BJD ଦେଇଥିଲା ଦାଦନ ଦୁଃଖ, BJP ସରକାର ଦେବ ରୋଜଗାର ସୁଖ

କଥା ଦେଇ କଥା ରଖିଲା ବିଜେପି ସରକାର । ଦୂର ହେବ ଦାଦନ ସମସ୍ୟା, ନିଜ ଅଞ୍ଚଳରେ ମିଳିବ ରୋଜଗାର । ପୂର୍ବ ବିଜେଡି ସରକାର ଦେଇଥିଲା ଦାଦନ ଦୁଃଖ । ବିଜେପି ସରକାର ଦେବ ରୋଜଗାର ସୁଖ । ଗତ ସାଧାରଣ ନିର୍ବାଚନର ପ୍ରଥମ ଜନସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମ ଓଡ଼ିଶାରେ ଟେକ୍ସଟାଇଲ ମିଲ୍ ପ୍ରତିଷ୍ଠା ପାଇଁ ଦେଇଥିଲେ ପ୍ରତିଶ୍ରୁତି । ଆଉ କ୍ଷମତାକୁ ଆସିବା ପରେ ସେଇ ପ୍ରତିଶ୍ରୁତି ଏବେ ନେବାକୁ ଯାଉଛି ବାସ୍ତବ ରୂପ ।
ଖୁବଶୀଘ୍ର ବଲାଙ୍ଗିରରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି । ଆଇରନ ଟ୍ରାଙ୍ଗେଲ୍ ଲିମିଟେଡ୍ ପକ୍ଷରୁ ସ୍ଥାପନ ହେବ କପଡା ଉତ୍ପାଦନକାରୀ ଶିଳ୍ପ । ୧୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ସୃଷ୍ଟି ହେବ ୧୨ ଶହ ନିଯୁକ୍ତି ସୁଯୋଗ । ଲାଭ ପାଇବେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଓ ସୋନପୁର ଜିଲ୍ଲା କପା ଚାଷୀ
ବଲାଙ୍ଗିର ଜିଲ୍ଲାରେ ଆଇରନ୍ ଟ୍ରାଙ୍ଗେଲ୍ ଲିମିଟେଡ୍ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି କରିବାକୁ ଯାଉଛି । ଏନେଇ ଗତ ୧୭ ତାରିଖରେ ୧୩୫ ତମ ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନ୍ସ ବୈଠକରେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି ଇଡକୋ । ପ୍ରତିଷ୍ଠା ହେବାକୁ ଯାଉଥିବା ଏହି କପଡା ଉତ୍ପାଦନକାରୀ ଶିଳ୍ପରେ ଖର୍ଚ୍ଚ ହେବ ୧୧୩.୫ କୋଟି ଟଙ୍କା । ଏହାଦ୍ବାରା ବଲାଙ୍ଗିର ଜିଲ୍ଲା ସମେତ ନୂଆପଡ଼ା, କଳାହାଣ୍ଡି ଓ ସୋନପୁର ଜିଲ୍ଲାର ହଜାର ହଜାର କପା ଚାଷୀ ଲାଭ ପାଇବେ । ନିଯୁକ୍ତି ପାଇବେ ପ୍ରାୟ ୧୨ ଶହ ବେକାର ଯୁବକ ଯୁବତୀ ।
ବଲାଙ୍ଗିର ଜିଲ୍ଲାରେ ୭୧ ହଜାର, କଳାହାଣ୍ଡିରେ ୭୦ ହଜାର, ନୂଆପଡ଼ାରେ ୨୦ ହଜାର ଓ ସୋନପୁରରେ ପ୍ରାୟ ୧୦ ହଜାର ହେକ୍ଟରରେ ଉନ୍ନତ ମାନର କପା ଚାଷ ହେଉଛି । ଗତ କିଛି ବର୍ଷ ହେଲା ଭାରତୀୟ କେନ୍ଦ୍ରୀୟ କପା ନିଗମ ବା ସିସିଆଇ ଚାଷୀଙ୍କଠାରୁ କପା କିଣୁଛି । ବଲାଙ୍ଗିର ଜିଲ୍ଲାରେ ଉତ୍ପାଦିତ କପାକୁ ଜିନିଂ କରିବା ପାଇଁ ପ୍ରାୟ ୨୦ଟି ଜିନିଂ ମିଲ୍ ରହିଛି । ବଲାଙ୍ଗିର ଜିଲ୍ଲାରେ ଟେକ୍ସଟାଇଲ୍ ଶିଳ୍ପ ପ୍ରତିଷ୍ଠା ହେଲେ କପା ଚାଷୀ ସିଧାସଳଖ ଲାଭାନ୍ବିତ ହେବେ ।
ଶିଳ୍ପବୀହିନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଚାଷୀ ଓ ବଲାଙ୍ଗିରବାସୀ ସ୍ବାଗତ କରିବା ସହ ସରକାରକୁ ଧନ୍ୟବାଦ ଜଣାଇଛନ୍ତି ।