ସରୁନି ବିଜେଡି କଳି; ନବୀନ ତାଗିଦ୍ କଲେ, ତଥାପି ଅମାନିଆ ନେତା !

ବିଜେଡି ମୁଖିଆଙ୍କ ତାଗିଦକୁ ନାହିଁ ନେତାଙ୍କ ଖାତିର । ଦଳ ହାଇଜ୍ୟାକ୍ ହୋଇଥିବା ଗନ୍ଧ ବାରିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନବୀନଙ୍କୁ ଲେଖିଲେ ତିନି ପୃଷ୍ଠାର ଚିଠି । ବିଜେଡି ହାଇଜ୍ୟାକ୍ ପଛରେ କିଏ, କାହାକୁ ଇସାରା କଲେ ରାଜା ? ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କି ରାଜା ? ସେପଟେ ସୁଲତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବର୍ଷିଲେ ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ ସୋସିଆଲ ମିଡିଆ ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ସୁଲତା ।
ସାଂଗଠନିକ ନିର୍ବାଚନ ଭିତରେ ନବୀନଙ୍କ ପାଇଁ ଅଡ଼ୁଆ ବଢାଇଲେ ରାଜା । ସଂଗଠନ ଭିତରେ ସଂରକ୍ଷଣ ଦାବି କରି ନବୀନଙ୍କୁ ଲେଖିଲେ ଚିଠି । ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ ବୋଲି ଦାବି ରଖିଛନ୍ତି ରାଜା । ସେହିପରି ୱାକପ୍ ବିଲ୍ ଭୋଟିଂ ବେଳେ ସାଂସଦଙ୍କ ଭୋଟ ଦଳର ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ବୋଲି ଲେଖିଛନ୍ତି ରାଜା।
ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଦେଇଛନ୍ତି ପ୍ରସ୍ତାବ । କେବଳ ସେତିକି ନୁହେଁ କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ ବୋଲି କହି କୁହୁଳୁ ଥିବା ଦଳୀୟ ବିବାଦରେ ଢାଳିଛନ୍ତି ଘିଅ । ରାଜା ସ୍ୱାଇଁଙ୍କ ଭଳି ବରିଷ୍ଠ ବିଧାୟକଙ୍କ ଚିଠି ବିଜେଡି କ୍ୟାମ୍ପରେ ସୃଷ୍ଟି କରିଛି କମ୍ପନ । ଜବାବ ଦେବାକୁ ସାମ୍ନାକୁ ଆସି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ହାଇଜ୍ୟାକ୍ କଥା ରାଜା ହିଁ ଜାଣିଥିବେ ।
ସେପଟେ ସୁପ୍ରିମୋଙ୍କ ମନ୍ତବ୍ୟ ପରେ ବି ଥମିବାର ନାଁ ଧରୁନି ବୟାନବାଜି । ୱାକପ୍ ବିଲ୍ ପ୍ରସଙ୍ଗରେ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରି ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ କରିଥିଲେ ଟାର୍ଗେଟ । ଯାହାର କଡ଼ା ଜବାବ ରଖିଛନ୍ତି ଦେବାଶିଷ । ସୁପ୍ରିମୋଙ୍କ କହିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଦଳୀୟ ଶୃଙ୍ଖଳା ସୁଲତା ଭାଙ୍ଗିଥିବାରୁ ନବୀନ ବିଚାର କରିବେ ବୋଲି କହିଛନ୍ତି ଦେବାଶିଷ ।
ଅନ୍ୟପଟେ ବରିଷ୍ଠ ନେତାଙ୍କ ମେଳି ପରେ ପୂର୍ବତନ ବିଜେଡି ବିଧାୟକ ହୃଷିକେଶ ନାଏକଙ୍କ ବିସ୍ଫୋରକ ବୟାନ୍ । କହିଛନ୍ତି, ମୋ ବିଶ୍ବାସରେ ବିଷ ଦେଇଥିବା ବିଜୁ ଜନତା ଦଳ ଧ୍ବଂସ ହୋଇଯିବ । ପାଣ୍ଡିଆନଙ୍କୁ ବିଦା କଲେ ହିଁ ଦଳ ରହିବ ।
ରାଜନୈତିକ ସମୀକ୍ଷକ ଆକଳନ କରିଥିଲେ କ୍ଷମତାରୁ ଗଲା ପରେ ଭାଙ୍ଗିଯିବ ବିଜେଡି । କ୍ଷମତାରେ ଥିବା ବେଳେ ଅଫିସରଙ୍କ ବଳରେ ଦଳକୁ ନିୟନ୍ତ୍ରଣ କରୁଥିଲେ ମୁଖିଆ । ସରକାର ଗଲା ଅଫିସର ଗଲେ ଏବେ ନେତା ମାନିବାକୁ ନାରାଜ । ବିଜେଡି ଭିତରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରୁଥିବା ବେଳେ ଏହାକୁ ପ୍ରଶମିତ କରିବା ପାଇଁ ନବୀନ ପଲିଟିକାଲ୍ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ କରୁଥିବା ଚର୍ଚ୍ଚା ହେଉଛି । ତେବେ ସେହି କମିଟି, ଆନୁଗତ୍ୟ ଆଧାରରେ କେବଳ ପାଣ୍ଡିଆନ ମାର୍କା ନେତାଙ୍କୁ ନେଇ ଗଠନ ହେବ ନା ଦକ୍ଷତା ଓ ଅଭିଜ୍ଞତା ଆଧାରରେ ବରିଷ୍ଠ କନିଷ୍ଠ ସମସ୍ତଙ୍କୁ ସମାନ ସୁଯୋଗ ମିଳିବ ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା ।