Electricity Workers Protest / ଆଚାର୍ଯ୍ୟ ବିହାରରେ ହାଇଭୋଲଟେଜ୍ ଟାୱାର ଡ୍ରାମା ଘଟଣା, ୩ ଗିରଫ

Key Points
ଆଚାର୍ଯ୍ୟ ବିହାରରେ ହାଇଭୋଲଟେଜ୍ ଟାୱାର ଡ୍ରାମା ଘଟଣା
୩୩ କେଭି ଟାୱାର ଚଢ଼ିଥିଲେ ୩ ଠିକା କର୍ମଚାରୀ
ଦାବି ପୂରଣ ନେଇ ଆତ୍ମହତ୍ୟା ଧମକ ଦେଇଥିଲେ
ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ୩୩ କେଭି ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ୩ ଜଣଙ୍କୁ ପୋଲିସ ଓ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରି ଗିରଫ କରିଛନ୍ତି । ଗତକାଲି ମଧ୍ୟାହ୍ନରେ TPCODLର ପୂର୍ବତନ କର୍ମଚାରୀ ଦାବି କରି ନୟାଗଡ଼ର ଚନ୍ଦ୍ରମଣି ପ୍ରଧାନ, ଚନ୍ଦକାର ସଦାନନ୍ଦ ବେହେରା ଏବଂ ଅନୁଗୁଳର ରାକେଶ ପ୍ରଧାନ ଟାୱାର ଉପରକୁ ଚଢ଼ିଯାଇଥିଲେ ।
ଫଳରେ ଆପୋଲୋ ଓ କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇ ଅଗ୍ନିଶମ ବାହିନୀ ସହାୟତାରେ ସେମାନଙ୍କୁ ଓହ୍ଲାଇ ଅଣାଯାଇଥିଲା । ରାସ୍ତା ଅବରୋଧ ଓ କର୍ତ୍ତବ୍ୟରତ ପୋଲିସକୁ ଧମକ ଦେବା ଅଭିଯୋଗରେ ସହିଦ ନଗର ଥାନାରେ BNS ଓ ଏସମା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।
ବ୍ୟସ୍ତବହୁଳ ରାଜଧାନୀର ରାସ୍ତାରେ ଗାଡ଼ିମୋଟରର ଭିଡ଼, ଲୋକଙ୍କ ଯାତାୟତ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ହେଲେ ଏହି ବ୍ୟସ୍ତତା ଭିତରେ ହଠାତ୍ ଏମିତି କିଛି ଦୃଶ୍ୟ, ଯାହା ଅଟକାଇ ଦେଇଛି ସମସ୍ତଙ୍କ ନଜର । ଉଚ୍ଚ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରୁଛନ୍ତି ଠିକା ବିଦ୍ୟୁତ୍ କର୍ମଚାରୀ । କେବଳ ଗୋଟିଏ ସ୍ଥାନ ନୁହେଁ, ଉତ୍ତରା ସିଫା ଛକ, ସତ୍ୟବିହାର ଏବଂ ଖୋର୍ଦ୍ଧାର ପିତାପଲ୍ଲୀ ଛକ ନିକଟରୁ ମଧ୍ୟ ଆସିଛି ଏଭଳି ଦୃଶ୍ୟ । ଟାୱାର ଉପରେ ଚଢ଼ିଥିବା କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ନାକେଦମ୍ ହୋଇଛି ।
୫୬ ଦିନର ଆନ୍ଦୋଳନ । ତଥାପି ମିଳୁନି ସମାଧାନର ବାଟ । ନ୍ୟାୟ ଦାବିରେ ରାଜରାସ୍ତାରେ ବସିଛନ୍ତି ଶହ ଶହ ଠିକା ବିଦ୍ୟୁତ୍ କର୍ମଚାରୀ । କେବେ ଶବ ସାଜି ଜୁଇ ଉପରେ ଶୋଇ ପ୍ରତିବାଦ କରିଥିଲେ, ଆଉ ଏବେ ଟାୱାର ଉପରେ ଚଢ଼ି ନିଜ ଦାବି ଜଣାଇଛନ୍ତି । ରାଜଧାନୀ ସମେତ ବିଭିନ୍ନ ଜାଗାରୁ ଆସିଛି ଏଭଳି ଦୃଶ୍ୟ । ଅନ୍ୟପଟେ ଆନ୍ଦୋଳନକୁ ନେଇ ସ୍ପଷ୍ଟୀକରଣ ରଖିଛି ଟିପିସିଓଡିଏଲ୍ ।
କମ୍ପାନୀର କହିବା ଅନୁସାରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଉନାହିଁ । ଭବିଷ୍ୟତରେ ମଧ୍ୟ କାହାକୁ ଛଟେଇ କରାଯିବନି । କେବଳ ୩୭୪ ଜଣ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଚାଲିଛି । ଏବେ କମ୍ପାନୀରେ ମୋଟ ୧୫ ହଜାର ୩୦୦ କର୍ମଚାରୀ କାର୍ଯ୍ୟରତ ଏବଂ ସେମାନଙ୍କ ମଧ୍ୟରୁ କାହାରିକୁ ଛଟେଇ କରାଯାଇନାହିଁ ।
ଏଭଳି ଚିତ୍ର ସାମ୍ନାକୁ ଆସିବା ରପରେ ଶୀଘ୍ର ଆଲୋଚନା କରି ସରକାର ସମାଧାନର ବାଟ କାଢନ୍ତୁ ବୋଲି କହିଛି ବିଜେଡି । ହେଲେ ବିଜେପିର କହିବା ହେଲା ବିଜେଡି ସରକାର ସମୟରେ ଘରୋଇ କମ୍ପାନୀକୁ ବିଦ୍ୟୁତ୍ ବିତରଣ ଦାୟିତ୍ବ ଦିଆଯାଇଥିଲା, ତେଣୁ ସରକାର ତତକ୍ଷଣାତ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଏହା ଘରୋଇ କମ୍ପାନୀ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ।
ଗୋଟିଏ ପଟେ ୫୬ ଦିନର ଆନ୍ଦୋଳନ, ଅନ୍ୟପଟେ କମ୍ପାନୀର ସ୍ପଷ୍ଟୀକରଣ ଓ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ। ଦୁଇ ପକ୍ଷର ନିଜ ନିଜ ଯୁକ୍ତି ଭିତରେ ଏବେ ଝୁଲି ରହିଛି ଶତାଧିକ କର୍ମଚାରୀଙ୍କ ଭବିଷ୍ୟତ। ତେବେ ଆଲୋଚନା ଓ ସମାଧାନର ରାସ୍ତା କେବେବାହାରୁଛି, ତା ଉପରେ ସମସ୍ତଙ୍କ ନଜର ।
📱 Get Argus News App
✨Related Topics
Explore more stories