ପିସିସି ସଭାପତି ହେଲେ ଭକ୍ତ ଚରଣ ଦାସ

ଭକ୍ତ ଧରିଲେ କଂଗ୍ରେସ ମଙ୍ଗ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ହେଲେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି। ଗତ ୬ ମାସ ହେଲା ଏହି ପଦବୀ ଖାଲି ପଡ଼ିଥିଲା । ଶରତ ପଟ୍ଟନାୟକଙ୍କ ପରେ କାହାରିକୁ ଏହି ପଦରେ ରଖିନଥିଲା AICC । ଏବେ ଏଆଇସିସି ପକ୍ଷରୁ ଭକ୍ତ ଦାସଙ୍କୁ PCC ସଭାପତି ନିଯୁକ୍ତି ମିଳିଥିବା ସୂଚନା ମିଳିଛି।
ପିସିସି ସଭାପତି ହେବା ପରେ ଭକ୍ତ କହିଛନ୍ତି ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି । କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ । ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି । ସବୁ ଦାୟିତ୍ବ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି । ତେଣୁ ଏଥର ବି ଚେଷ୍ଟା ଜାରି ରହିବ ।
📱 Get Argus News App
✨୬ ମାସ ହେଲା ବିନା ମୁଖିଆରେ ଚାଲିଥିଲା ରାଜ୍ୟ କଂଗ୍ରେସ । କିଏ ଧରିବ କଂଗ୍ରେସ ମଙ୍ଗ, ସେନେଇ ଦୀର୍ଘ ଦିନ ହେଲା ଚାଲିଥିଲା ମାନସ ମନ୍ଥନ । ହେଲେ ଛିଡ଼ୁନଥିଲା ଭାଗ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ପ୍ରଭାରୀ କହିଥିଲେ ନୂଆ ବର୍ଷରେ ହେବେ ନୂଆ ସଭାପତି । କିନ୍ତୁ ଅନ୍ତଃକନ୍ଦଳ ଯୋଗୁଁ ଛିଣ୍ଡିନଥିଲା ଅଙ୍କ, ଯେଉଁଥିପାଇଁ ହେଲା ବିଳମ୍ବ ।
୨୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜୁଲାଇ ୨୧ରେ ପିସିସି ସମେତ ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ AICC । ତାପରେ ଆରମ୍ଭ ହୋଇଥିଲା କିଏ ଧରିବ କଂଗ୍ରେସ ମଙ୍ଗ ଚର୍ଚ୍ଚା । ଆଉ ଏହାରି ଭିତରେ ପିସିସି ସଭାପତି ରେସ୍ରେ ଥିଲେ ମହମ୍ମଦ ମୋକିମ୍, ତାରାପ୍ରସାଦ ବାହିନୀପତି, ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲାକା ଓ ଜୟଦେବ ଜେନା । ଆଉ ରେସ୍ରେ ସବୁଠାରୁ ଆଗରେ ଥିଲେ ମୋକିମ୍ ।
କୁହାଯାଉଥିଲା ଯିଏ କୋରାପୁଟରୁ ପୁରୀ ଯାଏଁ ମୁମେଣ୍ଟ କରିପାରିବେ, ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ୱ ଦେବେ ।
ତେବେ ପିସିସି ଭାଙ୍ଗିବା ପରେ ଗତ ଅଗଷ୍ଟ ୧୨ରେ AICC ସଭାପତି ମଲିକାର୍ଜୁନ ଖଡଗେଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିଲା ଏକ ୧୪ ଜଣିଆ ଷ୍ଟିୟରିଂ କମିଟି । ପରେ ସେଥିରେ ଆଉ ୭ ଜଣଙ୍କ ନାଁ ଯୋଡ଼ା ଯାଇଥିଲା । ହେଲେ କମିଟି ଗଠନ ହେଲା ପରେ ବି କିଛି ନିଷ୍କର୍ଷ ବାହାରି ପାରିନଥିଲା । ଅନେକ ବିଚାର ବିମର୍ଷ ଓ ତର୍ଜମା ପରେ ଭକ୍ତ ଦାସଙ୍କୁ PCC ସଭାପତି ଭାବେ ବାଛିଚି AICC । ଏବେ ପ୍ରଶ୍ନ ଉଠୁଛି.. ଭକ୍ତ ମଙ୍ଗ ଧରିବା କଂଗ୍ରେସ କଳି ଥମିବ ନା ଆହୁରି ବଢ଼ିବ ।
କାରଣ ପୂର୍ବରୁ ଯେତେ ଥର ବି ପିସିସି ସଭାପତିଙ୍କ ନାଁ ଘୋଷଣା କରାଯାଇଛି, ତା'ପର ଦିନ ଦଳୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ଆଗରେ ନିଜ ଦଳର ନେତାଙ୍କୁ ବିରୋଧ କରଥିବା ମଧ୍ୟ ଦେଖାଯାଇଛି । ଏଥର ବି ସେମିତି କିଛି ଆଶଙ୍କା କରାଯାଉଛି । କାରଣ ରେସରେ ଥିବା ଅନ୍ୟ ବରିଷ୍ଠ ନେତାମାନେ AICCର ଏହି ନିଷ୍ପତିରେ ସନ୍ତୁଷ୍ଟ ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।