ହୀରାକୁଦ ଡ୍ୟାମର ସର୍ବେକ୍ଷଣ ସହ ମରାମତିକୁ କ୍ୟାବିନେଟ୍ ମଞ୍ଜୁରୀ, ନିର୍ମାଣ ହେବ ୪ ସେତୁ

Key Points
ରାଜ୍ୟ କ୍ୟାବିନେଟ୍ରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ସଂଶୋଧିତ ପ୍ରସ୍ତାବ ଅନୁସାରେ ଏହି ନୀତିର ଅବଧି ମଧ୍ୟରେ ଅର୍ଥାତ ୧୫ ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟବହାର ନିମନ୍ତେ ହ୍ୱିଲିଂ ଚାର୍ଜରେ ୨୫ ପ୍ରତିଶତ ପରିବର୍ତ୍ତେ ୫୦ ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି । ତେବେ ଅନ୍ୟ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡିକ ପାଇଁ ହ୍ୱିଲିଂ ଚାର୍ଜରେ ପ୍ରଚଳିତ ୨୫ ପ୍ରତିଶତ ଛାଡ଼ ବଳବତ୍ତର ରହିବ ।
ଡ୍ୟାମ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ
ରାଜ୍ୟ କ୍ୟାବିନେଟ୍ ୧,୦୬୬.୩୮ କୋଟି ଟଙ୍କା ଆନୁମାନିକ ମୂଲ୍ୟରେ ଆଗାମୀ ୬ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଇନ୍ଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ଡ୍ୟାମ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ-୩ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଅଧିନରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ପ୍ରକଳ୍ପ ଗୁଡ଼ିକ ହେଲା
୧) ହୀରାକୁଦ ଡ୍ୟାମର ବାମ ପାର୍ଶ୍ଵରେ ଅତିରିକ୍ତ ସିଲୱେ ନିର୍ମାଣ ।
୨) ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଏବଂ ଉନ୍ନତିକରଣ ।
📱 Get Argus News App
✨୩) ହୀରାକୁଦ ଡ୍ୟାମ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଫାଟକ ଗୁଡିକୁ ସ୍କାଡା ବା Supervisory Control and Data Acquisition ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ ।
ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବରେ ନିଷ୍କାସିତ କରାଯାଇ ପାରିବ । ଏତଦ୍ବ୍ୟତୀତ ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଏବଂ ଉନ୍ନତିକରଣ ଦ୍ୱାରା ଡ୍ୟାମଟିକୁ ଦୀର୍ଘସ୍ଥାୟୀ କରାଯାଇ ପାରିବ ।
୪ ସେତୁକୁ ଅନୁମୋଦନ
ସେହିଭଳି ଭଦ୍ରକ-ଚାନ୍ଦବାଲି ରାସ୍ତାର ବୈତରଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ କେନ୍ଦ୍ରାପଡା ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ଏକ ସେତୁ ନିର୍ମାଣ ହେବ । ଏହି ସେତୁ ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବ । ଏଥିପାଇଁ ୨୦୬ କୋଟି ୮୮ ଲକ୍ଷ ୨୩ ହଜାର ୮୨୮ ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡର ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକୁ ୩୬ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ ଦ୍ଵିତୀୟ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ବ୍ରାହ୍ମଣୀ ନଦୀ ଉପରେ ୪ ଲେନ୍ ବିଶିଷ୍ଟ ସେତୁ ପ୍ରକଳ୍ପ ବର୍ତ୍ତମାନର ପୁରୁଣା ସେତୁ ନିକଟରେ ନିର୍ମାଣ କରାଯିବ । ଏହି ରାସ୍ତା ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବ । ରାଜ୍ୟ କ୍ୟାବିନେଟ୍ ୨୨୮ କୋଟି ୯୯ ଲକ୍ଷର ସର୍ବନିମ୍ନ ଟେଣ୍ଡର ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକୁ ୩୬ ମାସରେ ଭିତରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି ।
ମହାନଦୀ ଉପରେ ଝାରସୁଗୁଡା ଜିଲ୍ଲାର ପୂଜାରୀପଲ୍ଲୀ ଘାଟଠାରେ ଏକ ସେତୁ ନିର୍ମାଣ କରାଯିବ । ଯାହା କି ବରଗଡ଼ ଜିଲ୍ଲାର ଜରିମୂଲିକୁ ସଂଯୋଗ କରିବ । ଏହି ପ୍ରକଳ୍ପ ପୁରୁଣା ଏନ୍ଏଚ୍-୨୦୦ ବା ବର୍ତ୍ତମାନର ଏନ୍ଏଚ୍-୪୯କୁ ବରଗଡ଼ର ଡୁଙ୍ଗୁରୀ ସହିତ ସଂଯୋଗ କରିବ । ରାଜ୍ୟ କ୍ୟାବିନେଟ୍ ଏଥିପାଇଁ ୨୩୯ କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡର ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକୁ ୩୬ ମାସରେ ଭିତରେ ସଂମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି ।
କଟକ-ଚାନ୍ଦବାଲି ରାସ୍ତାର ଭାରିଗଡା ଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ଏକ ସେତୁ ନିର୍ମାଣ ହେବ । ବୈତରଣୀ ନଦୀ ଉପରେ ଏହି ଚାରି ଲେନ୍ ବିଶିଷ୍ଟ ସେତୁ ଦ୍ୱାରା ପର୍ଯ୍ୟଟକ ମାନଙ୍କୁ ବହୁତ ସୁବିଧା ମିଳିବ । ଏହି ରାସ୍ତା ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବ । ଏଥିପାଇଁ କ୍ୟାବିନେଟ୍ ୨୨୧ କୋଟି ୫୩ ଲକ୍ଷ ମୂଲ୍ୟର ସର୍ବନିମ୍ନ ଟେଣ୍ଡର ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକୁ ୩୬ ମାସରେ ଭିତରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି ।