ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ଅରବିନ୍ଦ ଅଗ୍ରୱାଲଙ୍କୁ ଗୁରୁ ଦାୟିତ୍ୱ

Key Points
ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ନଆ ଦାୟିତ୍ୱ
ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥ ପରିଚାଳନା ଦାୟିତ୍ୱ ତୁଲାଇବେ ଅରବିନ୍ଦ
ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନା ଦାୟିତ୍ୱ ଦେଲେ ସରକାର । ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱ ସହ ରଥ ପରିଚାଳନା ଦାୟିତ୍ୱ ତୁଲାଇବେ ଅରବିନ୍ଦ । ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି ଅରବିନ୍ଦ ଅଗ୍ରୱାଲ । ଶରଧା ବାଲିରେ ଦଳାଚକଟା ଘଟଣାରେ ୩ ଜଣଙ୍କ ମୃତ୍ୟୁ ପରେ ମୋହନ ସରକାର ଅରବିନ୍ଦଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ।
ରବିବାର ଭୋରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧା ବାଲିରେ ଏକତ୍ରିତ ହୋଇଥିବାବେଳେ ଭକ୍ତଙ୍କ ମଧ୍ୟରେ ଦଳାଚକଟା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ମୃତକମାନଙ୍କ ମଧ୍ୟରୁ ଜଣେ ନୟାଗଡ଼ର ହୋଇଥିବାବେଳେ ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଏହାସହ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦେଶ ଦେଇଛନ୍ତି । ଏଣିକି ପିନାକ ମିଶ୍ର ପୁରୀର ନୂଆ ଏସ୍ପି ଭାବେ ଦାୟିତ୍ୱ ତୁଲାଇବେ । ସେହିପରି ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।
ତେବେ ଶରଧାବାଲିରେ ଘଟିଥିବା ଅଘଟଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି । ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।