Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ୨୦୨୫ରେ ବିଦ୍ରୋହ ଫାଶରେ ଅଧିକ ଛନ୍ଦିହେଲା BJD

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·3 min read
୨୦୨୫ରେ ବିଦ୍ରୋହ ଫାଶରେ ଅଧିକ ଛନ୍ଦିହେଲା BJD
Odisha Politics

Key Points

ନୂଆ ସଭାପତି ମିଳିଲେ ବି କଂଗ୍ରେସ ପିଛା ଛାଡ଼ିଲାନି ଦଳୀୟ କନ୍ଦଳ ।
ନୂଆପଡ଼ା ଉପ ନିର୍ବାଚନକୁ ନେଇ ହେଲା ବଡ଼ ଘମାସାନ ।


ରାଜ୍ୟ ରାଜନୀତିରେ ବେଶ୍ ଘଟଣା ବହୁଳ ରହିଲା ବର୍ଷ ୨୦୨୫ । ଗୋଟିଏ ବର୍ଷ ପୂରଣ କଲା ବିଜେପି ସରକାର । ୟା ଭିତରେ ଦଳ ଅଧିକରୁ ଅଧିକ ମଜଭୁତ ହେଲା । ଯାହାର ପ୍ରମାଣ ନେଲା ନୂଆପଡ଼ା ଉପନିର୍ବାଚନ। ଯେଉଁଥିରେ ବମ୍ପର ବିଜୟ ହାସଲ କଲା ଶାସକ ଦଳ। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବିଦ୍ରୋହର ଜାଲରେ ଫସି ଚାଲିଲେ ବିରୋଧୀ ଦଳ। ବିଜେଡି ହେଉ କି କଂଗ୍ରେସ ଉଭୟ ଦଳ ପାଇଁ ଏବେ ଦଳୀୟ କନ୍ଦଳ ପାଲଟିଛି କାଳ।

ବର୍ଷ ୨୦୨୫ । ଓଡିଶା ରାଜନୀତିରେ ଘଟଣା ବହୁଳ ବର୍ଷ । ୨୪ ସାଧାରଣ ନିର୍ବାଚନରେ ଏକାକୀ କ୍ଷତାକୁ ଆସିବା ପରେ ଶାସକ ବିଜେପି ପାଇଁ ଥିଲା ଅନେକ ଚାଲେଞ୍ଜ । ୟା ଭିତରେ ପୁଣି ଥରେ ରାଜ୍ୟ ସଭାପତି ଦାୟିତ୍ୱ ପାଇଲେ ମନମୋହନ ସାମଲ । ଦଳ ପାଇଁ ପ୍ରଥମ ନିର୍ବାଚନୀ ଏସିଡ୍ ଟେଷ୍ଟ ହେଲା ନୂଆପଡ଼ା ବାଇ ଇଲେକ୍ସନ । ରେକର୍ଡ ବିଜୟ ପଦ୍ମ ଦଳକୁ ଦେଲା ବୁଷ୍ଟର ଡୋଜ୍ ।

ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଶାରେ ଆୟୋଜିତ ହେଲା ଗୋଟିଏ ପରେ ଗୋଟିଏ ବଡ଼ ଜାତୀୟ ଇଭେଣ୍ଟ । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡିଶା ସମ୍ମିଳନୀ ଭଳି କାର୍ଯ୍ୟକ୍ରମର ସପଳ ଆୟୋଜନ ରାଜ୍ୟର ଗୌରବ ବଢ଼ାଇଲା।

ତେବେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ। ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସହ ଲୋକଙ୍କ ପାଖରେ ହିସାବ ରଖିଥିଲେ ସରକାର । ୨୧ ରୁ ୧୧ଟି ପ୍ରତିଶ୍ରୁତି ପୂରଣ କରିଥିବା କହିଲେ। ବଡ଼ କଥା ହେଲା ୫ ଲକ୍ଷ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଦେଢ଼ ବର୍ଷ ଧରି ବିଳମ୍ବ ହୋଇଥିବା ସରକାରୀ ଓକିଲ ଓ ନିଗମ ବୋର୍ଡ ନିଯୁକ୍ତି ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।

ବର୍ଷ ୨୦୨୫ ବିଜେଡି ପାଇଁ ଥିଲା ଅଗ୍ନୀ ପରୀକ୍ଷାର ବେଳ । ବର୍ଷ ତମାମ ଦଳର ପିଛା ଛାଡ଼ିଲାନି ବିବାଦ । ମେଳି ପଲିଟିକ୍ସରେ ଛନ୍ଦି ହୋଇ ରହିଲା ଶଙ୍ଖ ଦଳ । ପାଣ୍ଡିଆନ ଦମ୍ପତ୍ତିଙ୍କ ବିରୋଧରେ ବିଜେଡି ଭିତରେ ତେଜିଲା ଅସନ୍ତୋଷ । ଯୁବ ଓ ବରିଷ୍ଠ ନେତାଏ ମେଳି ବାନ୍ଧି ଦଳ ପରିଚାଳନା ଉପରେ ଉଠାଇଲେ ପ୍ରଶ୍ନ । ଏପ୍ରିଲ ୧୯ରେ ନବମ ଥର ପାଇଁ ବିଜେଡି ସଭାପତି ପଦରେ ବସିଲେ ନବୀନ । ତା ସତ୍ତ୍ୱେ ବି କମିଲାନି ଅସନ୍ତୋଷ । ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ଗୋ ବ୍ୟାକ୍ ନାରା ।

ଜୁନ୍ 20ରେ ମୁମ୍ବାଇର କୋକିଳା ବେନ୍ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲକୁ ସରଭିକାଲ ଅର୍ଥାରାଇଟ୍‌ସ ଚିକିତ୍ସା ପାଇଁ ଯାଇ ୨୨ ଦିନ ପରେ ଓଡ଼ିଶା ଫେରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଗଷ୍ଟ ୧୬ରେ ପୁଣି ଥରେ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ଆଉ ହସ୍ପିଟାଲରୁ ପାଣ୍ଡିଆନଙ୍କ ହାତ ଧରି ବାହାରିବା ଭିଡିଓ ବିଜେଡି ରାଜନୀତିକୁ କରିଦେଲା ହଲଚନ । ହସ୍ପିଟାଲରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଇ ଆମ୍ ଡାଉନ୍, ନଟ୍ ଆଉଟ୍ କହି, ସସପେଣ୍ଡ କରିବାକୁ ପାଣ୍ଡିଆନଙ୍କ ଧମକ ଚର୍ଚ୍ଚା ଜୋର ଧରିଥିଲା । ବର୍ଷ ଶେଷରେ ପ୍ରତିଷ୍ଠ ଦିବସ ଅବସରରେ ହେଭିୱେଟ ବଦ୍ରି ପତ୍ର, ପ୍ରଭାତ ବିଶ୍ୱାଳ, ମୁନା ଖାଁ ଙ୍କ ଭଳି ନେତାଙ୍କ ବୟାନ ବି ବିଜେଡି ରାଜନୀତିକୁ ହଲଚଲ କଲା।

୨୦୨୫ ବର୍ଷ ଆରମ୍ଭରୁ କଂଗ୍ରେସ ପାଇଲା ନୂଆ ସଭାପତି । ଭକ୍ତ ଦାସ ଦାୟିତ୍ୱ ନେବା ପରେ ବିଧାନସଭାରେ ଭିନ୍ନ ଅନ୍ଦାଜରେ ଦେଖାଗଲା କଂଗ୍ରେସର ଭିନ୍ନ ଅନ୍ଦାଜ। ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସବୁ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିଥିଲେ ବାଚସ୍ପତି । ରାଜ୍ୟ କଂଗ୍ରେସକୁ ସବୁଠୁ ଅଧିକ ଉତ୍ସାହିତ କରିଥିଲା ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ଗସ୍ତ।କିନ୍ତୁ ନୂଆପଡା ପରାଜୟ ପରେ କଂଗ୍ରେସରେ ବାହାରିଲା ପୁରୁଣା ରୋଗ । ଭକ୍ତଙ୍କ ନେତୃତ୍ୱ କୁ ଚ୍ୟାଲେଞ୍ଜ କରି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଏଭଳି ଚିଠି ଲେଖିଲେ ଯେ କଂଗ୍ରେସରେ ଦେଖାଗଲା ବଡ଼ କମ୍ପନ । ପରେ ମୋକିମଙ୍କୁ ଦଳରୁ ବହିଷ୍କାର କରାଗଲା ।

୨୦୨୫ ତ ଯାଉଛି, ୨୦୨୬ କିନ୍ତୁ ସମସ୍ତଙ୍କ ପାଇଁ ରହିବ ଅନେକ ଆହ୍ଵାନ ପୂର୍ଣ୍ଣ । ରାଜ୍ୟ ସଭା ନିର୍ବାଚନ ସହ ୨୦୨୭ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବଡ଼ ଚ୍ୟାଲେଞ୍ଜ ଆଣିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | BJD further weakened by 2025 uprising | Argus News