Videos
|
Odisha

ଜାତୀୟ ଶିକ୍ଷାନୀତି ୨୦୨୦ ରାଜ୍ୟ ପାଇଁ କେତେ ଉପକାରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜାତୀୟ ଶିକ୍ଷାନୀତି ୨୦୨୦ ରାଜ୍ୟ ପାଇଁ କେତେ ଉପକାରୀ

ଅର୍ଗସ ବ୍ୟୁରୋ: ରାଜ୍ୟରେ ନୂଆ ସରକାର ଆସିବା ପରେ ଶିକ୍ଷା ବ୍ୟବସ୍ଥାରେ ହେଉଛି ବ୍ୟାପକ ପରିବର୍ତ୍ତନ। ପୁରୁଣା ଢାଞ୍ଚାରେ ପରିବର୍ତ୍ତନ ଆଣି କିଭଳି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପାଇପାରିବେ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ରାଜ୍ୟସରକାର। ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷାନୀତି। ଏପ୍ରିଲରୁ ଜାତୀୟ ଶିକ୍ଷା ନୀତିରେ ଖଡି ଛୁଇଁବେ କୁନିକୁନି ପିଲା। ୬୩ ହଜାର ସ୍କୁଲରେ ଖୋଲିବ ଶିକ୍ଷା ବାଟିକା। ଯେଉଁଠାରେ ତିନିବର୍ଷର ପିଲାଙ୍କ ନାମ ଲେଖାଯିବ । ଆଜି ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଥିବା ୧୦ ଟି ପ୍ରସ୍ତାବ ମଧ୍ୟରେ ରହିଛି ରାଜ୍ୟରେ ୬୭୯୪ ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ୬,୭୯୪ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଲେ ପଞ୍ଚାୟତ ସ୍ତରରେ ଗୁଣାତ୍ମକ ଶିକ୍ଷା ପାଇବାର ବ୍ୟବସ୍ଥା ବୃଦ୍ଧିହେବ। 


ଜାତୀୟ ଶିକ୍ଷାନୀତି ଲାଗୁହେଲେ କ'ଣ ହେବ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁହେଲେ ଶିକ୍ଷା ବ୍ୟବସ୍ଥା ସରଳ ହେବ। ପ୍ରାଥମିକ ସ୍ତରରୁ ପିଲାଙ୍କ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ। ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ଦିଆଯାଇ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରାଯିବ। ପାଠପଢା କେବଳ ପୋଥି ବିଦ୍ୟାରେ ସୀମିତ ନରହି ଧନ୍ଦାମୂଳକ ଓ ବାସ୍ତବ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଯେଉଁ ଶିକ୍ଷା ଛାତ୍ରୀଛାତ୍ରଙ୍କୁ ସାମାଜିକ ଓ ଆର୍ଥିକ ସ୍ତରେ ସୁଦୃଢ କରିବା ପାଇଁ ପ୍ରସ୍ତୁତ କରିବ। ଛାତ୍ରୀଛାତ୍ର ମାନେ ଅଧିକ କୁଶଳୀ ହେବା ସହ ବୃତ୍ତିଗତ ଜୀବନ ନେଇ ଆରମ୍ଭରୁ ନିଜ ଭିତରେ ଆଶା ସଞ୍ଚାର କରିପାରିବେ। ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ରକୁ ଗ୍ରହଣ କରାଯାଇଛି। ଯାହା ଦେଶର ଭାଷାଗତ ବିବିଧତା ଦୃଷ୍ଟିରୁ ଗୁରୁତ୍ବ ବହନ କରେ। ଗବେଷଣାମୂଳକ ଶିକ୍ଷାକୁ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ବ ଦିଆଯାଇଛି। ସାଧାରଣ ଲୋକଙ୍କୁ ଉପଯୁକ୍ତ ଶୈକ୍ଷିକ ବ୍ୟବସ୍ଥା ଯୋଗାଇ ଦେବାକୁ ନୂଆ ଶିକ୍ଷାନୀତିରେ ଆଗ୍ରାଧିକାର ଦିଆଯାଇଛି।


୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁହେବ


ରାଜ୍ୟରେ ୨୦୨୫- ୨୬ ଶିକ୍ଷା ବର୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବେ ରାଜ୍ୟସରକାର। ଛାତ୍ରୀଛାତ୍ର ଏଣିକି ୧୦+୨ ପାଠ୍ୟକ୍ରମ ପରିବର୍ତ୍ତେ ୫+୩+୩+୪ ଢାଞ୍ଚାରେ ପାଠ ପଢିବେ। ଏଥିପାଇଁ ସରକାର ୩ ଦିନିଆ କର୍ମଶାଳା କରିଛନ୍ତି। ରାଜ୍ୟସରକାର ଘୋଷଣା କରିଛନ୍ତି ପ୍ରାଥମିକ ସ୍ତରରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବାକୁ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ରାଜ୍ୟ ସରକାର। ଏହି ବଦ୍ୟାଳୟ ଗୁଡିକରେ ପାଠ ସହ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ପୂର୍ବରୁ କଲେଜ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ଏବେ ବିଦ୍ୟାଳୟ ସ୍ତରରେ ମଧ୍ୟ ଏହି ଶିକ୍ଷା ଦିଆଯିବ। ଓଡ଼ିଆ ଭାଷା, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ।