ପବିତ୍ର ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର

ପବିତ୍ର ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ସଂପୂର୍ଣ୍ଣ ଗେରୁଆମୟ ହୋଇଉଠିଛି ଅଞ୍ଚଳ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଗାଁ ଦାଣ୍ଡ। ସହର ଠାରୁ ପୁରପଲ୍ଲୀ ଯାଏ ସବୁଆଡେ ଉତ୍ସବମୁଖର ପରିବେଶ। ଗାନ୍ଧି ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି।
ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପୂର୍ବରୁ ଗଣଦୌଡ଼, ବାଇକ ଶୋଭାଯାତ୍ରା, ହିନ୍ଦୁ ନବବର୍ଷ, ଗୋ-ପୂଜନ, ସାଧୁ, ସନ୍ଥ ସମ୍ମିଳନୀ ପରେ ବାଲବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଶୋଭାଯାତ୍ରାକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀପଡିଆରୁ ବାହାରି ବାଇପାସ ଛକ ଦେଇ ସହର ପରିକ୍ରମା କରିଥିଲା ।
ଏଥିରେ ଶହ ଶହ କୁନି କୁନି ଶ୍ରୀରାମ ଭକ୍ତ ସାମିଲ ହୋଇଥିଲେ । ସାରା ସହର ଗେରୁଆମୟ ହୋଇଥିବା ବେଳେ ଜୟ ଶ୍ରୀରାମ ନାରରେ ପ୍ରକମ୍ପିତ ହେଉଛି ସହର । ଶ୍ରୀରାମ ମହୋତ୍ସବର ବାଲବଜରଙ୍ଗୀ ସାଇକେଲ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସହରରେ ପୋଲିସ ପ୍ରଶାସନ ଓ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପେଟ୍ରୋଲିଂ ସହ ପୁଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୁଲିସ। ସହର ସୁରକ୍ଷା ସହ ରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚରେ କରାଯାଇଛି।