Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବବିଙ୍କ ଘର ଗୁଣ୍ଡ, କୋଟି କୋଟି ଟଙ୍କାର ସାମଗ୍ରୀ ଗଲା କୁଆଡ଼େ ?

Odisha

ବବିଙ୍କ ଘର ଗୁଣ୍ଡ, କୋଟି କୋଟି ଟଙ୍କାର ସାମଗ୍ରୀ ଗଲା କୁଆଡ଼େ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ବବିଙ୍କ ଘର ଗୁଣ୍ଡ, କୋଟି କୋଟି ଟଙ୍କାର ସାମଗ୍ରୀ ଗଲା କୁଆଡ଼େ ?

ଅର୍ଗସ ବ୍ୟୁରୋ : ଆଲିଶାନ ବଙ୍ଗଳାରେ ମଉଜ କରୁଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଘର ସିନା ସରକାରୀ ଥିଲା, ହେଲେ ଇଣ୍ଟରିଅର କାମ ଦେଖିଲେ ଆଖି ଖୋସି ହୋଇଯିବ । ଆଉ ଆପଣ ବି କହିବେ, ଏ ଘର ପାଇଁ ଏତେ ଟଙ୍କା କେଉଁଠୁ ଆସିଲା ? କିଏ ଦେଲା ? କିଛି ଏମିତି ପ୍ରଶ୍ନ ମନରେ ଆସିବା ସ୍ଵାଭାବିକ କଥା । ହେଲେ ବାବୁଙ୍କ ଘରକୁ ନେଇ ଏବେ ହଲଚଲ ହେଲାଣି ରାଜ୍ୟ ରାଜନୀତି ।

ସରକାରୀ ବାସଭବନ ଭିତରେ ଆଲିସାନ୍ ବଙ୍ଗଲା ତିଆରି ହୋଇଛି । ହେଲେ ବାସଭବନରେ କାହିଁକି ଥିଲା ଅଣ୍ଡରଗ୍ରାଉଣ୍ଡ ଘର ? କୋଟି କୋଟି ଟଙ୍କାରେ ତିଆରି ହୋଇଥିଲା ବବିଙ୍କ ଏହି ବଙ୍ଗଳା । କିନ୍ତୁ ଚର୍ଚ୍ଚା ହେବା ପରେ ଏବେ ଲୋକ ଓ ମେସିନ୍ ଲଗାଇ ଚାଲିଛି ଭଙ୍ଗାରୁଜା କାମ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜିଏ ଡିପାର୍ଟମେଣ୍ଟ ଥିଲା ନବୀନଙ୍କ ପାଖରେ । ତେଣୁ କୁହାଯାଉଛି ମାଫିଆଙ୍କ ଟଙ୍କାରେ ବବି କରିଥିଲେ ଏ ସବୁ ନିର୍ମାଣ । ସେଇଥି ଲାଗି ତ ବଙ୍ଗଳା ଦେଖିଲେ ଆଖି ଖୋସି ହୋଇଯାଉଛି । ହେଲେ ଆଜି ସକାଳୁ ଯେଉଁ ପରି ଭାବରେ ବବିଙ୍କ ଘର ଭଙ୍ଗାଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର । 

ନିଜର ପତିଆରା ଦେଖାଇବା ପାଇଁ ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ‘ଆଲିଶାନ୍ ବଙ୍ଗଳା’ଭଳି ସଜେଇବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଏବେ ମହଙ୍ଗା ପଡ଼ିଛି । ସବୁ ଆଇନକୁ ଫୁ’ କରି ରାଜଭବନଠୁ ମାତ୍ର ୧୦୦ମିଟର ଦୂରରେ ଥିବା ଗୋଟିଏ ସରକାରୀ କ୍ୱାର୍ଟର୍ସକୁ ନିଜର ପୈତୃକ ସମ୍ପତ୍ତି ଭଳି କୋଟିକୋଟି ଟଙ୍କା ବ୍ୟୟରେ ନବୀକରଣ କରିବା ଓ ଏବେ ପୁଣି ତାକୁ ମାଟିରେ ମିଶାଇଲେ ବବି । ଆଉ ରାଜଭବନ ଓ ସଚିବାଳୟ ମଝିରେ ରହିଥିବା ଏହି କ୍ୱାର୍ଟର୍ସରେ କିପରି ଓ କାହା ନିର୍ଦ୍ଦେଶରେ ଭଙ୍ଗାଗଢ଼ା କାର୍ଯ୍ୟ ଚାଲିଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସରେ ଏବେ ବ୍ୟାପକ ଭଙ୍ଗାରୁଜା କାମ ଜୋରସୋରରେ ଚାଲିଛି । ସରକାରୀ କ୍ୱାର୍ଟର୍ସର ମୁଖ୍ୟ ଗେଟକୁ ତାଲା ପକାଯାଇ ଏହି ଭଙ୍ଗାଗଢ଼ା କାର୍ଯ୍ୟ ହେଉଛି । ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସରେ କିଛିଦିନ ହେଲାଣି ଦିନରାତି କୋଠା ଭଙ୍ଗା କାର୍ଯ୍ୟ ଚାଲିଛି । ଖୋଳତାଡ଼ରୁ ଜଣାପଡ଼ିଛି ଯେ ଏହି କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ୨୦୧୯ ଜୁନ୍ ୧୯ତାରିଖରେ ପ୍ରଣବଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟର୍ସକୁ ନିଜ ଦଖଲକୁ ନେଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ମେ’ ମାସରେ ଆସିଥିବା ମହାବାତ୍ୟା ‘ଫନି’ର ଫାଇଦା ଉଠାଇ ପ୍ରଣବପ୍ରକାଶ ତାଙ୍କୁ ଆବଂଟିତ କ୍ୱାର୍ଟର୍ସର ପରିମିତ ଜାଗାକୁ ବେଆଇନ ଭାବେ ବଢ଼ାଇଥିଲେ । ସେହି କ୍ୱାର୍ଟର୍ସର ଦୁଇ ପାର୍ଶ୍ଵରେ ଥିବା ୨ଟି ସରକାରୀ କ୍ୱାର୍ଟର୍ସ ଯଥା-ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ ।

ଯେପରି ଦୁଇପାର୍ଶ୍ଵରେ ଥିବା କ୍ୱାର୍ଟର୍ସର ଲୋକ ତାଙ୍କ କ୍ୱାର୍ଟର୍ସ ଭିତରେ କ’ଣ ଚାଲିଛି ତାହା ଦେଖିନପାରିବେ । ଆଉ ଲୋକଙ୍କ ଆଢ଼ୁଆଳରେ ପ୍ରଣବ ବେଆଇନ ଭାବେ ହାତେଇଥିବା ଭିଆଇଆଇଆ-୧ କ୍ୱାର୍ଟସର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାରେ ଏକ ଆଲିଶାନ୍ କୋଠା ନିର୍ମାଣ କରିଥିଲେ । ଲଣ୍ଡନରେ ଥିବା ବଙ୍ଗଳା ଷ୍ଟାଇଲରେ ନିର୍ମାଣ ହୋଇଥିବା ଉକ୍ତ ଆଲିଶାନ୍ କୋଠାର ଭିତର କେବଳ ମୂଲ୍ୟବାନ କାଠ ଓ କାଚରେ ସଜ୍ଜିତ ହୋଇଥିଲା ।  ଆଉ ସେ କୋଠାକୁ ଭିତରୁ ଦେଖିଲେ ତାହା ରାଜପ୍ରସାଦର ଭ୍ରମ ସୃଷ୍ଟି କରିବ । ଯାଜପୁରର କୁସୁମାଠାରେ ଅନୁରୂପ ଶୈଳୀରେ ଏକ କୋଠା ମଧ୍ୟ ପ୍ରଣବଙ୍କର ରହିଛି । ଅବଶ୍ୟ ଏସବୁ ଭବ୍ୟ ନିର୍ମାଣ ଓ ସାଜସଜ୍ଜାରେ ସରକାରୀ ଅର୍ଥ ବ୍ୟୟ କମ୍ ଓ ଠିକାଦାରୀଙ୍କ ପୁଞ୍ଜି ବେଶୀ ଲାଗିଥିବା ସନ୍ଦେହ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୁବନେଶ୍ୱରର ସରକାରୀ କ୍ୱାର୍ଟର୍ସର ଯେଉଁ ଅଣ୍ଡରଗ୍ରାଉଣ୍ଡ ଆଲିଶାନ କୋଠା ଥିଲା ସେଠାକୁ ସର୍ବସାଧାରଣ ଏପରିକି ବିଜେଡି ନେତାମାନଙ୍କ ପ୍ରବେଶ ବାରଣ ଥିଲା ।  ସେହି କୋଠାରେ ସୋଫା,ବେଡ୍ , ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । ଯାହା ଭାଙ୍ଗିଯାଇଛି...କେବଳ ଏତିକି ନୁହେଁ, ସେହି କ୍ୱାର୍ଟର୍ସ ମଧ୍ୟରେ ପ୍ରଣବଙ୍କ ପରିବାରର ମାଲିକାନାରେ ଥିବା ପ୍ରାୟ ୨୫ରୁ ଅଧିକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିଲା । ସରକାରୀ କ୍ୱାର୍ଟର୍ସଠୁ ମାତ୍ର ୫୦୦ମିଟର ଦୂରରେ ପ୍ରଣବଙ୍କ ନିଜସ୍ୱ ଘର ଥିଲେ ମଧ୍ୟ ସେ କେବଳ ନିଜର ପତିଆରା ଦେଖାଇବା ପାଇଁ ଏହି ସରକାରୀ କୋଠାକୁ ନେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୬ତାରିଖରେ ଯେଉଁ ଚିଠି ନମ୍ବର-୧୬୬୮୭ରେ ପ୍ରଣବଙ୍କୁ ଭିଆଇଆଇଆଇ-ଏମଆର-ଏ କ୍ୱାର୍ଟର୍ସକୁ ଆବଂଟନ କରିଥିଲା ସେଥିରେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢ଼ା କାର୍ଯ୍ୟ ନକରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା । ତା’ଛଡ଼ା ଇଷ୍ଟେଟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବାସଭବନ ଆବଂଟନ କମିଟିଙ୍କ ସହମତି ମଧ୍ୟ ରହିଥିଲା । ଏହି କ୍ୱାର୍ଟର୍ସ ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ମୋଟ ୯.୩୭ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି । ତେବେ ବବିଙ୍କ ଘର ଏବେ ଭଙ୍ଗାଯାଉଥିବାରୁ ଚର୍ଚ୍ଚା ଜୋର ।
 

 

Sponsored
BJD Leader Bobby Das | Argus News