Odisha Politics / 'ଯଦି ଯନ୍ତ୍ରାଦେଶରେ ସରକାର, ବିରୋଧୀ ଦଳ କାହା ଆଦେଶରେ' ?

Key Points
ପୁଣି ବିଜେଡିକୁ ଝଟ୍କା ଦେଲେ ଆଉ ଜଣେ ଯୁବ ନେତା । ନୂଆପଡ଼ାରେ ବିଜେଡିର ଶୋଚନୀୟ ପରାଜୟ ପରେ ସମସ୍ତେ ଇଭିଏମ୍ ଦୋଷ ଦେବା ଆରମ୍ଭ କରିଥିଲେ । ହେଲେ ଏହାରି ଭିତରେ ଯୁବନେତା ଅଜିତ ବେହେରା ନିଜ ଦଳର ନେତାଙ୍କୁ ଦେଇଛନ୍ତି ପାଲଟା ଜବାବ । ସେ ସିଧା ସିଧା କହିଛନ୍ତି, ନୂଆପଡ଼ା ଜନାଦେଶ ଯଦି ଯନ୍ତ୍ରାଦେଶ କହିବା ଅତ୍ୟନ୍ତ ଦୁଃଖ ଦାୟକ । ଏହା ଜନତାଙ୍କ ମତକୁ ଅପମାନ ବୋଲି ଧରାଯିବ । ସେ ଲେଖିଛନ୍ତି, ବୁଦ୍ଧି ନ ଦିଶଇ ଘରକୁ କହି ଦେଉଥାଇ ପରକୁ । ଯଦି ଯନ୍ତ୍ରାଦେଶରେ ଓଡିଶା ସରକାର ଗଠନ ହୋଇଛି ବିରୋଧୀ ଦଳ କାହା ଆଦେଶରେ ଗଠନ ହୋଇଛି ତାହା ଆଜି ପ୍ରଶ୍ନବାଚୀ ?
ବିଭୀଷଣ ଓ ବେଈମାନ ଉଭୟ ବିଜୁ ଜନତା ଦଳରେ ଦାୟିତ୍ୱ ବହନ କଲେ ଦଳ ଆଗକୁ ବଢ଼ିବ ନା ବିନାଶ ହବ ? ନୂଆପଡା ନିର୍ବାଚନରୁ ଶିକ୍ଷା ମିଳିଛି । ଛାମୁଆ ସଂଗଠନ ନାମରେ ଗର୍ବ ଅହଂକାର ଏବେ ବି ସବୁ ଜାଗାରେ ପରାଜିତ ହେଉଛି । ଦଳର ପତାକା ଧରିଥିବା ଲୋକ ଓ କର୍ମୀ ପଦବୀ ପାଇଲେ ନାହିଁ କିନ୍ତୁ ଆଜି ତାଙ୍କ ପାଦ ଆଗକୁ ବଢିବାକୁ ଥରୁଛି । କର୍ମୀ ନହୋଇ ଟିକେଟ ରାଜନୀତିରେ ନଆସି ସିଧା ରାଜ୍ୟସଭା ପଦ ପାଇଥିବା ବ୍ୟକ୍ତି ଦଳ ପାଇଁ ବୁମେରାଙ୍ଗ ସାଜିଛନ୍ତି । ଛାମୁଆ ସଂଗଠନର ଚିନ୍ତା ଓ କର୍ମୀ ପରାଧୀନ କି ସ୍ୱାଧୀନ, ତାହାବି ଆଜି ପ୍ରଶ୍ନବାଚୀ ବୋଲି କହିଛନ୍ତି ଅଜିତ ।
ସେପଟେ ଶନିବାର ପୁଣି ଶ୍ରୀମୟୀ ମାରିଛନ୍ତି ଚୋଟ । ନୂଆପଡ଼ା ନିର୍ବାଚନ ଫଳକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ଦଳରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର । ଫେସବୁକ୍ ପୋଷ୍ଟରେ ନିଜ ଅସନ୍ତୋଷ ଝାଡ଼ିବା ସହ ବିଜେଡିର ଅନ୍ୟ ନେତା ଓ ନେତ୍ରୀ କିଭଳି ନେତାଙ୍କୁ ପ୍ରଶ୍ନ କରୁଛନ୍ତି ଦର୍ଶାଇଛନ୍ତି । ଶ୍ରୀମୟୀ ମିଶ୍ର ଲେଖିଛନ୍ତି, "ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି ।"
ସେ ଆହୁରି ଲେଖିଛନ୍ତି, "ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କ'ଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା । ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର । ଆମେରିକା ଗସ୍ତର ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର, ହାରିଲା ପରେ ଏବେ Team Virus ନେତାଏ, ମାଡୁନାହାନ୍ତି ଶଙ୍ଖଭବନ । କି କରୁନାହାନ୍ତି ସମୀକ୍ଷା, ଖୋଜୁଛନ୍ତି ନିଜ ତ୍ରାଣ । କେମିତି କରିବେ ଆତ୍ମରକ୍ଷା । ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ?"
ଏହି ପୋଷ୍ଟ କରି ବିଜେଡିର ଅନେକ ଗୁମର ଖୋଲିଛନ୍ତି ଶ୍ରୀମୟୀ । ପୋଷ୍ଟର ପ୍ରଥମ ଧାଡ଼ିରେ ଶ୍ରୀମୟୀ ଦର୍ଶାଇଛନ୍ତି କିଭଳି ଦଳ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଏବେ ନିଆଁ ପିଣ୍ଡୁଳାର ରୂପ ନେଲାଣି, ଆନ୍ଦୋଳନ ଦାନା ବାନ୍ଧିଲାଣି । ଏହାପରେ ନୂଆପଡ଼ା ଉପନିର୍ବାଚନରେ ଦଳ ହାରିଥିବାରୁ କାହାକୁ, କେତେ ଜଣଙ୍କୁ ନିଲମ୍ବନ କରିବ ବୋଲି ଶ୍ରୀମୟୀ ପ୍ରଶ୍ନ ପଚାରିଛନ୍ତି ।
📱 Get Argus News App
✨Related Topics
Explore more stories