଢ଼ିଲା ସମ୍ଭାବନା। ନଭେମ୍ବର ମାସରେ ପୁଣି ବଦଳିପାରେ ପାଣିପାଗର ମିଜାଜ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ୧୩ ତାରିଖରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।

ପାଣିପାଗ ମଡେଲର ଆକଳନ ଅନୁସାରେ, ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ। ତେବେ ଏହାର ତୀବ୍ରତା ଓ ଗତିପଥ ନେଇ ବର୍ତ୍ତମାନ ସ୍ପଷ୍ଟ ଆକଳନ କରିବା ସମ୍ଭବ ହୋଇନାହିଁ।

ଓଡ଼ିଶା ଉପକୂଳକୁ ଆସିବ କି ଲଘୁଚାପ?

ସମ୍ଭାବ୍ୟ ଲଘୁଚାପର ଗତିପଥକୁ ନେଇ ଏବେଠାରୁ ଚିନ୍ତା ବଢ଼ିଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ, ସାଧାରଣତଃ ନଭେମ୍ବର ମାସରେ ସୃଷ୍ଟି ହେଉଥିବା ଅବପାତ କିମ୍ବା ବାତ୍ୟା ଓଡ଼ିଶା ଉପକୂଳ ଆଡ଼କୁ ଆସିବାର ସମ୍ଭାବନା କମ୍ ଥାଏ। ଅଧିକାଂଶ ସମୟରେ ଏହା ତାମିଲନାଡୁ କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିଥାଏ। ବର୍ତ୍ତମାନର ଆକଳନ ଅନୁସାରେ, ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା କମ୍ ରହିଛି। ଏପରିକି ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବାତ୍ୟା ଅର୍ଣ୍ଣବର କ୍ଷୟକ୍ଷତି ନେଇ କେନ୍ଦ୍ର ନିକଟରେ ୨୫୨୬ କୋଟି ସହାୟତା ଦାବି କଲା ଓଡ଼ିଶା

ଅନ୍ୟପଟେ ଆସନ୍ତା ଦୁଇଦିନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। କେବଳ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ନଭେମ୍ବର ୮ ତାରିଖ ଦୀପାବଳିରେ ମଧ୍ୟ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଆକଳନ କରାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ନଭେମ୍ବର ୭ ତାରିଖରୁ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହୋଇପାରେ।

ବିଶେଷ କରି କନ୍ଧମାଳ, ଗଜପତି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତିରେ ଥଣ୍ଡା ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ପାରଦ ୧୫ ଡିଗ୍ରୀ ତଳକୁ ଖସିପାରେ। ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ରହିଛି। ତେଣୁ ଗୋଟିଏ ପଟେ ସମ୍ଭାବ୍ୟ ଲଘୁଚାପ ଉପରେ ନଜର ଥିବାବେଳେ ଅନ୍ୟପଟେ ରାଜ୍ୟରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବ।