ସାବଧାନ ଗାଡିରେ ବୀମା ନଥିଲେ ଧରିବ ଟୋଲଗେଟ !

ଅର୍ଗସ ବ୍ୟୁରୋ: ଆପଣ ଯେଉଁ ଗାଡି ଚଲାଉଛନ୍ତି ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ପରିବହନ ବିଭାଗ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଆଜିଠାରୁ ପରିବହନ ବିଭାଗ ଏହି ନୂଆ ନିୟମ ଲାଗୁ କରିବ । ଗାଡିରେ ଇନସୁରାନ୍ସ ନଥିଲେ ଟୋଲ ଗେଟରେ ଜଣାପଡିଯିବ। ଗାଡି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ। ଇ-ଡିଟେକସନ୍ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ । ଟୋଲ୍ ଗେଟ୍ ଦେଇ ଯାଉଥିବା ମୋଟର ଯାନଗୁଡ଼ିକର ବୈଧ ବୀମା, ପ୍ରଦୂଷଣ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ ।
ତାହା ଯାଞ୍ଚ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୨୦୨୨ରୁ ଇ-ଡିଟେକ୍ସନ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଟୋଲ୍ ଗେଟ୍ ସହ ଇ-ଡିଟେକ୍ସନ ଆପ୍ଲିକେସନକୁ ସଂଯୋଗ କରାଯାଇ ଏହାର କାର୍ଯ୍ୟକାରିତାକୁ ପରୀକ୍ଷାମୂଳକ ଭାବେ ପରୀକ୍ଷା କରାଯାଇଛି । ଟୋଲ୍ ଗେଟ୍ ଦେଇ ଯାଉଥିବା ସମସ୍ତ ମୋଟର ଯାନ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ମୋଟର ଯାନର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ସରକାରଙ୍କର ଗାଡି ପୋର୍ଟାଲକୁ ଯାଞ୍ଚ କରାଯିବ ଏବଂ ଗାଡିର ବୈଧ କାଗଜପତ୍ର ଅଛି କି ନାହିଁ ତାହା ଦେଖାଇବ ।
📱 Get Argus News App
✨ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜୋରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି । ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପା ମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ଇ-ଡିଟେକ୍ସନ ଜରିଆରେ ଚିହ୍ନଟ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି । ପୂର୍ବରୁ ଇ- ଡିଟେକ୍ସନରେ ପରମିଟ୍, ଫିଟ୍ନେସ, ଟିକସ ନିୟମ ଉଲ୍ଲଂଘନକାରୀଙ୍କୁ ଟୋଲଗେଟରେ ଚିହ୍ନଟ କରାଯାଉଥିଲା । ଏବେ ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ । ଏହାସହ ଏନଫୋର୍ସମେଣ୍ଟ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି ।