କିଟ୍ କଥା କହିଲେ ଅଡ଼େଇ ହୋଇଯାଉଛି ବିଜେଡି !

KIIT କଥା କହିଲେ ଆଡ଼େଇ ହୋଇଯାଉଛି କି ବିଜେଡି ? ଏଭଳି ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । କାରଣ କିଟ୍ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଏବେ ରାଜ୍ୟ ଉଠୁଛି ପଡ଼ୁଛି । ଆଉ ରାଜନୀତି ବି ଭିତରେ ଭିତରେ କୁହୁଳୁଛି । କାରଣ ଏପଟେ କିଟ୍ ତାତିରେ ଓଡ଼ିଶା ତାତୁଥିବା ବେଳେ ବିଧାନସଭାରେ ବି ପଡ଼ିଲାଣି କିଟ୍ ପ୍ରସଙ୍ଗ ।
ହେଲେ କିଟ୍ କଥା କହିଲା ବେଳକୁ ଅଣଆଡ଼ିଆ ହୋଇ ଚାଲିଯାଉଛି ବିଜେଡି । ଆଉ ହୋ-ହଲ୍ଲା କରି ଆଲୋଚନାକୁ ବନ୍ଦ କରିବାକୁ କରୁଛି ଚକ୍ରାନ୍ତ । ଏମିତିକି ଏକ ଘରୋଇ ଗଣମାଧ୍ୟମ ଚ୍ୟାନେଲର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ, ଯେତେବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅରୁଣ ସାହୁଙ୍କୁ କିଟ୍ ପ୍ରସଙ୍ଗରେ ପଚରାଗଲା, ସେତେବେଳେ ସେ ଏହାକୁ ଅଭୋଏଡ୍ କରିବାକୁ ଚେଷ୍ଟା କଲେ । ଆଉ କଥା ଛଳରେ କହିଲେ ଇଆଡ଼େ ନୁହେଁ ସିଆଡ଼େ ପଚାର । କାରଣ ପାଖରେ ବସିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଅନ୍ୟପଟେ କିଟ୍ ପ୍ରସଙ୍ଗକୁ ଏଡାଇବାକୁ ଚେଷ୍ଟା କରୁଛି ବିଜେଡି । ବିରୋଧୀଙ୍କ ପାଖରେ ଆଉ ପ୍ରସଙ୍ଗ ନାହିଁ, ଏଣୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଅମର ନାୟକ । ସେ ଆହୁରି କହିଛନ୍ତି, ଗଣତନ୍ତ୍ରରେ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାରା ରାଜ୍ୟର ଲୋକେ ବିଧାନସଭା ପ୍ରଶ୍ନ ଉତ୍ତରକୁ ଅପେକ୍ଷା କରିଥାନ୍ତି । ନିଜ ଅଞ୍ଚଳ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିଧାୟକ ଅନେଇ ବସିଥାନ୍ତି । ହେଲେ ବିରୋଧୀ ଦଳ ଗୃହକୁ ଚଳାଇ ଦେଉ ନାହାନ୍ତି ।
କିଟ୍ ପ୍ରସଙ୍ଗ ହେଉ ବା ଅନ୍ୟ କେଉଁ ପ୍ରସଙ୍ଗ, ତାକୁ ଏଡାଇବାକୁ ଭିନ୍ନ ଦିଗ ଦେଇଛନ୍ତି ବିରୋଧୀ । ବିରୋଧୀ ମୁଲତବୀ ପ୍ରସ୍ତାବ ଆଣିଲେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ମହିଳାଙ୍କ ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି । ଅତୀତରେ ମହିଳାଙ୍କୁ ଭଣ୍ଡାଉଥିଲେ ବିଜେଡି ସରକାର । ଏବେ ବିରୋଧୀ ଦଳ ଆସନରେ ବସିବା ପରେ ଜାଣିଶୁଣି ଏପରି କରୁଛନ୍ତି । କାରଣ ସେମାନେ ସଙ୍କଟରେ ପଡିଛନ୍ତି । ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବାକୁ କିଛି କରି ନାହିଁ ବିଜେଡି। ଲକ୍ଷ ପତି ଦିଦି ସହାୟିକା ଯୋଜନା କରିଛନ୍ତି ବିଜେପି ସରକାର । ସୁଭଦ୍ରା ଭଳି ସବୁଠାରୁ ବଡ଼ ଯୋଜନା କରିଛନ୍ତି ବିଜେପି ସରକାର । କୋଟିଏ ମହିଳାଙ୍କ ପାଖରେ ଏହା ପହଞ୍ଚିଛି ।
ଅନ୍ୟପଟେ KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟ ସରକାର ଏଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଏଦିଗରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଛନ୍ତି । ଏଘଟଣାରେ କୌଣସି ପ୍ରକାର ଢିଲା କରି ନାହାନ୍ତି । ଓଡ଼ିଶାକୁ ଯିଏ ବି ବଦନାମ କରିବାକୁ ଚାହୁଁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀ ପାତ୍ର । ସେପଟେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।