ଜୀବନକୁ ବାଜି ଲଗାଇ ଭରାନଦୀ ପାର କରୁଛନ୍ତି ବେଲଗୁଡାବାସୀ

Key Points
ସମସ୍ୟାରେ ବେଲଗୁଡା
ନଦୀ ଉପରେ ହେଇ ପାରୁନି ପୋଲ
ଗାଁକୁ ସଂଯୋଗ ହୋଇପାରୁନି ରାସ୍ତା
ସରକାରୀ ଯୋଜନା ପହଞ୍ଚିବାକୁ ପାଉନି ବାଟ
ଜୀବନକୁ ବାଜି ଲଗାଇ ଭରାନଦୀ ପାର କରୁଛନ୍ତି ବେଲଗୁଡାବାସୀ
କୋରାପୁଟ ଲଷ୍ମୀପୁର ବ୍ଲକ୍ ତୁନପାର ପଞ୍ଚାୟତର ବେଲଗୁଡା ଗାଁ । ଗାଁରେ ରୁହନ୍ତି 30 ଆଦିବାସୀ ପରିବାର। ଯେଉଁମାନେକି ଆଜିବି ସରକାରୀ ସହାୟତା ପାଇବାରୁ ବଞ୍ଚିତ। ବସ୍ତରବନ୍ଦ ଠାରୁ ତିନି କିଲୋମିଟର ଦୂରରେ ରହିଛି ବେଲଗୁଡା । ଗାଁକୁ ଯିବାକୁ ହେଲେ ତିନି କିଲୋମିଟର ମାଟି ପଥୁରିଆ ରାସ୍ତା ଦେଇ ଯିବାକୁ ପଡିଥାଏ । ଏତିରେ ଯିବା ଆସିବା କଷ୍ଟକର ହୋଇ ପଡିଥିବା ଏହି ରାସ୍ତାରେ ବର୍ଷା ହେଲେ ପୁରା ରାସ୍ତା ହୋଇଯାଏ କାଦୁଅ ପଚପଚ, ଆଉ ଯାତାୟତ ହୋଇଯାଏ ଠପ । ଗାଁ ପାଖରେ ବୋହିଛି ମୁରାନ ନଦୀ। ଏହି ନଦୀ ଅଞ୍ଚଳର ଲାଇଫଲାଇନ ହୋଇଥିବା ବେଳେ ବର୍ଷାଦିନେ ନଦୀ ସାଜେ ଚିନ୍ତାର କାରଣ। ନଦୀ ଉପରେ ପୋଲ ନଥିବାରୁ ପାଣି ଭିତରେ ପସି ଲୋକେ କରୁଛନ୍ତି ଆତଯାତ। ଜୀବନକୁ ବାଜିରେ ଲଗାଇ ଭରାନଦୀରେ ପସି ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।
ସେହିପରି ଗାଁରେ ପାନୀୟ ଜଳ ସମସ୍ୟା କଥା ନକହିଲେ ଭଲ। ଜଳ ଯୋଗାଣ ପାଇଁ ସୋଲାର ପମ୍ପ ଅଛି ମାତ୍ର । ଦୀର୍ଘ ଦୁଇ ବର୍ଷ ହେଲା ସୋଲାର ପମ୍ପ ଅଚଳ ହୋଇ ପଡିଛି। ଲୋକେ ନଦୀ ପାଖରେ କୂଅ ଏବଂ ନଳକୂପ ଲଗାଇ ବ୍ୟବହାର କରୁଛନ୍ତି। ବର୍ଷା ହେଲେ ନଦୀ ପାଣି କୂଅ ଭିତରେ ପଶି ଗୋଳିଆ ପାଣି ବାହାରୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଲଗୁଡାରେ ସମସ୍ୟା ମାଳମାଳ । ଏହାର ସମାଧାନ ପାଇଁ ଗ୍ରାମବାସୀ ଅନେକ ଥର ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେବି ଏବେ ସୁଦ୍ଧା କୌଣସି ପ୍ରକାର ସମସ୍ୟା ସମାଧାନ ହୋଇ ପାରିନି।