Food Safety / ବିରିୟାନି ଖାଇ ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ୧୫ ଗୁରୁତର

Key Points
ଅନୁଗୋଳ କଣିହାଁରେ ଖାଦ୍ୟରେ ବିଷକ୍ରିୟା ଆଶଙ୍କା
ଗୁରୁତରଙ୍କ ଭିତରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି
ଅବସ୍ଥା ସଂକଟାପନ୍ନ ହେବାରୁ ୨ ଶିଶୁ ପାଳଲହଡ଼ା ସ୍ଥାନାନ୍ତର
ବିରିୟାନି ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର । ଏଭଳି ଏକ ଘଟଣା ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଭାଲିଆବେଡ଼ା ଗ୍ରାମରେ ଘଟିଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର କିଛି ଲୋକ ନିଜେ ବିରିୟାନି ପ୍ରସ୍ତୁତ କରି ଖାଇଥିଲେ । ତେବେ ଏହାର ପରଦିନ ଅର୍ଥାତ୍ ଶନିବାର ସନ୍ଧ୍ୟାରୁ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଅଳ୍ପ ସମୟ ମଧ୍ୟରେ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡ଼ିଥିଲେ ।
ଅସୁସ୍ଥଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୨ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରୁ ସେମାନଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପକ୍ଷରେ ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣାକୁ ନେଇ ଭାଲିଆବେଡ଼ା ଗ୍ରାମରେ ଆତଙ୍କ ଖେଳିଯାଇଛି । ବିରିୟାନି ଖାଇବା ପରେ ଏତେ ସଂଖ୍ୟକ ଲୋକ ଅସୁସ୍ଥ ହୋଇଥିବାରୁ ଖାଦ୍ୟରେ ବିଷକ୍ରିୟା ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏହାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।
📱 Get Argus News App
✨Related Topics
Explore more stories