ପୁଣି ଥରେ ବିଜେଡିରେ ପାୱାର ଦେଖାଇଲେଣି ବବି ?

Key Points
- ପୁଣି ଥରେ ବିଜେଡିରେ ପାୱାର ଦେଖାଇଲେଣି ବବି ?
- ନିର୍ବାଚନ ପରେ ଗାଏବ ହୋଇଥିଲେ, ଏବେ ଫେରିଲେ
- ନୂଆ କମିଟିରେ ନାହାନ୍ତି, ହେଲେ ବି ସଭା କରୁଛନ୍ତି ?
ଅର୍ଗସ ବ୍ୟରୋ : ବିଜେଡିକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । କାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହେବା ପରେ ବିଜେଡିର ପାୱାରଫୁଲ ନେତା ବବି ଦାସ ଉଭାନ ହୋଇଯାଇଥିଲେ । ଏମିତିକି ନବୀନ ବାବୁ ସବୁ କମିଟି ଭାଙ୍ଗି ନୂଆ କମିଟି ବି ଗଠନ କଲେ । ହେଲେ ଏବେ ବବି କମବ୍ୟାକ୍ କରିବା ପରେ ପୁଣି ଥରେ ଦଳରେ ଦବଦବା ଜାହିର କରୁଥିବା ଦେଖାଗଲାଣି । ଯାହାକୁ ନେଇ ଅନେକ ବରିଷ୍ଠ ନେତା ଅସନ୍ତୋଷ ଝାଡିଲେଣି ।
ଏବେ ବି ବିଜୁ ଜନତା ଦଳରେ ସଭାପତି ନବୀନ ପଟ୍ଟନାୟକ ସାଜିଛନ୍ତି କି ଦେଖଣା ହାରି । ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଚାଲୁଛି ବିଜେଡିର ଦଳୀୟ କାର୍ଯ୍ୟକ୍ରମ ? କେବଳ ଲୋକେ ଦେଖାଣିଆ ନାଁ କୁ ମାତ୍ର ବିଜେଡିର ସମନ୍ୱୟ କମିଟି । କିନ୍ତୁ ସବୁ କିଛି ବବି-ପାଣ୍ଡିଆନଙ୍କ ହାତରେ ବୋଲି ଏବେ ଚର୍ଚ୍ଚା ହେଲାଣି । ନିର୍ବାଚନ ପରେ ଏକପ୍ରକାର ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ ବବି । ଦଳର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା ତାଙ୍କୁ । ଆଉ ଏବେ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ପୂର୍ବତନ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ହେଲେ ବବିଙ୍କ ଏମିତି ହଠାତ୍ ଆବିର୍ଭାବକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ନେତା ।
୨୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଙ୍ଗିଦେଇଥିଲେ ଦଳର ସମସ୍ତ କମିଟି । କିଛି ବରିଷ୍ଠ ଓ ଯୁବ ତଥା ଅସନ୍ତୁଷ୍ଟ ଓ ଅଣଦେଖା ଗୋଷ୍ଠୀ ସହ ପୂର୍ବ କୋଟେରୀ ଗ୍ରୁପକୁ ମିଶାଇ ଗଢ଼ିଥିଲେ ନୂଆ ସମନ୍ୱୟ କମିଟି । ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ସଦସ୍ୟ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିର କାମ ଥିଲା ଦଳର ସବୁ କିଛି ବୁଝିବ । ହେଲେ ନୂଆ କମିଟି ପାଖରେ ବୁଝିବା ଲାଗି କୌଣସି ମୌକା ନାହିଁ । କାରଣ ସବୁ ପାୱାରର ଭରପୁର ଉପଭୋଗ କରୁଛନ୍ତି ବବି ଠିକ୍ ପୂର୍ବ ପରି ।
📱 Get Argus News App
✨ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ବବି-ପାଣ୍ଡିଆନ୍ ଯୋଡି ଉପରେ ଅନେକ ନେତା ହୋଇଥିଲେ କ୍ଷୁବ୍ଧ । ସିଧାସିଧା ସେମାନଙ୍କ ବିରୋଧରେ ଓଗାଳିଥିଲେ ଅସନ୍ତୋଷ । ଏମିତିକି ନେତାଏ ଗଣମାଧ୍ୟମରେ ସିଧାସିଧା କହିଥିଲେ କେବଳ ବବି ଓ ପାଣ୍ଡିଆନଙ୍କ ଲାଗି ଦଳ ହାରିଗଲା ବୋଲି । ଏହାପରେ ନବୀନ ବି ଏକାଏକା ନେତାଙ୍କ ସହ ୱାନ ଟୁ ୱାନ କରିବା ସହିତ ପାଣ୍ଡିଆନଙ୍କୁ ସାଇଡ୍ କରିଥିଲେ । ହେଲେ ଏବେ ଯେଉଁପରି ଭାବରେ ପୁଣି ଥରେ ବବି ସକ୍ରିୟ ହେଲେଣି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡିରେ କିଛି ବଦଳିନି କେବଳ ଲୋକ ଦେଖାଣିଆ ନୂଆ କମିଟି ହୋଇଛି ।
(ଭୁବନେଶ୍ଵରରୁ ଦିବ୍ୟଜ୍ୟୋତି ମହାନ୍ତି, ଅବିନାସ ଦାସ ଓ ରୋଶନ ରଥଙ୍କ ରିପୋର୍ଟ)