ବିଜେଡି ନେତା, ଠିକାଦାର ମାଲେମାଲ, ଜନତା ବେହାଲ

Key Points
- ଦୁର୍ଗମରେ ଅଧପନ୍ତରିଆ ପ୍ରକଳ୍ପ କାର୍ଯ୍ୟ
- ବିଜେଡି ନେତା, ଠିକାଦାର ମାଲେମାଲ, ଜନତା ବେହାଲ
- କୋଟି କୋଟି ଟଙ୍କା ହରିଲୁଟ୍ ଅଭିଯୋଗ
- ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପଗୁଡିକୁ ଅଧପନ୍ତରିଆ ଭାବେ ଛାଡ଼ି ଦେଇଛନ୍ତି ବିଜେଡି ନେତା ଏବଂ ଦଳୀୟ ଠିକାଦାର। ପୂର୍ବ ସରକାର ସମୟରେ ବଳିପର୍ବତର ହୁର୍ଲାବାହାଳୀ ସାହି ପାଇଁ ମନରେଗା ଯୋଜନାରେ ୭ ଲକ୍ଷ ବ୍ୟୟ ବରାଦରେ ଆର୍ଥିକ ବର୍ଷ ୨୦୨୦-୨୧ରେ ଏକ ପୋଖରୀ ଖୋଳା ଯିବା ପାଇଁ ଅନୁଦାନ ଦିଆଯାଇଥିଲା । ହେଲେ ଅଳ୍ପ କିଛି ଖୋଳା ଖୋଳି କରି ଅଧାପନ୍ତରିଆ ଭାବେ ପୋଖରୀକୁ ଛାଡି ଚାଲିଗଲେ ଠିକାଦାର । ଗୋଟିଏ ପଟ ବନ୍ଧ ଧୋଇ ଯାଇଥିବା ବେଳେ ଘାଇ ସୃଷ୍ଟି ହୋଇ କୃତ୍ରିମ ନାଳ ହୋଇଗଲାଣି । ଆଉ ଲୋକେ ଅଭିଯୋଗ କରିଛନ୍ତି ଏଥିରେ ବ୍ୟାପକ ପରିମାଣର ପିସି କାରବାର ହୋଇଛି ।
ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ସ୍ଥାନୀୟ ବଳିପର୍ବତ ମନ୍ଦିର ଛକଠାରୁ ହୁର୍ଲାବାହାଳୀ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୬ ଲକ୍ଷ ୬୪ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ତେବେ ଠିକାଦାର ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପାଇଁ ବନବିଭାଗ ଅନୁମତି ମିଳୁ ନଥିବା ବାହାନା କରି ରାସ୍ତା କାର୍ଯ୍ୟକୁ ଅଧାରେ ଛାଡି ଛୁ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ। ସେହିଭଳି ହୁର୍ଲାବାହାଳୀ ସାହି ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୩ ଲକ୍ଷ ବ୍ୟୟ ଅଟକଳରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା । ଯାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିଲା ନାହଁ । ଫଳରେ ଘରଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ମିଶନ ଶକ୍ତି ମହିଳାମାନେ କେତେବେଳେ ଗଛ ମୂଳେ ତ କେତେବେଳେ ଗାଁ ଦାଣ୍ଡରେ ବୈଠକ କରୁଥିବା ଅଭିଯୋଗ କରିଛନ୍ତି ।
ତେବେ ଉନ୍ନୟନ ପ୍ରକଳ୍ପଗୁଡିକ ଅଧପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ସାହିବାସୀ। ବର୍ତମାନ ସମୟ ବଦଳିଛି ଏବଂ ସରକାର ମଧ୍ୟ ବଦଳିଛି । ନୂତନ ସରକାର ତୁରନ୍ତ ଏହି ଅଧପନ୍ତରିଆ ପ୍ରକଳ୍ପଗୁଡିକର ସତ୍ୟାସତ୍ୟ ତଦନ୍ତ କରି ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ସାହିବାସୀ ।