ଛତିଶଗଡ଼ ବିଜାପୁରରେ ମାଓ ବିରୋଧୀ ଅଭିଯାନରେ ବଡ଼ ସଫଳତା

ନକ୍ସଲ ବିରୋଧୀ ଅପରେସନରେ ବଡ଼ ସଫଳତା । ଏକା ସାଙ୍ଗରେ ଆତ୍ମସମର୍ପଣ କଲେ 50 ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦ ବିରୋଧରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ୬୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୧୪ ଜଣ ମାଓବାଦୀଙ୍କ ସମେତ ମୋଟ ୫୦ ଜଣ ମାଓବାଦୀ ପୋଲିସ ଅଧୀକ୍ଷକ ଜିତେନ୍ଦ୍ର ଯାଦବଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ଏବଂ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆତ୍ମସମର୍ପଣକାରୀଙ୍କ ମଧ୍ୟରେ PLGA ବାଟାଲିୟନ ନମ୍ବର 1, କମ୍ପାନୀ ନମ୍ବର 2 ଏବଂ 7, 3 ACM ସ୍ତରୀୟ ସଦସ୍ୟ, ଜନତାନା ସରକାର ସଭାପତି, KAMS ସଭାପତି, CNM ସଦସ୍ୟ, ମିଲିସିଆ କମାଣ୍ଡର ଏବଂ ଡେପୁଟି କମାଣ୍ଡର ସାମିଲ ଅଛନ୍ତି। ସୁରକ୍ଷା ବାହିନୀର ନିରନ୍ତର ଅପରେସନ, ସରକାରଙ୍କ ପୁନର୍ବାସ ନୀତି, ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ବିକାଶ ଯୋଜନାର ପ୍ରଭାବ ଯୋଗୁଁ ମାଓବାଦୀମାନେ ସଂଗଠନ ଆଡୁ ମୁହଁ ଫେରାଉଛନ୍ତି। ଏହା ବ୍ୟତୀତ, ସଂଗଠନ ଭିତରେ ବଢ଼ୁଥିବା ମତଭେଦ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାର ଇଚ୍ଛା ମଧ୍ୟ ଆତ୍ମସମର୍ପଣର ପ୍ରମୁଖ କାରଣ ପାଲଟିଛି।
୨୦୨୪ ମସିହାରୁ ଏପର୍ଯ୍ୟନ୍ତ ମୋଟ ୬୫୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି, ୩୪୬ ଜଣ ଆତ୍ମସମର୍ପଣ କରିଛନ୍ତି ଏବଂ ୧୪୧ ଜଣ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁନର୍ବାସ ଯୋଜନା ଅଧୀନରେ ପ୍ରତ୍ୟେକଙ୍କୁ 25,000 ଟଙ୍କାର ପ୍ରୋତ୍ସାହନ ରାଶିର ଚେକ୍ ପ୍ରଦାନ କରାଯାଇଛି।ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୁନର୍ବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି । ଏହି ପଦକ୍ଷେପ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଏବଂ ବିକାଶର ନୂତନ ପଥ ଖୋଲିବ ବୋଲି ଆଶା ପ୍ରକାଶ କରାଯାଉଛି।