ବାତିଲ୍ ହେବନି ମେଟ୍ରୋ ପ୍ରକଳ୍ପ, ବଢ଼ିବ ପରିଧି: ନନ୍ଦନକାନନ ରୁଟ୍ରେ ହେବ ୩ ଥାକିଆ ରୋଡ୍

ଭୁବନେଶ୍ଵର: ମେଟ୍ରୋ ଗଡ଼ିବ, ପରିଧି ବଢ଼ିବ । ବାତିଲ୍ ହେବନି ମେଟ୍ରୋ ପ୍ରକଳ୍ପ । ଏ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ ନେଇ ପରିକଳ୍ପନା କରିଥିଲେ । ତେବେ ଏହା କେତେଦୂର କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ଟେକ୍ନିକାଲ ଲୋକଙ୍କୁ ରଖି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଗଠିତ କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ସର୍ଭେ ରିପୋର୍ଟକୁ କାର୍ଯ୍ୟକାରୀ କରାଯିବ । ମେଟ୍ରୋ କେଉଁଠୁ, କେଉଁ ପର୍ଯ୍ୟନ୍ତ ଗଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଥିବା କହିଛନ୍ତି ମନ୍ତ୍ରୀ ।
ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି । ତେବେ, ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଥିଲା । ଏହା କେତେଦୂର ଯୁକ୍ତିଯୁକ୍ତ । ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ? କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି । ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି ।
📱 Get Argus News App
✨
ସେ ସବୁ ଦୃଷ୍ଟିରୁ କମିଟି ଅନୁଧ୍ୟାନ କରୁଛି । ମେଟ୍ରୋର ପରିଧିକୁ ବିସ୍ତୃତ କରାଯିବ ଏବଂ ପ୍ରକଳ୍ପକୁ ବାତିଲ୍ କରାଯିବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ସରକାର, ଲୋକଙ୍କର ଯାହା ଆବଶ୍ୟକତା ତାହା କରିବେ । ନନ୍ଦନକାନନ ରୁଟ୍ରେ ୩ ଥାକିଆ ରୋଡ୍ ହେବ । ମେଟ୍ରୋ ମଧ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।