ପିଏମ୍ ଆବାସରୁ ବାଦ ହିତାଧିକାରୀ ପକ୍କାଘରରୁ ହେବେନି ବଞ୍ଚିତ

Key Points
ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ସ୍ବପ୍ନ ହେବାକୁ ଯାଉଛି ସତ
ପିଏମ୍ ଆବାସରୁ ବାଦ ହିତାଧିକାରୀ ପକ୍କାଘରରୁ ହେବେନି ବଞ୍ଚିତ
କଳାହାଣ୍ଡିରୁ ଅନ୍ତୋଦୟ ଗୃହ ଯୋଜନାର ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ପ୍ରଥମ ଦିନରେ ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ
ଆଗାମୀ 3 ବର୍ଷରେ 5 ଲକ୍ଷରୁ ଅଧିକ ପକ୍କାଘର ହେବ ନିର୍ମାଣ
ସରକାର କରିବେ 7 ହଜାର 550 କୋଟି ଟଙ୍କା ବିନିଯୋଗ
ପୂର୍ବ ସରକାରରେ ପକ୍କାଘର ଆବଣ୍ଟନ ପାଲଟିଥିଲା ପ୍ରହସନ
ଯୋଗ୍ୟଙ୍କୁ ବାଦ ଦେଇ ଅଯୋଗ୍ୟଙ୍କୁ ହୋଇଥିଲା ଆବାସ ବଣ୍ଟନ
କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହି ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କୁ ଦିଆଯିବ ପକ୍କାଘର ପାଇଁ ସହାୟତା । ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଗୁରୁତର ରୋଗରେ ପୀଡ଼ିତ ପରିବାର, ସହିଦଙ୍କ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ଓ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ପରିବାରଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ଘର ମଞ୍ଜୁର କରାଯିବ । ଅର୍ଥାତ ପ୍ରଧାନମନ୍ତ୍ରୀ ଗ୍ରାମାଣ ଆବସ ଯୋଜନାରୁ ବଞ୍ଚିତ ଏହି ଶ୍ରେଣୀର ଲୋକଙ୍କର ପକ୍କା ଘର ସ୍ବପ୍ନ ହେବ ପୂରଣ। ଏଥିସହ ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି । ଆଜବେସଟସ୍, ଟିଣ ଓ ଟାଇଲ ଛପରଘରକୁ କଚ୍ଚାଘର ରୂପେ ବିବେଚନା କରାଯିବ। ସେହିପରି ପରିବାର କହିଲେ ସ୍ଵାମୀ, ସ୍ତ୍ରୀ ପିଲାଙ୍କ ସହିତ ନିର୍ଭରଶୀଳ ପିତାମାତାଙ୍କୁ ବି ବୁଝାଯିବ ବୋଲି ସୂଚନା ଦଇଛନ୍ତି ମୁଖ୍ୟମନ୍ତ୍ରୀ
ପ୍ରଥମ ଦିନରେ ୬୦ ହଜାର ପକ୍କାଘର ପାଇଁ ଦିଆଯାଇଛି କାର୍ଯ୍ୟାଦେଶ। ହିତାଧିକାରୀଙ୍କୁ ପ୍ରତ୍ୟେକ ଘର ପାଇଁ ସରକାର ଦେବେ ୧ ଲକ୍ଷ ୨୦ ହଜାର ଟଙ୍କା। ତା ସହିତ ବିଭିନ୍ନ ଯୋଜନା ଅଧିନରେ ଶୌଚାଳୟ, ଏଲପିଜି , ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବି ଯୋଗାଇ ଦିଆଯିବ। ଏହି ଯୋଜନାରେ ୩ ବର୍ଷରେ ୫ ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏ ବାବଦକୁ ସରକାର ଖର୍ଚ୍ଚ କରିବେ ୭,୫୫୦ କୋଟି ଟଙ୍କା। କେବଳ ସେତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 90ରୁ 95 ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବେ ପାରିଶ୍ରମିକ ସହ କାମ ଯୋଗାଇ ଦିଆଯିବ। ଅନ୍ତ୍ୟୋଦୟ ଗୃହ ଯୋଜନା ହେଉ, କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୌଣସିଥିରେ ପାତର ଅନ୍ତର ରହିବ ନାହିଁ କିମ୍ବା ବ୍ୟତିକ୍ରମ ଘଟିବନି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
ପୂର୍ବ ବିଜେଡି ସରକାରରେ ବିବାଦରେ ରହିଆସିଥିଲା ପକ୍କାଘର ଯୋଜନା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘରରେ ବିଜୁପକ୍କା ଘର ଲୋଗ ଲଗାଇ ଚଞ୍ଚକତା କରିଥିଲେ ବିଜେଡି ସରକାର। ଏପରିକି ଆବାସ ଆବଣ୍ଟନରେ ବି ବଡ଼ ଧରଣର ଚଞ୍ଚକତା ସାମ୍ନାକୁ ଆସିଥିଲା। ଯୋଗ୍ୟଙ୍କୁ ବାଦ ଦେଇ ଆଯୋଗ୍ୟଙ୍କୁ ବାଣ୍ଟି ଦିଆଯାଇଥିଲା ପିଏମ ଆବାସ। ତେଣୁ ଅନ୍ତ୍ୟୋଦୟ ଗୃହ ଯୋଜନା ସେହି ବଞ୍ଚିତଙ୍କୁ ପକ୍କାଘର ଦେବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିସହ ହିତାଧିକାରୀ ଚୟନରେ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି କରିଛନ୍ତି ରାଜ୍ୟ ସରକାର।
ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପିଏମ୍ ଆବାସ ଗ୍ରାମୀଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା 23 ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଥିବା ବେଳେ 4 ଲକ୍ଷ ଘର ନିର୍ମାଣାଧିନ ଅଛି । ଏହା ସହିତ ଜାନୁଆରୀ 24 ତାରିଖରୁ ସର୍ଭେ ଆରମ୍ଭ ହେଇ ଆହୁରି 26 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ତାଲିକାଭୁକ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ 617.51 କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଆଭାଷୀ ଜରିଆରେ ସମସ୍ତ ୩୦ ଜିଲ୍ଲାର ସଦର ମହକୁମାରୁ ସାଂସଦ, ମନ୍ତ୍ରୀ, ବିଧାୟକଗଣ, ଏବଂ ସମସ୍ତ ୩୧୪ ବ୍ଲକରୁ ପଞ୍ଚାୟତିରାଜ ପ୍ରତିନିଧି ଯୋଡି ହୋଇଥିଲେ।
