ସାବଧାନ ! ଯୋଜନା ଆରମ୍ଭ ନହେଉଣୁ ମାତିଲେଣି ଠକ, ବାଣ୍ଟିଲେଣି ଡୁପ୍ଲିକେଟ୍ ଆୟୁସ୍ମାନ କାର୍ଡ..

ଅର୍ଗସ ବ୍ୟୁରୋ: ସାବଧାନ ! ମାତିଲେଣି ଠକ । 'ଆୟୁଷ୍ମାନ ଭାରତ' ଯୋଜନା ନାଁରେ ଆରମ୍ଭ ହେଲାଣି ଠକେଇ । ଯୋଜନା ଆରମ୍ଭ ନହେଉଣୁ କାର୍ଡ ଯୋଗାଇଦେବା ଲୋଭ ଦେଖାଇ ଠକ ଲୁଟୁଛନ୍ତି ଟଙ୍କା । ଜଣକ ପିଛା ଦେଢ ଶହ ଟଙ୍କା ଲେଖାଏଁ କରୁଛନ୍ତି ଆଦାୟ । ଗଜପତି ଜିଲ୍ଲାରୁ ଆସିଛି ଏଭଳି ସାଘାଂତିକ ଅଭିଯୋଗ ।
ରାଜ୍ୟବାସୀଙ୍କୁ ଉନ୍ନତ୍ତମାନର ଚିକିତ୍ସା ଯୋଗାଇଦେବାକୁ ଫେବୃଆରୀ ମାସରୁ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି ସରକାର । ଯେଉଁଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ହେଲ୍ଥ ଇନସ୍ୟୁରାନ୍ସ । ହେଲେ ଏବେ ଏହାକୁ ନେଇ ମାତିଲେଣି ଠକ । କାର୍ଡ କରାଇଦେବେ କହି ଲୋକଙ୍କଠାରୁ ଲୁଟିଲେଣି ଟଙ୍କା ।
ଗଜପତି ଜିଲ୍ଲାର ଜଣେ ମହିଳା ଏଭଳି ଏକ ସାଂଘାତି ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁଯାୟୀ କିଛି ଲୋକ ଏକ ସଂସ୍ଥା ଖୋଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଆଉ କହୁଛନ୍ତି ସ୍ୱାସ୍ଥ୍ୟ କାର୍ଡ ଦରକାର ଯଦି ଆମ ପାଖରେ ୧୫୦ ଟଙ୍କା ଡିପୋଜିଟ କର । ଏମିତି କହି ଅନେକ ଲୋକଙ୍କଠାରୁ ସେମାନେ ୧୫୦ ଟଙ୍କା ଲୁଟ କରିସାରିଛନ୍ତି ।
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ମଲ୍ଟିପର୍ପଜ ଏଗ୍ରୋ ପ୍ରଡକ୍ଟ ନାମକ ଟ୍ରଷ୍ଟ ଲୋକଙ୍କଠାରୁ ଏଭଳି ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ଆସିଛି । ଲୋକଙ୍କଠାରୁ ୧୫୦ ଟଙ୍କା ଲେଖାଏଁ ନେଇ ଏକ ଡୁପ୍ଲିକେଟ୍ କାର୍ଡ ଦେଉଛନ୍ତି । ଯେଉଁଥିରେ ଲେଖାଯାଇଛି 'ଆଭା' କାର୍ଡ । ଏହାକୁ ସେମାନେ ଆୟୁସ୍ମାନ ଭାରତ କାର୍ଡ ବୋଲି କହି ଲୋକଙ୍କୁ ଠକୁଛନ୍ତି । ଉକ୍ତ ସଂସ୍ଥା ଏଥିପାଇଁ ଗଜପତି ଜିଲ୍ଲାର ଆଖପାଖ ଅଞ୍ଚଳରେ ବି ପିଲାଙ୍କୁ ନିଯୁକ୍ତି ଦେଇଛି ।
ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ସଂପର୍କରେ ସରକାରଙ୍କଠାରୁ କୌଣସି ନୀୟମାବଳୀ ଆସିନାହିଁ । କାର୍ଡ ପାଇଁ ଏଭଳି ସର୍ଭେ କରିବାକୁ କୌଣସି ପ୍ରକାର ଅନୁମତି ଦିଆଯାଇନାହିଁ । ଏହି ଠକେଇ ଅଭିଯୋଗର ତଦନ୍ତ ହେବ । ସତ ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।