ଜଳ ଜଳ ଦିଶୁଛି ଦଳରେ ଫାଟ, ଯେତେ ଚାପିଲେ ବି ଲୁଚୁନି କଳି

Key Points
ଥମୁନି ବିଜେଡି କଳି
ଜଳ ଜଳ ଦିଶୁଛି ଦଳରେ ଫାଟ
ଦଳର କଣ୍ଟ୍ରୋଲରେ ନାହାନ୍ତି ନେତା
ଯେତେ ଚାପିଲେ ବି ଲୁଚୁନି କଳି
ଅର୍ଗସ ବ୍ୟୁରୋ: ସରକାର ଯିବା ପରେ ଏବେ ଆଉ ଆୟତ୍ତରେ ନାହାନ୍ତି BJD ନେତା । କେହି କାହାକୁ ଛାଡ଼ିବାକୁ ନାରାଜ । ଦୀର୍ଘ ଦିନ ଧରି ଚାପି ହୋଇରହିଥିବା ରାଗ ଏବେ ଜ୍ବାଳାମୁଖିର ରୂପ ନେଉଛି । ଆଉ ସେହି ଜ୍ବାଳାରେ ଜଳିଯିବ ବିଜେଡି । ଏନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । କାରଣ ଭୁବନେଶ୍ବର ଶଙ୍ଖ ଭବନ କଳି ପରେ ଦଳର ବରିଷ୍ଠ ନେତାଙ୍କ ବୟାନରୁ ସ୍ପଷ୍ଟ ବାରି ହେଉଥିଲା ଦଳରେ ସବୁ କିଛି ଠିକ୍ ଚାଲିନି ।
ଆଉ ଏହାର କିଛି ଦିନ ପରେ ପୁଣି ପୁରୀରୁ ସାମ୍ନାକୁ ଆସିଛି ବିଜେଡି କଳି । ତାହା ପୁଣି ସମସ୍ତଙ୍କ ସାମ୍ନାରେ... ସଭା ମଞ୍ଚ ଉପରେ । ବିଜେଡିର ଦୁଇ ନେତାଙ୍କ କଥା କଟାକଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁ ଦଳରେ ନେତା ଦିନେ.. କିଛି କହିବା ପୂର୍ବରୁ ୧୦୦ ଥର ଭାବୁଥିଲେ.. ଅନୁମତି ନମିଳିଲେ ପାଟି ଖୋଲୁନଥିଲେ.. ଆଜି ନିଜ ଦଳର ନେତାଙ୍କୁ କରୁଛନ୍ତି ଟାର୍ଗେଟ ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପୁରୀରେ ଚାଲିଥିଲା ବିଚ୍ ଫେଷ୍ଟିଭାଲ । ଆଉ ଏହାର ଶ୍ରେୟ ନେବା ପାଇଁ ବିଜେଡି ବିଧାୟକ ସୁନିଲ ମହାନ୍ତି ଓ ରାଜ୍ୟସଭା ସାଂସଦ ଶୁଭାଷିଶ୍ ଖୁଣ୍ଟିଆଙ୍କ ମଧ୍ୟରେ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା କଥା କଟାକଟି । ପ୍ରଥମେ ଶୁଭାଶିଷ କହିଥିଲେ ହୋଟେଲ ଆସୋସିଏସନ୍ ସହଯୋଗରେ ପୁରୀ ବିଚ୍ ଫେଷ୍ଟିଭାଲ ହୋଇପାରିଛି । ଆଉ ଏହି କଥାକୁ କାଟି ସୁନୀଲ କହିଥିଲେ `ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ପୁରୀ ବିଚ୍ ଫେଷ୍ଟିଭାଲ ଆରମ୍ଭ କରିଥିଲେ ।
ଉଭୟଙ୍କର ଏଭଳି କଥା କଟାକଟି ଭିତରେ ବିଧାୟକ ସୁନୀଲ ମହାନ୍ତୀଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ହୋଟେଲ ଆସୋସିଏସନ ଉପସଭାପତି ରାଜକିଶୋର ପାତ୍ର । ସେ ସିଧା ସିଧା କହିଛନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ହିଁ ବିଚ୍ ଫେଷ୍ଟିଭାଲ ଆରମ୍ଭ କରିଥିଲେ । ଏଥିରେ ପ୍ରମୁଖ ସହଯୋଗ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଅନ୍ୟ ରାଜନେତାମାନେ ସହଯୋଗ କରିଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ପରଠାରୁ ପ୍ରାୟ ୨୫ ବର୍ଷ ହେବ ଏହା ବନ୍ଦ ରହିଥିଲା।
ଅନ୍ୟପଟେ ବରିଷ୍ଠ ରାଜନୈତିକ ସମୀକ୍ଷକ ବଦ୍ରୀ ମିଶ୍ର ମଧ୍ୟ ସିଧାସଳଖ ଭାବେ ବିଚ୍ ଫେଷ୍ଟିଭାଲ୍ କାର୍ଯ୍ୟକ୍ରମ ହୋଟେଲ୍ ଆସୋସିଏସନ୍ ଚେଷ୍ଟାରେ ଆରମ୍ଭ ହୋଇଥିବା କହି ବିଧାୟକଙ୍କୁ ଟାର୍ଗେଟ କରିବା ସହ ବିଜେଡି କଳିକୁ ତୀବ୍ର ସମାଲୋଚନା କରିଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର:
