ଛଦ୍ମବେଶରେ ମଣ୍ଡି ବୁଲି ଜିଲ୍ଲାପାଳ ଧରିଲେ କଟନି ଛଟନି

Key Points
କଟନି ଛଟନିରେ ବାଜିଲା ଛାଟ
ଛଦ୍ମବେଶରେ ମଣ୍ଡି ବୁଲି ଜିଲ୍ଲାପାଳ
ସେବା ସମବାୟ ସମିତିର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
ଭଦ୍ରକ: ବେଶ ବଦଳାଇ ମଣ୍ଡି ବୁଲିଲେ ଜିଲ୍ଲାପାଳ । ଚାଷୀ ବେଶରେ ଯାଇ ଧରିଲେ ଧାନର କଟନି ଛଟନି । ଭଦ୍ରକ ଜିଲ୍ଲାପାଳ ଛଦ୍ମବେଶରେ ମଣ୍ଡି ବୁଲିବା ସହ ପଦେକ୍ଷପ ନେଇଛନ୍ତି । କଟସାହି ସେବା ସମବାୟ ସମିତିର ଅଧିକାରୀଙ୍କୁ କଟନି ଛଟନି ନେଇ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍ ।
ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କିଣା ବେଳେ କଟନି, ଛଟନି ନେଇ ଅଭିଯୋଗ ଆସୁଥିଲା । କଟନି ଛଟନିକୁ ନେଇ ଚାଷୀ ଅସନ୍ତୋଷ ବଢ଼ୁଥିବା ବେଳେ ମଣ୍ଡିରେ ରିଅଲିଟି ଚେକ୍ ପାଇଁ ବାହାରିଥିଲେ ଖୋଦ୍ ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଛଦ୍ମବେଶରେ ହାପ ପ୍ୟାଣ୍ଟ, ଟି ସାର୍ଟ ସହ ମୁହଁରେ ମାସ୍କ, ମୁଣ୍ଡରେ ଟୋପି ଓ ବେକରେ ଗାମୁଛା ପକାଇ ମଣ୍ଡି ବୁଲିଥିଲେ ।
📱 Get Argus News App
✨ଧାମନଗର ବ୍ଲକ କଟସାହି ସେବା ସମବାୟ ସମିତି ଗସ୍ତ କରିବା ବେଳେ ସେଠାରେ ଧାନର କଟନି ଛଟନି କରା ଯାଉଥିବା ଦେଖିବାକୁ ପାଇଥିଲେ ଜିଲ୍ଲାପାଳ । ସାଙ୍ଗରେ ଥିଲେ ଯୋଗାଣ ଅଧିକାରୀ । କଟନି ଛଟନି ନେଇ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କଟସାହି ସେବା ସମବାୟ ସମିତିର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ଛଦ୍ମବେଶରେ ଜିଲ୍ଲାପାଳ ମଣ୍ଡି ବୁଲିବା ପରେ କଟନି ଛଟନି କରୁଥିବା ବିଭିନ୍ନ ମଣ୍ଡି ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି । ସେପଟେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ନେଇ ସାରା ଜିଲ୍ଲାରେ ବେଶ୍ ଚର୍ଚ୍ଚା ।