Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତାଙ୍କ ପାୱାର ମୋହ ଛାଡୁନି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·3 min read
ବିଜେଡି ନେତାଙ୍କ ପାୱାର ମୋହ ଛାଡୁନି ?

Key Points

  • ବସ୍‌ ଦୁର୍ଘଟଣା...ଭୋରରୁ ମେଡିକାଲରେ ପହଞ୍ଚିଲେ ପାଣ୍ଡିଆନ
  • କୁହାଗଲା ଡାକ୍ତରଙ୍କୁ ଉତ୍ତମ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଲେ
  • ପ୍ରଶ୍ନ, ବିଜେଡି ନେତା ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇପାରିବେ କି ?

ଅର୍ଗସ ବ୍ୟୁରୋ: ସରକାରୀ କର୍ମଚାରୀଙ୍କୁ ବିଜେଡି ନେତା ଦେଉଛନ୍ତି ନିର୍ଦ୍ଦେଶ ? ଭଲରେ ଚିକିତ୍ସା କର, ଉତ୍ତମ ଚିକିତ୍ସା କର । କିନ୍ତୁ ଏଇଠି ପ୍ରଶ୍ନ ସରକାରୀ କର୍ମଚାରୀଙ୍କୁ ଏମିତି ନିର୍ଦ୍ଦେଶ ଦେଇପାରିବେ କି ଶାସକ ଦଳର ନେତା ? କଥା ହେଲା ଗତକାଲି ଯାଜପୁରରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଥିଲା । ପାଖାପାଖି ୪୦ ଜଣ ଆହତ ହୋଇଥିଲେ । ଗୁରୁତରଙ୍କୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସକାଳୁ ମେଡ଼ିକାଲରେ ପହଞ୍ଚିଥିଲେ ବିଜେଡି ନେତା ପାଣ୍ଡିଆନ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ରୋଗୀଙ୍କୁ କେମିତି ଚିକିତ୍ସା ସେବା ମିଳିପାରିବ ସେନେଇ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଶ୍ନ, କୌଣସି ପଦବୀରେ ନାହାନ୍ତି ପାଣ୍ଡିଆନ । ଏବେ କେବଳ ସେ ଜଣେ ବିଜେଡି ନେତା । କିନ୍ତୁ ମେଡିକାଲରେ ପହଞ୍ଚି ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଲେ କେମିତି ? ସରକାରୀ ଅଫିସରଙ୍କର ରାଜ୍ୟରେ ନାହାନ୍ତି କି ? ନା ପଦ ଯିବା ପରେ ବି ପାୱାର ଛାଡିବାକୁ ନାରାଜ ପାଣ୍ଡିଆନ ?

ବାରମ୍ବାର ନିୟମ ଭାଙ୍ଗି ବିବାଦ ଭିତରକୁ ଟାଣି ହୋଇ ଆସୁଛନ୍ତି ପାଣ୍ଡିଆନ । ସରକାରୀ ଚାକିରି କରିଥିବା ବେଳେ ତ ଯାହା ଯେମିତି ନିୟମ ଭାଙ୍ଗୁଥିଲେ ହେଲେ ଏବେ ବି ସେମିତି କରୁଛନ୍ତି । କାରଣ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ସରକାର ତାଙ୍କୁ ଫାଇଭ-ଟି ଅଧ୍ୟକ୍ଷ ପଦରେ ବସାଇଥିଲେ । ଯାହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ବି ହୋଇଥିଲା । କିନ୍ତୁ ପଦରେ ସେ ରହିଥିଲେ । ଏମିତିକି ରାଜ୍ୟର ପ୍ରତିଟି ବିଭାଗ ଫାଇଭ-ଟି ଅଧୀନରେ କାମ କରୁଥିଲା । ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଫାଇଭ-ଟି ଅଧ୍ୟକ୍ଷ କେମିତି ସିଏମଓ ଅଫିସର ଅଫିସର ତାଲିକାରେ ନଂ-୧ ଅଫିସର ରହିବେ ବୋଲି ପ୍ରଶ୍ନ ଉଠାଇଥିଲା ବିଜେପି । ଖାଲି ପ୍ରଶ୍ନ ଉଠାଇଥିଲା ତାହା ନୁହେଁ ବରଂ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସିଏମଓ ଅଫିସର ୱେବ ସାଇଟ୍‌ରୁ ପାଣ୍ଡିଆନଙ୍କ ନାଁ ଅପସାରଣ କରିବା ସହ ଫାଇଭ-ଟି ସମ୍ପର୍କିତ ସମସ୍ତ ତଥ୍ୟକୁ ବ୍ଲାଙ୍କ କରିଥିଲେ । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । କିନ୍ତୁ ଆଜି ସକାଳୁ ସେ ଯେମିତି ଭାବରେ ମେଡିକାଲରେ ପହଞ୍ଚି ରୋଗୀଙ୍କ ସହ କଥା ହେଲେ ଏବଂ ଡାକ୍ତରୀ ଦଳକୁ ଭଲ ଚିକିତ୍ସା କରିବା ଲାଗି ନିର୍ଦ୍ଦେଶ ଦେଲେ ତାହାକୁ ନେଇ ଉଠିଲାଣି ପ୍ରଶ୍ନ । 

ମିଳିଥିବା ସୂଚନା ଅନୁସାରେ, ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଆଜି ସକାଳୁ ଭେଟିଛନ୍ତି ବିଜେଡି ନେତା ପାଣ୍ଡିଆନ । କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହାସହ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ । କିନ୍ତୁ ସେ ବିଜେଡି ନେତା ହୋଇ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ପାଣ୍ଡିଆନ ଭୋରରୁ ମେଡ଼ିକାଲରେ ପହଞ୍ଚିବା ବେଳେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, କଟକ ଡିସିପି ପ୍ରକାଶ ଆର, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଓ ଯାଜପୁର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ...କିନ୍ତୁ ଜଣେ ନେତାଙ୍କ ଗସ୍ତ ବେଳେ କାହିଁକି ଏତେ ମାତ୍ରାରେ ଅଫିସର ଉପସ୍ଥିତ ରହିଲେ ତାହାକୁ ବି ନେଇ ଉଠିଲାଣି ପ୍ରଶ୍ନ । ହେଲେ ପୂରା ଘଟଣା ସମ୍ପର୍କରେ ପାଣ୍ଡିଆନ କିମ୍ବା ଅଫିସରଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

Sponsored
BJD Leader VK Pandian | Argus News