ରାମନବମୀ; ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା

ରାମ ନାମରେ ପ୍ରକମ୍ପିତ ଗଗନ ପବନ । ଚାରିଆଡେ ଶୁଭୁଛି ଜୟ ଶ୍ରୀ ରାମ ଧ୍ୱନି । ପବିତ୍ର ରାମନବମୀ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରାଟ ବାଇକ ଶୋଭାଯାତ୍ରା କରାଯାଉଛି ।
ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର । ସହରରେ ଥିବା ବିଭିନ୍ନ ସାହି ବସ୍ତି ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ପ୍ରଭୁ ଶ୍ରୀରାମ,ହନୁମାନଙ୍କର ରଥ ବାହାରିଛି । ସେଥିପାଇଁ ବିଭିନ୍ନ ଯୁବ ସଂଗଠନ ଏନେଇ ପ୍ରସ୍ତୁତି କରିଛନ୍ତି । ଚଳିତ ବର୍ଷ ସହର ମୁଖ୍ୟ ବଙ୍କ ସାହି ଯୁବ ସଂଗଠନ ପକ୍ଷରୁ ଏଥର ନିଆରା ମେଡଢ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କର ଶବରୀ ଅଇଁଠାକୁ ନେଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଁଚିଛି ।
ସେହିପରି ଏକ ଶୋଭାଯାତ୍ରା ଗାଡ଼ିରେ ନୂଆ କରି ନାଚ ଗୀତ ମାଧ୍ୟମରେ ଶୋଭାଯାତ୍ରା କରାଯାଇଛି । ସେହିପରି ଅନ୍ୟପଟେ ସହରରେ ସାମଲ କମ୍ପ୍ଲେସ ଠାରେ ହଜାର ହଜାର ଶ୍ରୀରାମ ଭକ୍ତ ମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭବ୍ୟ ଦିବ୍ୟ ଆକାରରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ଜନ୍ମଦିନ ପାଳନ କରାଯାଉଛି । ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶ୍ରୀରାମ ନବମୀ ଅବସରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ସମ୍ମନ୍ନୟ ସମିତି ପକ୍ଷରୁ ବିରାଟ ବାଇକ ଶୋଭାଯାତ୍ରା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବାଇକ ଶୋଭାଯାତ୍ରାରେ ଯୋଗଦେଇଛନ୍ତି । ଗୋବିନ୍ଦତୋଲାରୁ ବାଇକ ଶୋଭାଯାତ୍ରା ବାହାରି ଜେଲଛକ, ଭୁତାପଡା, ମୋତିଝରଣ, ସୁନାପାଲି, ଧନକଉଡ ଦେଇ ସହର ପରିକ୍ରମା କରିଛି ।
📱 Get Argus News App
✨ସେହିପରି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ କଣ୍ଟାବାଞ୍ଜି ସହବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକ ଅଞ୍ଚଳରେ ଧୁମଧାମରେ ରାମନବମୀ ପାଳିତ ହୋଇଯାଇଛି । ଡିଜେ,ଘଣ୍ଟ, ଶଙ୍ଖ, ଦୁଲଦୁଲି ବାଦ୍ୟରେ ଶୋଭଯାତ୍ରା ସହର ପରିକ୍ରମା କରିଥିବାବେଳେ ଏଥିରେ ଶହ ଶହ ଲୋକ ସାମିଲ ହୋଇଥିଲେ । ଏଥିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ଏହି ଶୋଭାଯାତ୍ରାରେ ନାଚିବା ସହ ସବୁଆଡେ ରାମମୟ ହୋଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ । ଏଥିରେ ରାମସେନା ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।
ସାରା ଭାରତ ବର୍ଷରେ ରାମନବମୀ ଉତ୍ସଵ ମହା ଆଡମ୍ବରରେ ପାଳନ କରାଯାଉଛି । ସେହିପରି ହୁନୁମାନ ଶୋଭାଯାତ୍ରା ପାଇଁ ପ୍ରସିଦ୍ଧ ରାଜଗାଙ୍ଗପୁର ସହରରେ ମଧ୍ୟ ଧୁମଧାମରେ ହନୁମାନ ଶୋଭାଯାତ୍ରା ଆରମ୍ଭ ହୋଇଛି । ତେବେ ଏଥରର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ମହାଭାରତ ସିରିଏଲରେ ଦୁର୍ଯ୍ୟୋଧନଙ୍କ ଭୂମିକାରେ ଅଭିନୟ କରିଥିବା ପୁନୀତ ଇଶ୍ୱର । ସେ ଆଜି ରାଜଗାଙ୍ଗପୁରର ତାଲିକି ପଡ଼ା ସ୍ଥିତ ହନୁମାନ ମନ୍ଦିରରେ ଯୋଗଦେଇଥିଲେ । ସେ ଶ୍ରୀରାମଙ୍କ ଗୁଣଗାନ କରିବା ସହିତ ଦେଶବାସୀଙ୍କୁ ରାମନବମୀର ଶୁଭେଚ୍ଛା ଜଣାଇଥିଲେ ଏବଂ ଖୁବ ଶୀଘ୍ର ଦେଶରେ ରାମରାଜ୍ୟ ହେବ ବୋଲି କହିଥିଲେ ।
ପ୍ରତ୍ୟେକ ହିନ୍ଦୁ ସନାତନୀଙ୍କ ଧାର୍ମିକ ଭାବନା ସହ ଜଡିତ ଶ୍ରୀରାମ ନବମୀ ପାଇଁ ସବୁଠି ଉତ୍ସାହର ମାହଲ । କମଳା ରଙ୍ଗର ପତାକାରେ ଝଲସୁଛି ବାରିପଦା ସହରର ଗଳିକନ୍ଦି । ଭବ୍ୟ ଦିବ୍ୟ ଭାବରେ ଏହାକୁ ପାଳନ ପାଇଁ ଲାଗିଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ । ଶୋଭାଯାତ୍ରାକୁ ଆକର୍ଷଣ କରିବା ପାଇଁ ବିଭିନ୍ନ ଲୋକନୃତ୍ୟ ସହ ରାମ ଲକ୍ଷ୍ମଣ ସୀତା ହନୁମାନ ବେଶରେ ସଜେଇ ହୋଇଛନ୍ତି ସନାତନୀ ଭକ୍ତ । ଗୁଞ୍ଜରିତ ହେଉଛି ଶ୍ରୀରାମ ନାମ ଓ ରାମନବମୀ ଶୋଭାଯାତ୍ରା ପରିକ୍ରମା ବେଳେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଶୋଭାଯାତ୍ରା ମଧୁବନ ପଡିଆରୁ ବାହାରି ବାଲେଶ୍ଵର ଗୋଲେଇ , ଜଗନ୍ନାଥ ମନ୍ଦିର , କଲେଜ ଛକ, ଟ୍ରାଫିକ ସ୍କୋୟାର , ବିଜୁ ପଟ୍ଟନାୟକ ଗୋଲେଇ , କଚେରୀ ଦେଇ ଛଉପଡିଆରେ ପହଞ୍ଚିବା ପରେ ସେଠାରେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ହୋଇଛି ।
