Nuapada By Election / ଭକ୍ତ କଲେ ତାତ୍ସଲ୍ୟ, 'ନବୀନଙ୍କ ଭାଷଣ ଶୁଣିବାକୁ ରହିଲେନି ଲୋକେ'

Key Points
ନବୀନ କହିଲା ବେଳେ ସଭାରେ ଖାଲି ପଡ଼ିଥିଲା ଚେୟାର ।
ନୂଆପଡ଼ା ମଇଦାନରେ ପ୍ରାର୍ଥୀ ଚୋରି ରାଜନୀତି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ନୂଆପଡ଼ା ମଇଦାନକୁ ପ୍ରଚାର ପାଇଁ ଓହ୍ଲାଇ ଏହି ପ୍ରସଙ୍ଗରେ ପଦ୍ମ ଦଳକୁ ଟାର୍ଗେଟ୍ କରିଛନ୍ତି ଶଙ୍ଖ ଦଳ ମୁଖିଆ। ତେବେ ନବୀନ ପଟ୍ଟନାୟକଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି।
ନୂଆପଡ଼ା ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନାର ତରବେଡ଼ାରେ ସମାବେଶ କରି ବିଜେପିକୁ ନବୀନ କଲେ ନିଶାନା । ଅଭିଯୋଗ କଲେ ଭୋଟ ଚୋରି କରି ସରକାର କରିଥିବା ଦଳ ଏବେ ପ୍ରାର୍ଥୀ ଚୋରି କରିଛି । ନୂଆପଡାବାସୀଙ୍କ ସହ ରହିଛି ବିଜେଡି ବୋଲି ନବୀନ କହିଛନ୍ତି । ନବୀନଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ରଖିଛି ବିଜେପି । ଦଳର ରାଜ୍ୟ ସଭାପତି କହିଛନ୍ତି, ଦଳ ଆଦର୍ଶବାଦ ଲଢ଼େଇରେ ବିଶ୍ୱାସ କରେ ବ୍ୟକ୍ତିଗତ ଲଢ଼େଇରେ ନୁହେଁ ।
ଅନ୍ୟପଟେ ନୂଆପଡ଼ାରେ ଜମୁଛି ପ୍ରଚାର । ଡୁମେରପାଣିରେ ଜୟଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । କୋମନାରେ ପଦଯାତ୍ରା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ପ୍ରଚାର ତାତି ଭିତରେ ପିସିସି ସଭାପତି କହିଛନ୍ତି, ନବୀନଙ୍କ ସଭାରେ ଲୋକ ନଥିଲେ । ନବୀନ କହିବା ବେଳେ ଲୋକେ ନଶୁଣି ସଭା ଛାଡିଥିଲେ । ବାହାର ଲୋକଙ୍କୁ ନୂଆପଡ଼ା ଆଣିଥିବାରୁ ନବୀନଙ୍କୁ ଲୋକେ କରିଛନ୍ତି ବର୍ଜନ । ତେବେ ଧୀରେ ଧୀରେ ବଢୁଛି ନୂଆ ଉପନିର୍ବାଚନର ତାତି । ସବୁ ଦଳର ହେଭିୱେଟ ନେତା ଦିନ ରାତି ଏକ କରି କରୁଛନ୍ତି ମାରଥନ ପ୍ରଚାର ।
ଏପଟେ ବିଜେଡିକୁ ଲାଗିଛି ଆଉ ଏକ ବଡ଼ ଝଟ୍କା । ଦଳର ସବୁ ବରିଷ୍ଠ ନେତା ନୂଆପଡ଼ା ଉପନିର୍ବାଚନ ପାଇଁ ଅଙ୍କକଷୁଥିବା ବେଳେ ବିଜେଡିକୁ ଶକ୍ତ ଝଟ୍କା ଦେଇଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ । ସେ ସୋମବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । BJDର ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ବିଜେପିରେ ମିଶିଛନ୍ତି ।
ବିଜେପିରେ ମିଶିବା ପରେ ଅମର କହିଛନ୍ତି, "୨୦୧୮ରେ ୯ ବର୍ଷ ଚାକିରି କାର୍ଯ୍ୟକାଳ ବାକି ଥାଇ ଚାକିରି ଛାଡ଼ିଥିଲି । ଜନସେବା କରିବାକୁ ଚାକିରି ଛାଡ଼ିଥିଲି । ରାଜ୍ୟସଭାରେ ଓଡ଼ିଶାର ସବୁ ବର୍ଗର ଦାବି ରଖିବାକୁ ଚେଷ୍ଟା କରିଛି । ଏବେ ରାଷ୍ଟ୍ର ନିର୍ମାଣର ସୁଯୋଗ ମିଳିଛି, ତେଣୁ ବିଜେପିରେ ମିଶିଲି । ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବା ପାଇଁ ବିଜେପିର ଭରପୂର ସୁଯୋଗ ରହିଛି । ଅନ୍ୟ କୌଣସି ଦଳର ସହଯୋଗ ରାଷ୍ଟ୍ର ନିର୍ମାଣରେ ନାହିଁ । ରାଷ୍ଟ୍ର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତା ରହିଛି ।" ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଅମର ପଟ୍ଟନାୟକ ବିଜେପିରେ ମିଶିଥିବା କହିଛନ୍ତି ।
📱 Get Argus News App
✨Related Topics
Explore more stories